ପାଟକୁରା,୧୩/୧୨/୨୦୨୦(ଓଡ଼ିଶା ସମାଚାର)- ଗ୍ରାମ୍ୟ ମାଟି ରାସ୍ତାଟି ଅତ୍ୟନ୍ତ ସଂକିର୍ଣ୍ଣ ହୋଇ ପଡିଥିବାବେଳେ,ଏହି ରାସ୍ତାରେ ଯାତାୟତ କରିବା କଷ୍ଟକର ହୋଇପଡୁଛି । ଏହି ସଂକିର୍ଣ୍ଣ ମାଟିରାସ୍ତାକୁ ସବୁଦିନିଆ ଢଳେଇ ରାସ୍ତା ନିର୍ମାଣ କରାଯିବା ପାଇଁ ଗ୍ରାମର ଲୋକମାନେ ପ୍ରଶାସନଙ୍କ ନିକଟରେ ଦାବି ଜଣାଇଛନ୍ତି । ପ୍ରକାଶ ଯେ,ଗରଦପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଂଚାୟତର ବିଚଣା ଗ୍ରାମର ମଙ୍ଗଳା ମନ୍ଦିର ନିକଟରୁ ଗୋପାଳ ପରିଡାଙ୍କ ଘର ପର୍ଯ୍ୟନ୍ତ ଗ୍ରାମ୍ୟ ରାସ୍ତାକୁ ବହୁ ଦିନ ପୂର୍ବରୁ ଢଳେଇ ରାସ୍ତା ନିର୍ମାଣ କରାଯାଇଛି । ଗୋପାଳ ପରିଡାଙ୍କ ଘର ଠାରୁ ସାମଲ ସାହିକୁ ସଂଯୋଗ ରହିଥିବା ପ୍ରାୟ୧୦୦ମିଟର ମାଟି ରାସ୍ତାଟି ଅତ୍ୟନ୍ତ ସଂକିର୍ଣ୍ଣ ହୋଇପଡିଛି । ଏହି ସ୍ଥାନରେ ରାସ୍ତାର ଉଭୟ ପାଶ୍ୱର୍ରୁ ଲଟାଗଛମାନ ମାଡିଯାଇଥିବାରୁ ରାସ୍ତାରେ ଯାତାୟତ କରିବା ଲୋକମାନଙ୍କର ଅସୁବିଧା ସୃଷ୍ଟି ହେଉଛି । ଏହି ରାସ୍ତା ଦେଇ ବାଇକ୍ ଯାତାୟତ କରିବା ମଧ୍ୟ କଷ୍ଟକର ହୋଇପଡୁଛି । ସେହିପରି ଏହି ରାସ୍ତାର ଅପରପାଶ୍ୱର୍ରୁ ଦୂର୍ଗା ମନ୍ଦିର ଠାରୁ ପୋଖରୀ ହୁଡା ମଧ୍ୟ ଦେଇ ଗ୍ରାମ ମଧ୍ୟକୁ ସଂଯୋଗ କରୁଥିବା ପ୍ରାୟ ୨୦୦ ମିଟରର ମାଟି ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ବର୍ଷା ଦିନମାନଙ୍କରେ ଏହି ମାଟି ରାସ୍ତା ମଧ୍ୟ ଦେଇ ଯାତାୟତ କରିବା ବହୁ କଷ୍ଟକର ହୋଇପଡିଥାଏ । ଗ୍ରାମ ମଧ୍ୟକୁ ଯାଇଥିବା ଏହି ରାସ୍ତାର ଉଭୟ ପାଶ୍ୱର୍କୁ ସବୁ ଦିନିଆ ଢଳେଇ ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମର ବୁଦ୍ଧିଜିବୀ ଲୋକମାନେ ବହୁବାର ବ୍ଲକ ପ୍ରଶାସନଙ୍କ ନିକଟରେ ଆପତି ଜଣାଇବା ସହିତ ପାଟକୁରା ବିଧାୟିକାଙ୍କ ପ୍ରତିନିଧିଙ୍କ ଠାରେ ଗୁହାରି କରିଥିଲେ ମଧ୍ୟ ସମ୍ପୃକ୍ତ ରାସ୍ତାଟି ଶୋଚନିୟ ହୋଇପଡିଛି । ଏ ନେଇ ପଦ୍ମପୁର ପଂଚାୟତର ସରପଂଚ ସ୍ୱର୍ଣ୍ଣଲତା ରାଉତଙ୍କୁ ପଚାରିବାରେ ସେ କହନ୍ତି ଯେ,ସମ୍ପୃକ୍ତ ରାସ୍ତା ଅତି ଶୋଚନୀୟ ହୋଇପଡିଛି । ଏହି ରାସ୍ତାଟି ଢଳେଇ ହେବା ଅତ୍ୟନ୍ତ ଆବଶ୍ୟକ,ମାତ୍ର ପାଟକୁରା ବିଧାୟିକାଙ୍କ ଅନୁଦାନକୁ ଅପେକ୍ଷା କରାଯାଇ ରାସ୍ତା ନିର୍ମାଣରେ ବିଳମ୍ବ ହୋଇଛି । ବିଧାୟିକାଙ୍କ ଅନୁଦାନ ମିଳିବାରେ ବିଳମ୍ବ ହେଉ ଥିବାରୁ ପଂଚାୟତ ଅର୍ଥରେ ଏହି ସଂକିର୍ଣ୍ଣ ରହିଥିବା ମାଟି ରାସ୍ତାକୁ ଅଗ୍ରାଧିକାର ଦିଆଯାଇ ଢଳେଇ କରାଯିବ ବୋଲି ସରପ ଶ୍ରୀମତୀ ରାଉତ ପ୍ରକାଶ କରିଛନ୍ତି । ଏହି ମାଟି ରାସ୍ତାକୁ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଢଳେଇ ରାସ୍ତା ନିର୍ମାଣ କରାଯିବା ପାଇଁ ଗ୍ରାମର ସଞ୍ଜୟ କୁମାର ପରିଡା,ବିଜୟ କୁମାର ପରିଡା,କରୁଣାକର ସାହୁ,କଣ୍ଡୁରୀ ଚରଣ ପରିଡା ଓ ଦାମୋଦର ପରିଡା ପ୍ରମୁଖ ପ୍ରଶାସନଙ୍କ ନିକଟରେ ଦାବି ଜଣାଇଛନ୍ତି । ଓଡ଼ିଶା ସମାଚାର