କେନ୍ଦ୍ରାପଡା, ୧୫/୧୨/୨୦୨୦(ଓଡ଼ିଶା ସମାଚାର)- ଆମ କେନ୍ଦ୍ରାପଡା ଜିଲ୍ଲା ଆର୍ଥିକ ବିକାଶ କ୍ଷେତ୍ରରେ ୩୦ତମ ସ୍ଥାନରେ ସ୍ଥାନୀତ । ଜିଲ୍ଲାବାସୀଙ୍କର କୃଷି ହିଁ ମୁଖ୍ୟ ଜିବିକା ହୋଇଥିଲେ ମଧ୍ୟ କୃଷି ଭିତିଭୂମିର ଦୁର୍ବଳସ୍ଥିତି ଯଥା ଜଳସେଚନ, ଜଳ ନିଷ୍କାସନ, ଖାଦ୍ୟଶସ୍ୟ ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ଅଭାବ ତଥା ନଦୀଜଳର ଉପଯୁକ୍ତ ସୁପରିଚାଳନା ପାଇଁ ଲୋକେ ଆର୍ଥିକ ଦଃୁସ୍ଥିତି କାରଣରୁ ଦାଦନ ହେବାକୁ ଶ୍ରେୟ ମଣୁଛନ୍ତି । ଜିଲ୍ଲାରେ ଭୂତଳ ଜଳ ସଂକଟ ଚରମ ସ୍ଥିତିରେ ଥିବାବେଳେ ସ୍ଥାନୀୟ ଅଧିବାସୀମାନଙ୍କ ବିରୋଧ ସତ୍ୱେ ପଡୋଶୀ ଜିଲ୍ଲାକୁ ଜଳ ଯୋଗାଇବାର ଯୋଜନା ଜିଲ୍ଲାବାସୀଙ୍କ ପାଇଁ ବିଶ୍ୱାସଘାତକତା ସଦୃଶ । କିନ୍ତୁ ଡ୍ୟାମ ପ୍ରସ୍ତୃତ କରି ଜଳ ସଂରକ୍ଷଣ ପରେ ଅନ୍ୟ ଜିଲ୍ଲାକୁ ଜଳ ଦେବାର ଆପତି ନାହିଁ । ଜିଲ୍ଲାର ଆର୍ଥିକ ବିକାଶ ନିମନ୍ତେ କୃଷି ବ୍ୟବସ୍ଥା ସହିତ ପର୍ଯ୍ୟଟନ ଶିଳ୍ପ, ନଦୀ ଭିତିିକ ବନ୍ଦର ଓ ମାନବ ସମ୍ବଳର ବିକାଶ ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନର ଉନ୍ନତି ହେବା ଆବଶ୍ୟକ । ସ୍ୱାଧୀନତାର ୭୪ ବର୍ଷ ପରେ ଜିଲ୍ଲାବାସୀ ରେଳ ଦେଖିବାର ସୁଯୋଗ ପାଇଥିଲେ ମଧ୍ୟ ଯାତ୍ରୀବାହୀ ରେଳ ନ ଚାଲିବା ପରିତାପର ବିଷୟ । ଜିଲ୍ଲାର ଲୋକପ୍ରତିନିଧି ମାନେ ଦୀର୍ଘବର୍ଷ ଧରି ରାଜ୍ୟ ତଥା ଜାତୀୟ ରାଜନୀତିରେ ପ୍ରଭାବୀ ଭୂମିକା ନିର୍ବାହ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜିଲ୍ଲା ସାମଗ୍ରୀକ ବିକାଶ କ୍ଷେତ୍ରରେ ବହୁ ପଛରେ । ଗତ ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡାର ଉନ୍ନତି ପାଇଁ ନିଜେ ସ୍ୱତନ୍ତ୍ର ଧ୍ୟାନ ଦେବେ ବୋଲି ଘୋଷଣା କରିଥିଲେ । ନିକଟରେ ସରକାର ପଡୋଶୀ ଯାଜପୁର ଏବଂ ପୁରୀ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ନିଷ୍ପତି ନେଇଥିଲେ ମଧ୍ୟ ଏହି ତାଲିକାରୁ କେନ୍ଦ୍ରାପଡା ଜିଲ୍ଲା ବାଦ୍ ପଡିଛି । ଏଣୁ ଶିଳ୍ପବିହୀନ ଏହି କେନ୍ଦ୍ରାପଡା ଜିଲ୍ଲାର ମାନବ ସମ୍ବଳ ବିକାଶ ପାଇଁ ଏକ ମେଡିକାଲ କଲେଜ ସହ ଜଜାଙ୍ଗସ୍ଥିତ ଝୋଟ ଗବେଷଣା କେନ୍ଦ୍ରକୁ ବିଶ୍ୱବିଦ୍ୟାଳୟର ରୂପ ଦେବା ଏବଂ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ସରକାର ନିଷ୍ପତି ନେବା ଆବଶ୍ୟକ । ଜିଲ୍ଲାବାସୀଙ୍କର ଏହି ଦାବି ହାସଲ ନିମନ୍ତେ ଜିଲ୍ଲାର ବୁଦ୍ଧିଜିବୀ, ରାଜନୈତିକ ବ୍ୟକ୍ତିତ୍ୱ, ବ୍ୟବସାୟୀ, ଗଣସଂଗଠନ, ଛାତ୍ର ଯୁବକ ଏକତ୍ରିତ ହୋଇ ଆଗାମୀ ଦିନ ପାଇଁ ଯୋଜନା ପ୍ରସ୍ତୃତ କରିବାକୁ କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟ ସଂପାଦକ ଅଧ୍ୟାପକ ଅଜୟ ସାମଲ ଆହ୍ୱାନ ଦେଇଛନ୍ତି । ଓଡ଼ିଶା ସମାଚାର