ଭୁବନେଶ୍ୱର, ୧୪/୧୨/୨୦୨୦ (ଓଡ଼ିଶା ସମାଚାର)-ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଲିଙ୍ଗରାଜ ମନ୍ଦିର ସ୍ଵତନ୍ତ୍ର ଆଇନ୍କୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏଥିସହ ପୁରୀ ଓ ଯାଜପୁରରେ ମେଡିକାଲ କଲେଜ୍ ପ୍ରତିଷ୍ଠା ପାଇଁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି।
ଶ୍ରୀ ଲିଙ୍ଗରାଜ ମନ୍ଦିର ପରିଚାଳନା ଓ ସୁଶାସନକୁ ଦୃଷ୍ଟିରେ ରଖି ଏହାର ପରିଚାଳନା ଦାୟିତ୍ଵ ଏକ କମିଟିକୁ ଦେବା ନେଇ ଅଧ୍ୟାଦେଶକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏହା ଦ୍ଵାରା ମନ୍ଦିରର କାର୍ୟ୍ୟଗୁଡିକର ଉତ୍ତମ ଓ ସଠିକ୍ ପରିଚାଳନା ହେବା ସହିତ ତୀର୍ଥଯାତ୍ରୀ, ଭକ୍ତ ଓ ଉପାସକମାନଙ୍କୁ ଉନ୍ନତ ସୁବିଧା ଯୋଗାଇ ଦିଆଯିବ। ଏହା ମନ୍ଦିରର ସଂପତ୍ତି ସୁରକ୍ଷିତ ରଖିବା ପାଇଁ କମିଟିକୁ ସଶକ୍ତ କରିବ।
ଅଧ୍ୟାଦେଶରେ ମନ୍ଦିର ସୁପରିଚାଳନା ନେଇ ବିସ୍ତୃତ ବ୍ୟବସ୍ଥା କରାଯାଇଛି। ଅଧ୍ୟାଦେଶରେ ପରିଚାଳନା କମିଟି ଗଠନ, ସଭ୍ୟ ସଂଖ୍ୟା ବ୍ୟବସ୍ଥା, କମିଟିର ଦାୟିତ୍ଵ ଓ କ୍ଷମତା, ମନ୍ଦିର ସଂପତ୍ତି ସୁରକ୍ଷା ନେଇ ବ୍ୟବସ୍ଥା, ମନ୍ଦିରର ସ୍ଥାବର ଓ ଅସ୍ଥାବର ସଂପତ୍ତିର ସୁରକ୍ଷା ଏବଂ ପରିଚାଳନା, ସେବକ ମାନଙ୍କ ଭୂମିକା ଓ ଦାୟିତ୍ଵ, ମନ୍ଦିର ପାଣ୍ଠିର ଗଠନ ଓ ପରିଚାଳନା ଇତ୍ୟାଦି ରହିଛି।ଶ୍ରଲିଙ୍ଗରାଜ ମନ୍ଦିର, ଏହାର ସମ୍ପତ୍ତି ଓ ପରିସର ମଧ୍ୟରେ ଓ ବାହାରେ ଥିବା ଅନ୍ୟମନ୍ଦିର, ପବିତ୍ର ସ୍ଥାନ ଓ ମଠ ସମ୍ପର୍କିତ ବ୍ୟପାରଗୁଡ଼ିକର ସୁପରିଚାଳନା ଓ ସୁଶାସନକୁ ଦୃଷ୍ଟିରେ ରଖି ଏହାର ପରିଚାଳନା ଦାୟିତ୍ୱ ଏକ କମିଟିକୁ ନ୍ୟସ୍ତ କରିବା ନିମନ୍ତେ ଏହି ଅଧ୍ୟାଦେଶ ରେ ରହିଛି। ଗତ ୨ ତାରିଖରେ ଲିଙ୍ଗରାଜ ମନ୍ଦିର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ଆଇନ ପ୍ରଣୟନ ସମ୍ପର୍କରେ ଘୋଷଣା କରିଥିଲେ । ଏହି ଆଇନ ଲାଗୁ ହେଲେ ଲିଙ୍ଗରାଜ ମନ୍ଦିରର ସମସ୍ତ ନୀତିକାନ୍ତି ଠାରୁ ଆରମ୍ଭ କରି ଆୟ ଓ ବ୍ୟୟ ଦାୟିତ୍ବ ମନ୍ଦିର ପ୍ରଶାସନ ନେବ। ଶ୍ରୀମନ୍ଦିର ଭଳି ଏଠାରେ ମଧ୍ୟ ଜଣେ ମୁଖ୍ୟ ପ୍ରଶାସକ ରହିବେ। ମନ୍ଦିରକୁ ସରକାରୀ ଅନୁଦାନ ନିୟମିତ ମିଳିବ। ମନ୍ଦିର ଉନ୍ନତିମୂଳକ କାମ ପାଇଁ ବିଭିନ୍ନ ସମୟରେ ତ୍ବରିତ ପଦକ୍ଷେପ ନିଆଯାଇପାରିବ। କ୍ୟାବିନେଟ ବୈଠକ ପରେ ଏ ସମ୍ପର୍କରେ ଜଣାପଡ଼ିବା ପରେ ସେବାୟତ ଓ ସାଧାରଣ ଜନତାଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ଖୁସିରେ ହଜାର ହଜାର ଦୀପ ଦାନ କରି ଉତ୍ସବ ପାଳନ କରିଛନ୍ତି ।
ଏଥିସହ ପୁରୀ, ଯାଜପୁରରେ ମେଡିକାଲ କଲେଜ ନେଇ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ପୁରୀରେ ୧୦୦ ସିଟ୍ କଲେଜ ଓ ୬୫୦ ଶଯ୍ୟାର ହସ୍ପିଟାଲ ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଛି। ପୁରୀ ମେଡିକାଲ କଲେଜ ପାଇଁ ୨୨୪ କୋଟି ୫୫ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି। ସେହି ପରି ଯାଜପୁରରେ ୧୦୦ ସିଟ୍ କଲେଜ ଓ ୫୦୦ ଶଯ୍ୟାର ହସ୍ପିଟାଲ କରାଯିବ। ମେଡିକାଲ କୋଠା ଓ ଭିତ୍ତିଭୂମି ପାଇଁ ଖର୍ଚ୍ଚ ହେବ ୪୨୬ କୋଟି ୫୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଉଭୟ ମେଡିକାଲ କଲେଜ୍ର ନିର୍ମାଣ ତିନି ବର୍ଷ ଭିତରେ ସାରିବାକୁ ଲକ୍ଷ୍ୟ ନିର୍ଦ୍ଧାରିତ କରାଯାଇଛି। ଓଡ଼ିଶା ସମାଚାର