ଭୁବନ ୧୪/୧୨/୨୦୨୦(ଓଡ଼ିଶା ସମାଚାର)-ଭୁବନ ଅଂଚଳରେ ଦିନକୁ ଦିନ ଲୁଟତରାଜ,ଛିନତାଇ ଘଟଣା ବୃଦ୍ଧି ପାଉଥିବା ଅଭିଯୋଗ ହୋଇଆସୁଥିବା ବେଳେ ଆଜି ମଧ୍ୟାହ୍ନ ସାଢେ ୧୨ ଘଟିକା ସମୟରେ ଜଣେ ଟ୍ରଲିଚାଳକ ଙ୍କ ଠାରୁ ଦୁର୍ବୃତ ମାନେ ୪୦ ହଜାର ଟଙ୍କା ଛଡାଇ ନେଇଥିବା ସଂପର୍କରେ ଥାନାରେ ଅଭିଯୋଗ ହୋଇଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ,ଭୁବନ ଏନଏସି ଅନ୍ତର୍ଗତ ୨ ନମ୍ବର ୱାର୍ଡ ନଟାକଟା କଲୋନୀର କୈଳାସ ଦାସ (୫୭) ନାମକ ଜଣେ ଟ୍ରଲିଚାଳକ ଘର କାମ କରିବା ନିମନ୍ତେ ଜାତୀୟ ରାଜପଥ ସଂପ୍ରସାରଣରେ ନିଜ ଘର ବାବଦ ପାଇଥିବା କ୍ଷତିପୂରଣ ରାଶିରୁ ନୂଆବଜାର ସ୍ଥିତ କାନାରା ବ୍ୟାଙ୍କରୁ ୨୦ ହଜାର ଓ ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ରରୁ ୨୦ ହଜାର ଟଙ୍କା ଉଠାଇ ଗୁଜୁରିହାଟରେ ସଉଦା କିଣୁଥିବା ବେଳେ ୩ ଜଣ ଦୁର୍ବୃତ ଏକ ନାଲିରଙ୍ଗର ହୋଣ୍ଡା ୟୁନିକର୍ଣ୍ଣ ମୋଟର ସାଇକେଲରେ ଆସି ତାଙ୍କ ସାଇକେଲରେ ଟଙ୍ଗା ହୋଇଥିବା ଟଙ୍କା ବ୍ୟାଗ ଛଡାଇ ନେଇ ଦ୍ରୁତ ଗତିରେ ପଳାଇ ଯାଇଥିଲେ । ଟ୍ରଲିଚାଳକ ଶ୍ରୀ ଦାସ ଏ ସଂପର୍କରେ ଭୁବନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଚଳାଇଛି । ଓଡ଼ିଶା ସମାଚାର