ଭୁବନେଶ୍ୱର, ୧୨/୧୨/୨୦୨୦ (ଓଡ଼ିଶା ସମାଚାର)- ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଶନିବାର ୧୨ ଡ଼ିସେମ୍ବରରେ ଦେଶବ୍ୟାପୀ ଟୋଲପ୍ଲାଜା ସମ୍ମୁଖରେ କୃଷକମାନଙ୍କ ବିକ୍ଷୋଭ ପ୍ରଦର୍ଶନ ପାଇଁ ଡ଼ାକରା ଆସିଛି । ଓଡ଼ିଶାରେ ବିଭନ୍ନ ସ୍ଥାନରେ ଥିବା ଟୋଲପ୍ଲାଜା ସମ୍ମୁଖରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବ । ରାଜଧାନୀ ନିକଟବର୍ତୀ ପିପିଲି ଟୋଲପ୍ଲାଜା ଗେଟ୍ ସମ୍ମୁଖରେ କୃଷକମାନଙ୍କର ବିକ୍ଷୋଭ ପ୍ରଦର୍ଶନ ହେବ ବୋଲି କୁହାଯାଇଛି । ଠିକ୍ ସେହିଭଳି ୧୪ ଡ଼ିସେମ୍ବରରେ ସାରା ଦେଶରେ ଜିଲ୍ଲାପାଳ/ଉପଜିଲ୍ଲାପାଳ ଅଫିସ୍ ମାନଙ୍କ ସମ୍ମୁଖରେ ଦିନସାରା ଗଣଧାରଣା ପ୍ରଦର୍ଶନ କରାଯିବ । ଓଡ଼ିଶାରେ ଏହି ଗଣଧାରଣା ପ୍ରଦର୍ଶନ କରିବା ପାଇଁ କୃଷକ ସଂଗଠନମାନଙ୍କର ବ୍ୟାପକ ପ୍ରସ୍ତୁତି ଚାଲିଛି । ଶୁକ୍ରବାର ଭୁବନେଶ୍ୱର ନେତାଜୀ ଭବନଠାରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ତରଫରୁ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ କୃଷକ ସଂଘର୍ଷ ସମନ୍ୱୟ ସମିତିର ରାଜ୍ୟ ନେତୃବୃନ୍ଦ କହିଛନ୍ତି ଯେ, ଡ଼ିସେମ୍ବର ମାସର ହାଡ଼ଭଙ୍ଗା ଶୀତରେ ଲକ୍ଷ ଲକ୍ଷ କୃଷକ ଦିଲ୍ଲୀ ଚତୁଃପାଶ୍ୱର୍ରେ ୧୫ ଦିନ ଧରି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ଭିତରେ ୮ ଡ଼ିସେମ୍ବରରେ ଆହୂତ ଭାରତ ବନ୍ଦ ସାରା ଦେଶରେ ଅଦ୍ଭୁତପୂର୍ବ ଭାବରେ ସଫଳ ହୋଇଛି । କୃଷକମାନଙ୍କର ଦାବି ପ୍ରତି ଦେଶବାସୀଙ୍କର ଅକୁଣ୍ଠ ସମର୍ଥନ ଏବଂ ଲଗାତର ଆନ୍ଦୋଳନ ସେ୍ୱ ମୋଦି ସରକାର କୃଷକମାନଙ୍କର ଦାବି ମାନୁନାହାଁନ୍ତି । ମୋଦି ସରକାର ଆଣିଥିବା କୃଷକ ବିରୋଧୀ ତିନୋଟି କୃଷି ଆଇନ୍ ରଦ୍ଧ କରିବା ଏବଂ ଜନିବିରୋଧୀ ବିଦୁ୍ୟତ୍ ବିଲ୍ କୁ ପ୍ରତ୍ୟାହାର କରିବା ଦାବିରେ ଏହି ଅନ୍ଦୋଳନ ଚାଲିଛି । କୋଟି କୋଟି ଅନ୍ନଦାତାମାନଙ୍କର ଦାବିକୁ ମୋଦି ସରକାର କର୍ଣ୍ଣପାତ ନ କରି ଆଦାନୀ ଓ ଆମ୍ବାନୀ ଭଳି କର୍ପୋରେଟ ପାଖରେ ନିଜକୁ ଆତ୍ମସମର୍ପଣ କରିଛନ୍ତି । କେନ୍ଦ୍ର ସରକାରଙ୍କର ଏହି କିଷାନ ବିରୋଧୀ ଏବଂ କର୍ପୋରେଟ ସପକ୍ଷବାଦୀ କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରହିବ ବୋଲି ସର୍ବଭାରତୀୟସ୍ତରରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଘୋଷଣା କରିଛନ୍ତି । ୧୨ ଡ଼ିସେମ୍ବର ଆନ୍ଦୋଳନରେ ଟୋଲପ୍ଲାଜା ଗୁଡ଼ିକରେ ଜନସାଧାରଣ ଟୋଲ ଟିକସ ଦିଅନ୍ତୁ ନାହିଁ ବୋଲି ଡ଼ାକରା ଦେଇ ଆନ୍ଦୋଳନ ଚାଲିବ । ରିଲାଏନ୍ସ ପେଟ୍ରୋଲପମ୍ପ, ଜିଓ ଟେଲିଫୋନ୍ ନେଟୱାର୍କ, ଆଦାନୀ-ଆମ୍ବାନୀ ସପିଂମଲ୍ ଏବଂ ସେମାନଙ୍କର ଉତ୍ପାଦ ସାମଗ୍ରୀଗୁଡ଼ିକୁ ଦେଶବାସୀ ପ୍ରତ୍ୟାଖ୍ୟାନ କରିବା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ଆବେଦନ ଜଣାଇଛନ୍ତି । ସାରା ଦେଶର ଏହି କୃଷକ ଆନ୍ଦୋଳନ ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚାର ସମସ୍ତ ନିଷ୍ପତିକୁ କୃଷକ ସଂଘର୍ଷ ସମନ୍ୱୟ ସମିତି, ଓଡ଼ିଶା ତରଫରୁ ସମର୍ଥନ ଘୋଷଣା କରାଯାଇଛି । ଗତକାଲି ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି, ଓଡ଼ିଶା ଶାଖାର ଏକ ଭର୍ଚୁଆଲ ସଭା ଅନୁଷ୍ଠିତ ହୋଇ ଏହି ସଂକ୍ରାନ୍ତରେ ପ୍ରସ୍ତାବ ପାରିତ ହେବା ସହିତ ଓଡ଼ିଶାରେ କୃଷକ ଆନ୍ଦୋଳନକୁ ଶକ୍ତିଶାଳୀ କରିବା ପାଇଁ କୃଷି ଶ୍ରମିକ, ଶ୍ରମିକ, ମହିଳା, ଯୁବଛାତ୍ର ଏବଂ ସମସ୍ତ ଜନବାଦୀ ରାଜନୈତିକ ଦଳମାନଙ୍କର ସହଯୋଗ ପାଇଁ ନିବେଦନ କରାଯାଇଛି । ଓଡ଼ିଶା ସମାଚାର