ଭୁବନ,୧୫/୧୨/୨୦୨୦(ଓଡ଼ିଶା ସମାଚାର)- ଆସନ୍ତା ୨୩ ତାରିଖ ଠାରୁ ଶ୍ରୀମନ୍ଦିର ଖୋଲିବ । ସେହିପରି ଲିଙ୍ଗରାଜ ମନ୍ଦିର ମଧ୍ୟ ୨୭ ତାରିଖରୁ ଖୋଲିବ । ରାଜ୍ୟର ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବାକୁ ସରକାର ଜିଲ୍ଲାପାଳ ମାନଙ୍କୁ କ୍ଷମତା ଅର୍ପଣ କରିଛନ୍ତି । ବିଭିନ୍ନ ମଠ,ମନ୍ଦିର ଓ ଧର୍ମାନୁଷ୍ଠାନର ପରିଚାଳନା କମିଟି,ମନ୍ଦିର ପୂଜକ,ଶ୍ରଦ୍ଧାଳୁ ଭକ୍ତ ଙ୍କ ସହ ଜିଲ୍ଲାପାଳ ଆଲୋଚନା କରି କୋଭିଡ-୧୯ ମାର୍ଗଦର୍ଶିକା ପାଳନ କରି ମନ୍ଦିର ଖୋଲିବାକୁ ସରକାର ନିର୍ଦ୍ଧେଶ ଦେଇଥିବା ଜିଲ୍ଲାପାଳ ଙ୍କ ଉଦାସୀନତା କାରଣରୁ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଦୀର୍ଘ ୯ ମାସ ହେଲା ଠାକୁର ଦର୍ଶନରୁ ବଂଚିତ ହୋଇଥିବାରୁ ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ ହୋଇପଡିଛନ୍ତି ।
ଏ ସଂପର୍କରେ ଭୁବନବାସୀଙ୍କ ମତ
ନୂଆବର୍ଷ ପୂର୍ବରୁ ବୁଦ୍ଧେଶ୍ୱର ମନ୍ଦିର ଖୋଲୁ
ରାତି ପାହିଲେ ମୁଁ ପ୍ରତିଦିନ ନିତ୍ୟକର୍ମ ସାରି ପ୍ରଥମେ ବାବା ବୁଦ୍ଧେଶ୍ୱରଙ୍କୁ ଦର୍ଶନ କରିଥାଏ । ବାବାଙ୍କ ଦର୍ଶନ ପରେ ମୁଁ ମୋ କାମ ଆରମ୍ଭ କରିଥାଏ । ମହାମାରୀ କରୋନା ସକାଶେ ସରକାର ଦୀର୍ଘ ୯ ମାସ ହେଲା ମନ୍ଦିର ବନ୍ଦ କରିଦେଇଥିବାରୁ ଠାକୁର ଦର୍ଶନ କରିପାରୁନାହିଁ । ମନ ବୁଝୁନାହିଁ , ତେଣୁ ବେଳେବେଳେ ମନ୍ଦିର ବାହାରୁ ଦର୍ଶନ କରି ଠାକୁରଙ୍କୁ ମନକଥା ଜଣାଇ ଆସୁଛି । ନୂଆବର୍ଷ ପୂର୍ବରୁ ବୁଦ୍ଧେଶ୍ୱର ମନ୍ଦିର ଖୋଲିବାକୁ ଦାବି କରୁଛି । ଭବାନୀ ଶଙ୍କର ପୋଥାଳ (ବ୍ୟବସାୟୀ/ଭକ୍ତ) ଭୁବନ
ମନ୍ଦିର ଖୋଲିବାରେ ଅସୁବିଧା କଣ ?
ପ୍ରତି ସୋମବାର ମୁଁ ବାବା ବୁଦ୍ଧେଶ୍ୱର ଙ୍କୁ ଦର୍ଶନ କରିବାକୁ ମନ୍ଦିର ଯାଇଥାଏ । କରୋନା ଆଳରେ ସରକାର ଦୀର୍ଘ ୯ ମାସ ହେଲା ମନ୍ଦିରରେ ତାଲା ପକାଇ ଦେଇଛନ୍ତି । ଓଡିଶାରେ ସବୁତ ଖୋଲିଲାଣି , ଶେଷରେ ଆସନ୍ତା ୨୩ ରୁ ଶ୍ରୀମନ୍ଦିର ଖୋଲିବାକୁ ସରକାର ନିଷ୍ପତି ନେଇଛନ୍ତି । ବୁଦ୍ଧେଶ୍ୱର ମନ୍ଦିର ଖୋଲିବାରେ ଅସୁବିଧା କେଉଁଠି ? ଜିଲ୍ଲାପାଳ ଯଥାଶୀଘ୍ର ମନ୍ଦିର ପରିଚାଳନା କମିଟି ସହିତ ଆଲୋଚନା କରି ମନ୍ଦିର ଖୋଲିବାର ବ୍ୟବସ୍ଥା କରନ୍ତୁ । ଭୁବନବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି,ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଜିଲ୍ଲାପାଳଙ୍କ ଉପରେ ଚାପ ପ୍ରୟୋଗ କରି ତୁରନ୍ତ ମନ୍ଦିର ଖୋଲନ୍ତୁ । ଦେବାଶିଷ ସାହୁ (ବ୍ୟବସାୟୀ/ଭକ୍ତ) ଭୁବନ
ମଦ ଦୋକାନ ସାହାଣମେଲା , ମନ୍ଦିରରେ ତାଲା ଆଉ କେତେ ଦିନ ?
କରୋନା ଆଳରେ ସରକାର ୯ ମାସ ହେଲା ମନ୍ଦିର ଗୁଡିକୁ ତାଲା ପକାଇ ଦେଇଛନ୍ତି, ସେପଟେ ପ୍ରଥମେ ମଦ ଉପରେ ୫୦ ପ୍ରତିଶତ କୋଭିଡ ଟାକ୍ସ ଆଦାୟ କରିବାପରେ ବର୍ତମାନ ମଦ ଦୋକାନ ସବୁ ସାହାଣ ମେଲା କରିଦେଇଛନ୍ତି । ମନ୍ଦିର ଖୋଲିଲେ ସତେ ଯେମିତି କରୋନା ମାଡି ବସିବ । ମନ୍ଦିରକୁ ଯେତିକି ଲୋକ ଯାଉଛନ୍ତି,ମଦ ଦୋକାନକୁ ତାଠାରୁ ଅଧିକ ଲୋକ ଯାଉଛନ୍ତି,କିନ୍ତୁ ସେଠି କରୋନା ହେଉନି । ଅଫିସର,ବାବୁ ଙ୍କୁ ଦାୟିତ୍ୱ ନଦେଇ ନବୀନ ବାନୁ ତୁରନ୍ତ ରାଜ୍ୟର ସମସ୍ତ ମନ୍ଦିର ଖୋଲିବାକୁ ନିର୍ଦ୍ଧେଶ ଦିଅନ୍ତୁ । ନିରଞ୍ଜନ ପୋଥାଳ, ( ଓଲଡିଙ୍ଗ ଦୋକାନୀ/ଭକ୍ତ) ଭୁବନ
ଢେଙ୍କାନାଳ ଜିଲ୍ଲାର ସମସ୍ତ ମନ୍ଦିର ଖୋଲିବାକୁ ଜିଲ୍ଲାପାଳ ବ୍ୟବସ୍ଥା କରନ୍ତୁ
ଦୀର୍ଘ ୯ ମାସ ହେଲା ମନ୍ଦିର ବନ୍ଦ ଯୋଗୁ ମନ୍ଦିର ଉପରେ ନିର୍ଭର କରି ଚଳୁଥିବା ହଜାର ହଜାର ଲୋକ ଯଥା-ପୂଜକ,ମାଳି,ଫୁଲ ଦୋକାନୀ,ଭୋଗ ଦୋକାନୀଙ୍କ ସମେତ ଯୋଗୀ, ଭିକାରୀ ଙ୍କ ଜୀବନ ଜୀବିକା ବିପନ୍ନ ଘେରକୁ ଚାଲିଗଲାଣି । ପର୍ଯ୍ୟଟନ ଶିଳ୍ପ ମଧ୍ୟ ବାଧାପ୍ରାପ୍ତ । ଢେଙ୍କାନାଳ ଜିଲ୍ଲାପାଳ,ଜିଲ୍ଲା ଦେବୋତର ଅଧିକାରୀ ସମସ୍ତ ମନ୍ଦିରର ପରିଚାଳନା କମିଟି ସଭାପତିଙ୍କୁ ଗୋଟିଏ ଦିନ ବୈଠକ ଡକାଇ ସେମାନଙ୍କ ମତାମତ ନେଇ ଯଥାଶୀଘ୍ର ଜିଲ୍ଲାର ସମସ୍ତ ମନ୍ଦିର ଖୋଲିବାର ବ୍ୟବସ୍ଥା କରିବାକୁ ନିବେଦନ କରୁଛି । ଶୁଭେନ୍ଦୁ ସାହୁ (ଟ୍ରଷ୍ଟି,ଶ୍ରୀଜଗନ୍ନାଥ ମନ୍ଦିର ଚ୍ୟାରିଟେବୁଲ ଟ୍ରଷ୍ଟ) ଭୁବନ
ମନ୍ଦିର ଖୋଲିବାକୁ ଜିଲ୍ଲାପାଳ ତୁରନ୍ତ ନିଷ୍ପତି ନିଅନ୍ତୁ
ପ୍ରତି ସୋମବାର,ଅମାବାସ୍ୟା,ସଂକ୍ରାନ୍ତି ଓ ପୂଜା ପର୍ବରେ ମୁଁ ବୁଦ୍ଧେଶ୍ୱର ମନ୍ଦିର ଯାଇ ବାବା ବୁଦ୍ଧେଶ୍ୱରଙ୍କୁ ଦର୍ଶନ କରି ପୂଜା କରିଥାଏ । କରୋନା ପାଇଁ ଦୀର୍ଘ ୯ ମାସ ହେଲା ଠାକୁର ଦର୍ଶନ କରି ପାରିନାହିଁ । ସେଥିପାଇଁ ବହୁତ ଦୁଃଖ ଲାଗୁଛି । ଶ୍ରୀମନ୍ଦିର ଖୋଲିବା କଥା ଶୁଣିବା ପରେ ଆମ ବୁଦ୍ଧେଶ୍ୱର ମନ୍ଦିର ଖୋଲିବ ବୋଲି ମନରେ ଆଶା ସଂଚାର ହୋଇଥିଲା କିନ୍ତୁ ବର୍ତମାନ ସୁଦ୍ଧା ମନ୍ଦିର ଖୋଲିବା ପାଇଁ କ୍ଷମତାପ୍ରାପ୍ତ ଅଧିକାରୀ ଜିଲ୍ଲାପାଳ ମହୋଦୟ ଅଦ୍ୟାବଧି କୌଣସି ନିଷ୍ପତି/ନିର୍ଦ୍ଧେଶ ଦେଇନାହାଁନ୍ତି । ଯାହାବି ହେଉ ନୂଆବର୍ଷ ପୂର୍ବରୁ ମନ୍ଦିର ଖୋଲୁ । ଋୀନାବାଳା ପୃଷ୍ଟି (ଭକ୍ତ) ଭୁବନ
ବଡଓଷା , କାର୍ତିକ ପୂର୍ଣ୍ଣମୀ ସରିଲାଣି , ଏଥର ମନ୍ଦିର ଖୋଲୁ
ଭୁବନର ଆରାଧ୍ୟ ଦେବତା ବାବା ବୁଦ୍ଧେଶ୍ୱରଙ୍କ ପବିତ୍ର ପୀଠରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ପର୍ବପର୍ବାଣୀ ମଧ୍ୟରୁ ମୁଖ୍ୟ ପର୍ବ ହେଲା ଜାଗର,କାଉଡିଆ (ବୋଲବମ) ଯାତ୍ରା,ବଡଓଷା ଓ କାର୍ତିକପୂର୍ଣ୍ଣମୀ । ଚଳିତ ବର୍ଷ ଜାଗର ଯାତ୍ରା ମହାସମାରୋହରେ ପାଳିତ ହୋଇଥିଲା । ତା’ପରେ କରୋନା ଗ୍ରାସ କରିବାରୁ ସରକାର ଦୀର୍ଘ ୯ ମାସ ହେଲା ମନ୍ଦିରରେ ତାଲା ଝୁଲାଇ ଦେଇଛନ୍ତି । ସରକାରଙ୍କ କଟକଣା ଯୋଗୁ ଏଥର କାଉଡିଆ (ବୋଲବମ) ଯାତ୍ରା,ବଡଓଷା,ଡଙ୍ଗାଭସା,ବୋଇତ ବନ୍ଦାଣ,କାର୍ତିକ ପୂର୍ଣ୍ଣମୀ ସବୁ ଠପ ହୋଇଗଲା । ଏବେ ଆଉ କିଛି ପର୍ବ ନାହିଁ କି ଲୋକ ଗହଳିର ଚାନ୍ସ ନାହିଁ । ତେଣୁ ସରକାର ଯଥାଶୀଘ୍ର ବୁଦ୍ଧେଶ୍ୱର ମନ୍ଦିର ଖୋଲିବାର ନିଷ୍ପତି ନିଅନ୍ତୁ । ପ୍ରଶାନ୍ତ ଦେହୁରୀ (ଭକ୍ତ) ଭୁବନ
ମନ୍ଦିର ଖୋଲିବା ନିଷ୍ପତି ଜିଲ୍ଲାପାଳଙ୍କର , ସେ ସ୍ଥିତି ଦେଖି ନିଷ୍ପତି ନେବେ
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମୁକାବିଲାରେ ଦେଶରେ ସର୍ବଶ୍ରେଷ୍ଠ । ତାଙ୍କରି ଦୂରଦୃଷ୍ଟି ତଥା ସଠିକ ପରିଚାଳନା ଯୋଗୁ ଓଡିଶାରେ କରୋନା ସଂକ୍ରମଣ ଓ ମୃତ୍ୟୁହାର ନଗଣ୍ୟ । ସରକାର ସମସ୍ତ ପୂଜାପର୍ବ ରେ କଟକଣା ଜାରି କରି ମନ୍ଦିରରେ ତାଲା ନପକାଇଥିଲେ ଓଡିଶାରେ କରୋନା ଅବସ୍ଥା ଅସମ୍ଭାଳ ହୋଇଥାନ୍ତା । ବହୁ ବିଚାର ବିମର୍ଶ ପରେ ସରକାର ଆସନ୍ତା ୨୩ ତାରିଖରୁ ଶ୍ରୀମନ୍ଦିର ଖୋଲିବାକୁ ନିଷ୍ପତି ନେଇଛନ୍ତି । ଧିରେଧିରେ ସବୁ ମନ୍ଦିର ଖୋଲିବ । ସ୍ଥାନୀୟ ଅଂଚଳରେ ମନ୍ଦିର ଖୋଲିବା ନିଷ୍ପତି ଜିଲ୍ଲାପାଳଙ୍କର । ସେ ସ୍ଥିତି ଦେଖି ନିଷ୍ପତି ନେବେ । ନନ୍ଦ କିଶୋର ସାହୁ (ସଭାପତି,ବୁଦ୍ଧେଶ୍ୱର ମନ୍ଦିର ପରିଚାଳନା କମିଟି) ଭୁବନ