Monday , December 6 2021
Breaking News
Home / ବିଶେଷ / ସୂଚନାଧିକାର କର୍ମୀ ରଞ୍ଜନ କୁମାର ଦାସଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବିରେ ଓଡ଼ିଶା ସୂଚନା ଅଧିକାର ଅଭିଯାନର ବିକ୍ଷୋଭ, ଶୋଭାଯାତ୍ରା, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ସୂଚନାଧିକାର କର୍ମୀ ରଞ୍ଜନ କୁମାର ଦାସଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବିରେ ଓଡ଼ିଶା ସୂଚନା ଅଧିକାର ଅଭିଯାନର ବିକ୍ଷୋଭ, ଶୋଭାଯାତ୍ରା, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଭୁବନେଶ୍ୱର,୧୫/୧୨/୨୦୨୦ (ଓଡ଼ିଶା ସମାଚାର)- ଗତ ଫେବୃୟାରୀ ୧, ୨୦୨୦ରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଶିଷ୍ଟ ସୂଚନାଧିକାର କର୍ମୀ ରଞ୍ଜନ ଦାସଙ୍କ ମୃତ ଦେହ ମାର୍ଶାଘାଇ ଥାନା ଅଧିନସ୍ଥ ବରୁହାଁ ରାସ୍ତାକଡ଼ରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଦର୍ଶାଇ ରଞ୍ଜନଙ୍କ ପରିବାର ତରଫରୁ ମାର୍ଶାଘାଇ ଥାନାରେ ଏତଲା ଦିଆଯିବା ସହ ଏହାର ତଦନ୍ତ କରାଯାଇ ସମ୍ପୃକ୍ତ ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା । ପୋଲିସ୍ ଉକ୍ତ ଅଭିଯୋଗକୁ ପଞ୍ଜିକୃତ କରି (କେସ୍ ସଂଖ୍ୟା ୨୪/୨୦୨୦) ତଦନ୍ତ ଆରମ୍ଭ କରିଥିଲେ ।
ଆରମ୍ଭରୁ ରଞ୍ଜନଙ୍କ ପରିବାର ଲୋକେ ପୋଲିସ୍ ତଦନ୍ତକୁ ସନ୍ଦେହ ଚକ୍ଷୁରେ ଦେଖିବା ସହ ଏଥିରୁ ନ୍ୟାୟ ନ ମିଳିବା ନେଇ ବାରମ୍ବାର ଅଭିଯୋଗ କରି ଆସୁଥିଲେ । କାରଣ ଆଗରୁ ରଞ୍ଜନ ଉପରେ ବାରମ୍ବାର ଆକ୍ରମଣ, ହତ୍ୟା ଧମକ ସମ୍ପର୍କିତ ହୋଇଥିବା ଅଭିଯୋଗ ଉପରେ ପାଟକୁରା ବା ମାର୍ଶାଘାଇ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ତେଣୁ ପୋଲିସ୍ ଓ ଅପରାଧୀମାନଙ୍କ ସମ୍ପର୍କ ଯୋଗୁ ତାଙ୍କ ଅଭିଯୋଗକୁ ପୋଲିସ୍ ତଦନ୍ତ ନକରି ଚାପି ଦେଉଥିବାର ଅଭିଯୋଗ ରଞ୍ଜନ ବାରମ୍ବାର କରିଥିଲେ ଏବଂ ତାଙ୍କ ଜୀବନ ପ୍ରତି ବିପଦ ଥିବାର ଅଭିଯୋଗ ସାମାଜିକ ଗଣମାଧ୍ୟମରେ କରି ଆସୁଥିଲେ । ରଞ୍ଜନ ହତ୍ୟାକାଣ୍ଡର ପୋଲିସ୍ ତଦନ୍ତର ଅଗ୍ରଗତି ସମ୍ପର୍କରେ କୌଣସି ତଥ୍ୟ ପରିବାରଙ୍କୁ ଜଣାଉନଥିଲା । ଠିକ୍ ଏହି ସମୟରେ ୧୦.୩.୨୦୨୦ରେ ହୋଲି ଖେଳ ଦିନ ସ୍ଥାନୀୟ ଅପରାଧୀ ତି୍ରଲୋଚନ ବାରିକ ସର୍ବସମ୍ମୁଖରେ ‘ସେମାନେ ରଞ୍ଜନ ଦାସଙ୍କୁ ହତ୍ୟା କରିଛନ୍ତି ଏବଂ ଆହୁରି ଦୁଇଜଣଙ୍କୁ ହତ୍ୟା କରିବେ ବୋଲି କହିଥିଲେ ।’ ଏ ସମ୍ପର୍କରେ ମୃତ ରଞ୍ଜନଙ୍କ ବାପା ଳକ୍ଷ୍ମୀଧର ଦାସ ପାଟକୁରା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ୍ କୌଣସି ତଦନ୍ତ କରିନଥିଲେ । ସେହିପରି ଗତ ୧୫.୩.୨୦୨୦ରେ ବିଜୁ ଜନତା ଦଳ ସହିତ ସମ୍ପୃକ୍ତ ଠିକାଦାର ବିବେକ ଜେନା ସମେତ ୫ଜଣ ଅପରାଧୀ ରଞ୍ଜନର ଘରକୁ ଆସି ତାର ବାପାଙ୍କୁ ଜାତିଗତ ଆକ୍ଷେପ କରି ନୀରବ ରହିବାକୁ ଧମକ ଦେଇଥିଲେ । ଏ ସମ୍ପର୍କରେ ରଞ୍ଜନଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ରାଜନୈତିକ ଚାପରେ ପୋଲିସ୍ ତଦନ୍ତ କରିନଥିଲା ।
ଗତ ୧୩.୫.୨୦୨୦ରିଖରେ ରଞ୍ଜନଙ୍କ ବାପା ବ୍ୟକ୍ତିଗତ ଭାବେ କ୍ରାଇମବ୍ରାଂଚ ନିର୍ଦ୍ଧେଶକଙ୍କୁ ଭେଟି ରଞ୍ଜନ ହତ୍ୟାକାଣ୍ଡର କ୍ରାଇମବ୍ରାଂଚ ତଦନ୍ତ ପାଇଁ ନିର୍ଦ୍ଧେଶ ଦେବାକୁ ଅନୁରୋଧ କରିଥିଲେ । ସେହିପରି ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ୩.୮.୨୦୨୦ରିଖରେ କ୍ରାଇମବ୍ରାଂଚ ଏ.ଡ଼ି.ଜି.ଙ୍କୁ ତଦନ୍ତ ପାଇଁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ତରଫରୁ ପୋଲିସ୍ ମହାନିର୍ଦ୍ଧେଶକଙ୍କୁ ଅନୁରୋଧ କରାଯାଇଥିଲା । ଗତ ଫେବୃୟାରୀ ୯,୨୦୨୦ରେ ଦେଶର ପ୍ରମୁଖ ୧୪ଜଣ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ରାଜ୍ୟରେ ସୂଚନାଧିକାର କର୍ମୀମାନଙ୍କୁ ଲଗାତର ହତ୍ୟା ଉପରେ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହ ଦୋଷୀମାନଙ୍କୁ ତୁରନ୍ତ ଦଣ୍ଡ ଏବଂ ପରିବାରଙ୍କୁ ସୁରକ୍ଷା ଦେବାକୁ ଅନୁରୋଧ କରିଥିଲେ । ରଞ୍ଜନ ହତ୍ୟାକାଣ୍ଡ ସମ୍ପର୍କରେ ହୋଇଥିବା ଅଭିଯୋଗ ନଂ ୨୭୧/୨୦କୁ ଲୋକାୟୁକ୍ତ ଗ୍ରହଣ କରି ପୋଲିସ୍ ମହାନିର୍ଦ୍ଧେଶକଙ୍କୁ ଜବାବ ଦାଖଲ ପାଇଁ ନୋଟିସ୍ ଜାରି କରିଥିଲେ । ଗୃହ ବିଭାଗ ତରଫରୁ ଗତ ୮.୧୧.୨୦୨୦ରିଖରେ କେନ୍ଦ୍ରାପଡ଼ା ଏସପିଙ୍କ ରିପୋର୍ଟକୁ ଆଧାର କରି ଜବାବ ଦାଖଲ କରାଯାଇଥିଲା । ଏହି ରିପୋର୍ଟରେ ରଞ୍ଜନ ହତ୍ୟାକାଣ୍ଡକୁ ଏକ ଦୁର୍ଘଟଣା ଦର୍ଶାଇ ତଦନ୍ତକୁ ବନ୍ଦ କରି ଦେଇଥିବା ସମ୍ପର୍କରେ ଉଲ୍ଳେଖ ଥିଲା । ଏଥିରୁ ସ୍ପଷ୍ଟ ହୋଇଥିଲା ଯାହାକି ଆରମ୍ଭରୁ ଅଭିଯୋଗ ହୋଇ ଆସୁଥିଲା । ସ୍ଥାନୀୟ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ପ୍ରଭାବରେ କେନ୍ଦ୍ରାପଡ଼ା ପୋଲିସ୍ ମିଥ୍ୟା ଷ୍ଟୋରୀ ରଚନା କରି ତଦନ୍ତ ବନ୍ଦ କରିଛି । ସେଥିପାଇଁ ବାରମ୍ବାର ପରିବାର ତରଫରୁ କ୍ରାଇମବ୍ରାଂଚ ତଦନ୍ତ ପାଇଁ ଦାବି ହୋଇ ଆସୁଥିଲା ଏବଂ ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରାଯାଇଥିଲା । କିନ୍ତୁ ଜିଲ୍ଲା ପୋଲିସ୍ ଓ ରାଜ୍ୟ ପୋଲିସ୍ ଉଭୟ ମିଳାମିଶା କରି ରଞ୍ଜନ ଦାସଙ୍କ ହତ୍ୟାକାଣ୍ଡକୁ ରାଜନୈତିକ ଚାପର ବଶବର୍ତୀ ହୋଇ ଚାପିଦେଲେ ।
ତେଣୁ ପରିବାରକୁ ନ୍ୟାୟ ଦେବା ଏବଂ ରଞ୍ଜନ ହତ୍ୟାକାଣ୍ଡର ସତ୍ୟାସତ୍ୟ ଉନ୍ମୋଚନ ଓ ଅପରାଧୀଙ୍କୁ ଗିରଫ ପାଇଁ ଓଡ଼ିଶା ପୋଲିସ୍ ବିଫଳ ହୋଇଥିବାରୁ ଏବଂ ତଦନ୍ତକୁ ଦଫାରଫା କରିଥିବାରୁ ଓଡ଼ିଶା ସୂଚନା ଅଧିକାର ଅଭିଯାନ ଏହି ହତାକାଣ୍ଡର ସିବିଆଇ ତଦନ୍ତ ଦାବି କରିଛି । ଏହି ପରିପ୍ରେକ୍ଷୀରେ ସୋମବାର ସୂଚନା ଅଧିକାର ଅଭିଯାନର ଶତାଧିକ କର୍ମୀ ମାଷ୍ଟର କ୍ୟାନ୍ଟିନରୁ ଏକ ବିରାଟ ପଟୁଆରାରେ ବାହାରି ରାଜମହଲ ଛକଦେଇ ଶିଶୁଭବନ ଛକରେ ପହଂଚିଥିଲେ । ଶିଶୁଭବନ ଛକରୁ ନବୀନ ନିବାସ ଆଡ଼କୁ ଧସେଇ ପଶିବାକୁ ଅଗ୍ରସର ହେଉଥିବା ବେଳେ ସେଠାରେ ଥିବା ଶତାଧିକ ପୋଲିସ୍ କର୍ମୀମାନଙ୍କୁ ଜୋର ଜବରଦସ୍ତ ଘୋଷଡ଼ା ଘୋଷଡ଼ି କରି ଗିରଫ କରିଥିଲେ । ୧୦ ମିନିଟ୍ ଧରି ସୂଚନାଧିକାର କର୍ମୀ ଓ ପୋଲିସ୍ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଶେଷରେ କୌଣସି ପରିସ୍ଥିତିରେ ପୋଲିସ ନବୀନ ନିବାସକୁ ଅଗ୍ରସର ହେବା ପାଇଁ ନଦେବାରୁ ଏବଂ ବଳ ପ୍ରୟୋଗ କରି ଶତାଧିକ ସୂଚନାଧିକାର କର୍ମୀମାନଙ୍କୁ ଗିରଫ କରି ପୋଲିସ୍ ବାରାକକୁ ନେଇଯାଇଥିଲେ । ତେଣୁ ସମଗ୍ର ରାଜ୍ୟରୁ ଶତାଧିକ ସୂଚନାଧିକାର କର୍ମୀ ଏକଜୁଟ ହୋଇ ନବୀନ ନିବାସ ଘେରାଉ କରିବା ସହ ତୁରନ୍ତ ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ । ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏବଂ କାର୍ଯ୍ୟକ୍ରମରେ ଶ୍ରୀକାନ୍ତ ପାକଳ, ସଂଯୁକ୍ତା ପାଣିଗ୍ରାହୀ, ରଞ୍ଜୁଲତା ମହାପାତ୍ର, ସୁଧୀର ମହାନ୍ତି, ଜିତେନ୍ଦ୍ର ସାହୁ, ପ୍ରତାପ ସାହୁ, ନବକିଶୋର ଦାସ, ସର୍ବେଶ୍ୱର ବେଉରା, ସଦାଶିବ ପଣ୍ଡା, ପ୍ରିୟବ୍ରତ ଗଡ଼ନାୟକ, ପ୍ରଶାନ୍ତ ରାଉତରାୟ, ପ୍ରତାପ ମହାନ୍ତି, ପ୍ରକାଶ ଦାସ, ବଟକୃଷ୍ଣ ସାହୁ, ଭୀମସେନ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *