Wednesday , October 5 2022
Breaking News
Home / ବିଶେଷ / ଚିତ୍ରଶିଳ୍ପୀ ବସନ୍ତ ପଣ୍ଡା ଓ ଅସୀମ ବସୁଙ୍କ ଜୀବନୀ ସମ୍ପର୍କିତ ଆଲୋଚନା ଚକ୍ର

ଚିତ୍ରଶିଳ୍ପୀ ବସନ୍ତ ପଣ୍ଡା ଓ ଅସୀମ ବସୁଙ୍କ ଜୀବନୀ ସମ୍ପର୍କିତ ଆଲୋଚନା ଚକ୍ର

ଭୁବନେଶ୍ୱର, ୧୪/୧୨/୨୦୨୦ (ଓଡ଼ିଶା ସମାଚାର)-ଓଡ଼ିଶାର ଦୃଶ୍ୟକଳାର ବରପୁତ୍ର ସ୍ୱର୍ଗତ ବସନ୍ତ କୁମାର ପଣ୍ଡା ଏବଂ ଧର୍ମପଦ ପୁରସ୍କାରପ୍ରାପ୍ତ ଶିଳ୍ପୀ ଅସୀମ ବସୁଙ୍କ ଜୀବନୀଶୈଳୀ ଓ କାର୍ୟ୍ୟଧାରା ସମ୍ବଳିତ ଏକ ଅନଲାଇନ୍ ଆଲୋଚନାଚକ୍ର ‘ଭୋଗରାଇ ଆର୍ଟିଷ୍ଟ ଆସୋସିଏସନ’ ଦ୍ୱାରା ଆୟୋଜିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ବରିଷ୍ଠ ଶିଳ୍ପୀ ତଥା ଓଡ଼ିଶା ଲଳିତକଳା ଏକାଡ଼େମୀର ପୂର୍ବତନ ସଭାପତି ଜଗଦୀଶ ଚନ୍ଦ୍ର କାନୁନଗୋ ମୁଖ୍ୟବକ୍ତା, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଚିତ୍ର ବିଭାଗର ଅଧ୍ୟାପକ ପ୍ରବୀର କୁମାର ଦଳାଇ, ସ୍ୱର୍ଗତ ବସନ୍ତ ପଣ୍ଡାଙ୍କ ନାତି ଚିତ୍ରଶିଳ୍ପୀ ସଂଗ୍ରାମ କର ଏବଂ ଅସୀମ ବସୁଙ୍କ କନ୍ୟା ଚିତ୍ରଶିଳ୍ପୀ ଆତସୀ ବସୁ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଉଭୟ ଚିତ୍ରଶିଳ୍ପୀଙ୍କ ଓଡ଼ିଶାର କଳା କ୍ଷେତ୍ରକୁ ଅବିସ୍ମରଣୀୟ ଯୋଗଦାନ ଥିବା ମତପ୍ରକାଶ କରିଥିଲେ । ଓଡ଼ିଶାର ପ୍ରଥମ ପିଢୀର ପ୍ରମୁଖ ଚିତ୍ରଶିଳ୍ପୀ ବସନ୍ତ ପଣ୍ଡାଙ୍କ ଚିତ୍ରଶୈଳୀ ଯୁବଶିଳ୍ପୀଙ୍କୁ ଅନୁପ୍ରାଣିତ କରିବା ସହ ଶିଳ୍ପୀ ଅସୀମ ବସୁଙ୍କ ମଂଚସଜ୍ଜା, ବହିମଲାଟ ଓ ଚିତ୍ରକଳା ଓଡ଼ିଶାର କଳା କ୍ଷେତ୍ରରେ ଏକ ନୂତନ ଦୃଷ୍ଟିଭଙ୍ଗୀ ସୃଷ୍ଟି କରିବାରେ ସହାୟକ ହେବ ବୋଲି ଉଲ୍ଲେଖ କରିଥିଲେ । ଉଭୟ ଚିତ୍ରଶିଳ୍ପୀ ତାଙ୍କ ସମୟରେ ଅନେକ ସମ୍ମାନ ଓ ପୁରସ୍କାରରେ ପୁରସ୍କୃତ ହୋଇ ଓଡ଼ିଶାର ଗୌରବ ବଢାଇଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ସଭାପତି ଚିତ୍ରଶିଳ୍ପୀ ପଂଚାନନ ସାମଲ ଅତିଥି ପରିଚୟ ପ୍ରଦାନ ସହିତ ଆଗାମୀ ଦିନରେ ଅନୁଷ୍ଠାନ କଳା ଓ ଚିତ୍ରଶିଳ୍ପୀଙ୍କ ପାଇଁ କାମ କରିବାକୁ ସଂକଳ୍ପବଦ୍ଧ ବୋଲି କହିଥିଲେ । ଏହି ଅବସରରେ ଦିଲ୍ଲୀର ଚିତ୍ରଶିଳ୍ପୀ ତଥା ଅନୁଷ୍ଠାନର ପରାମର୍ଶଦାତା ଶିଳ୍ପୀ ଅନୁପ କୁମାର ଚାନ୍ଦ କାର୍ୟ୍ୟକ୍ରମ ପରିଚାଳନା କରିଥିବା ବେଳେ ସମ୍ପାଦକ ଚନ୍ଦନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଆଲୋଚନାରେ ଚିତ୍ରଶିଳ୍ପୀ ଅରୁଣ କୁମାର ଜେନା, ସଞ୍ଜୟ ପରିଡ଼ା, ସସ୍ମିତା କାମିଳା, ଚନ୍ଦନ କୁମାର ସାମଲ, ହରିଚନ୍ଦନ ଶତପଥୀ, କାଳିକିଙ୍କର ଦେ, ରବିନ୍ଦ୍ର ସାହୁ, ସୁବ୍ରତ ଦତ, ଦିଲ୍ଲୀପ ଗିରି, ଖୋକନ ସରକାର, ଉତମ ଦତ, ବିଦ୍ୟତ୍ ମାହାନା ଶିବାନୀ ଶଙ୍କର ଜେନା, ପପୁ କର, ସରିତ ସପନ ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରି ଶିଳ୍ପୀଙ୍କ କାଳକୃତି ଗୁଡ଼ିକର ଚର୍ଚ୍ଚା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.