Saturday , October 23 2021
Home / ରାଜନୀତି / ସମ୍ବଲପୁରରେ କଂଗ୍ରେସ ପର୍ଯ୍ୟବେକ୍ଷକ ଡଃ ଜ୍ଞାନେନ୍ଦ୍ର

ସମ୍ବଲପୁରରେ କଂଗ୍ରେସ ପର୍ଯ୍ୟବେକ୍ଷକ ଡଃ ଜ୍ଞାନେନ୍ଦ୍ର

ତୃଣମୂଳସ୍ତରରୁ ସଂଗଠନକୁ ମଜଭୁତ କରାଯିବ
ସମ୍ବଲପୁର, ୧୪/୧୨/୨୦୨୦(ଓଡ଼ିଶା ସମାଚାର)- ସମ୍ବଲପୁର ଜିଲ୍ଲା କଂଗ୍ରେସ ନିମନ୍ତେ ନବନିଯୁକ୍ତ ପର୍ଯ୍ୟବେକ୍ଷକ ବରିଷ୍ଠ କଂଗ୍ରେସ ନେତା ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ତାଙ୍କର ଏକ ଦୁଇଦିନିଆ ଜିଲ୍ଲାଗ୍ରସ୍ତ କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ପହଂଚିଛନ୍ତି । ଜିଲ୍ଲା କଂଗ୍ରେସ ସଭାପତି ଅଶ୍ୱିନୀ ଗୁରୁ, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ତ୍ରିପାଠୀ, ଶ୍ରୀମତୀ ସସ୍ମିତା ଦେହୁରୀ, ପ୍ରେମପ୍ରକାଶ ସାହାଣୀ, ତି୍ରଲୋଚନ ପୁରୋହିତ, ବିଜୟଲକ୍ଷ୍ମୀ ବେହେରା, ସୁତପା ମିଶ୍ର ପ୍ରମୁଖ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ଡଃ ଜ୍ଞାନେନ୍ଦ୍ରଙ୍କୁ ସ୍ୱାଗତ କରିଥିଲେ । ସେ ଆସିବା ବାଟରେ ରେଢାଖୋଲ ବ୍ଲକ ଓ ଏନ୍.ଏ.ସି., ନାକଟିଦେଉଳ ବ୍ଲକ, ମାନେଶ୍ୱର ବ୍ଲକ ଓ ଜୁଜୁମରା ବ୍ଲକର ବରିଷ୍ଠ କଂଗ୍ରେସ ନେତୃବୃନ୍ଦ, ପୂର୍ବତନ ବ୍ଲକ କଂଗ୍ରେସ, ନଗର କଂଗ୍ରେସ ଓ ଜୋନ୍ କଂଗ୍ରେସ ନେତୃବୃନ୍ଦଙ୍କ ସହ ସଂକ୍ଷୀପ୍ତ ବୈଠକମାନ ସାରି ଦେଇଛନ୍ତି ବୋଲି ଜିଲ୍ଲା ସଭାପତି ଶ୍ରୀ ଗୁରୁଙ୍କ ସୂତ୍ରରୁ ପ୍ରକାଶ । ଆଜି ସନ୍ଧ୍ୟାରେ ଧନକଉଡ଼ା ବ୍ଲକ ସମ୍ବଲପୁର ନଗର କଂଗ୍ରେସ, ହୀରାକୁଦ ଓ ବୁର୍ଲା ନଗର କଂଗ୍ରେସ ନେତୃବୃନ୍ଦ, କର୍ମୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସୋମବାର ଜାମନକିରା, ରେଙ୍ଗାଲି, କୁଚିଣ୍ଡା ବ୍ଲକ ଓ ନଗର କଂଗ୍ରେସ, ବାମରା ବ୍ଲକ କଂଗ୍ରେସର ବରିଷ୍ଠ ନେତୃବୃନ୍ଦ ଓ କର୍ମୀମାନଙ୍କ ସହ ଆଲୋଚନାର କାର୍ଯ୍ୟକ୍ରମ ରହିଛି ବୋଲି ଡଃ ଜ୍ଞାନେନ୍ଦ୍ରଙ୍କ ସୂତ୍ରରୁ ପ୍ରକାଶ ।
ଏହି ଅବସରରେ ସାମ୍ବାଦିକମାନଙ୍କର ବିଭିନ୍ନ ପ୍ରଶ୍ନର ଉତରରେ ଡଃ ଜ୍ଞାନେନ୍ଦ୍ର କହିଲେ ଯେ, ତୃଣମୂଳସ୍ତରରୁ ଉପଯୁକ୍ତ କର୍ମୀଙ୍କୁ ଉପଯୁକ୍ତ ଦାୟିତ୍ୱ ଦେବା ପାଇଁ କଂଗ୍ରେସ ତାର କାର୍ଯ୍ୟକ୍ରମ ହାତକୁ ନେଇଛି । ୨୦ ବର୍ଷ ହେବ କଂଗ୍ରେସ ଦଳ ହୁଏତ ଶାସନରେ ନଥାଇପାରେ, କିନ୍ତୁ କଂଗ୍ରେସ କର୍ମୀମାନେ ସାଧାରଣ ଜନତାଙ୍କ ଦୁଃଖ ସୁଖରେ ରହିଛନ୍ତି । ରାଜ୍ୟରେ ବିଗତ ୨୦ ବର୍ଷ ଶାସନରେ ବିକାଶ ନାମରେ ବିନାଶ ହୋଇଛି । ଛାତ୍ର ଠାରୁ ଯୁବକ, ଶ୍ରମିକ ଓ କୃଷକ ପର୍ଯ୍ୟନ୍ତ ସମସ୍ତେ ଦିଶାହୀନ ଅବସ୍ଥାରେ ରହିଛନ୍ତି । ରାଜ୍ୟର ବେକାରୀ ଅବସ୍ଥା ଅସମ୍ଭାଳ । କିନ୍ତୁ ସରକାରଙ୍କର ସେଥିପ୍ରତି ଚିନ୍ତା ନାହିଁ । କରୋନା ମହାମାରୀ ନାମରେ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଲୁଟ ହୋଇଛି ବୋଲି ଡଃ ଜ୍ଞାନେନ୍ଦ୍ର କହିଥିଲେ ।
ବିଜେପି ଦଳ ଆଚ୍ଛାଦିନ ନାମରେ ପେଟ୍ରୋଲ ଦର ୮୫ ଟଙ୍କାରେ ପହଂଚାଇଲାଣି, ବିମୁଦ୍ରୀକରଣ କରି ଭାରତୀୟ ଅର୍ଥନୀତିକୁ ପ୍ରଧାନମନ୍ତ୍ରୀ ଧ୍ୱଂସ କରିଦେବା ପରେ ମଧ୍ୟ ଭାରତବାସୀଙ୍କୁ ଭୂଆଁ ବୁଲାଉଛନ୍ତି । ରାମମନ୍ଦିର, ନୂଆ ସାଂସଦ ଭବନ ହୋଇଗଲେ ଯୁବକଙ୍କୁ ଚାକିରି ମଳିଯିବ କି ବୋଲି ସେ ପ୍ରଶ୍ନ କରିଥିଲେ । କେନ୍ଦ୍ରରେ ଓ ରଜ୍ୟରେ ଏକ ଦିଶାହୀନ କୃଷକ ଶ୍ରମିକ ଯୁବକଙ୍କ ବିରୋଧୀ ସରକାର ଚାଲିଛି ବୋଲି ସେ କହିବା ସହ ସରକାରଙ୍କୁ କ୍ରିୟାଶୀଳ କରିବା ପାଇଁ କଂଗ୍ରେସ ଦଳ ତା କାର୍ଯ୍ୟକ୍ରମକୁ ଜାରି ରଖିଛି ବୋଲି ଡଃ ଜ୍ଞାନେନ୍ଦ୍ର କହିଥିଲେ । ଓଡ଼ିଶା ସମାଚାର

About admin

Check Also

ମମିତା ମେହେର ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ହେଉ : ଓନାସ

ଭୁବନେଶ୍ୱର,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ମମିତା ମେହେର ହତ୍ୟାକାଣ୍ଡ ଘଟଣାର ନିରପେକ୍ଷ ତଦନ୍ତ କରିବା ପାଇଁ ରାଜ୍ୟ ସରକାରଙ୍କୁ ଓଡ଼ିଶା ନାଗରିକ ସମାଜ …

Leave a Reply

Your email address will not be published. Required fields are marked *