ଛତିଶଗଡ଼ ଭଳି ବୋନସ ଦିଅ,ଚାଷୀଙ୍କୁ କାଳିଆ ଟଙ୍କା ୧୦ ହଜାର ଦିଅ
ଭୁବନେଶ୍ୱର, ୧୧/୧୨/୨୦୨୦ (ଓଡ଼ିଶା ସମାଚାର)- ସାରା ଭାରତରେ ଚାଷୀ ଆନ୍ଦୋଳନ ଚର୍ଚ୍ଚିତ ହୋଇଥିବା ବେଳେ ଓଡ଼ିଶା ସରକାର ଚାଷୀଙ୍କର କଳାକାନୁନ୍ ବିରୋଧୀ ଲଢେଇରେ ହଁ ନାଁ ନକହି ନୀରବ ରହି, ପରେ ଚାଷୀଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ ଦୁଇଗୁଣ କରିବାକୁ କ୍ୟାବିନେଟରେ ସଂକଳ୍ପ କରିବା ଅଭିନନ୍ଦନୀୟ । କିନ୍ତୁ ଏଭଳି ପ୍ରସ୍ତାବ ପଛରେ ଆନ୍ତରିକତା ନରହିବା ଏବଂ ଏହି ଦାବି କାର୍ଯ୍ୟକାରୀ ପାଇଁ ବିଗତ ଦିନରେ ରାଜ୍ୟ ସରକାର ଉଦ୍ୟମ ନ କରିବା ତାଙ୍କର ଏହି ଘୋଷଣାକୁ ପାଣିଚିଆ କରିଛି । ଯଦି ରାଜ୍ୟ ସରକାର ସତରେ କୃଷକମାନଙ୍କ ପ୍ରତି ଦରଦ ପୋଷଣ କରୁଥାନ୍ତି, ତେବେ ପ୍ରଥମେ ଛତିଶଗଡ଼ ଢାଂଚାରେ କୁଇଂଟାଲ ପିଛା ୧୧୦୦ ଲେଖାଏଁ ବୋନସ ଦେଇ ଇତିହାସ ସୃଷ୍ଟି କରନ୍ତୁ ବୋଲି ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଏକ ପ୍ରେସ୍ ବିବୃତିି ଯୋଗେ କହିଛନ୍ତି । ଶ୍ରୀ ନନ୍ଦ କହିଛନ୍ତି ଯେ, ଯେତେବେଳେ ବିଧାନସଭାରେ ଧାନ କୁଇଂଟାଲ ୨୯୩୦ ଟଙ୍କା କରାଯିବ ବୋଲି ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଥିଲା, ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିପାଇଁ ଆଲୋଚନା ପାଇଁ ସମୟ ଦେଉନାହାଁନ୍ତି ବୋଲି କହି ବିଜେଡ଼ି ନେତୃବୃନ୍ଦ ଚୁପ୍ ହୋଇ ବସିପଡ଼ିଥିଲେ । ଆଜିପର୍ଯ୍ୟନ୍ତ କଣ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାହାଁନ୍ତି ନା ବିଜେଡ଼ି ଲୋକସଭା ଓ ରାଜ୍ୟସଭା ସଦସ୍ୟମାନେ ଦିଲ୍ଲୀରେ ରହୁନାହାଁନ୍ତି । ଚାଷୀଙ୍କୁ ଉତ୍ସାହିତ କରାଯିବା ଭଳି ଘୋଷଣା ସ୍ୱାଗତଯୋଗ୍ୟ । କିନ୍ତୁ ତାହା କାର୍ଯ୍ୟକାରୀ କରାଯିବା ପାଇଁ ଆନ୍ତରିକ ଉଦ୍ୟମ ଅତୀତରେ ବିଜେଡ଼ି ଦଳ କରିନଥିବାରୁ ଏହା ଏକ ଫମ୍ପା ଆବାଜ ବୋଲି ଶ୍ରୀ ନନ୍ଦ କହିଛନ୍ତି । ଚଳିତ ବିଧାନସଭା ନିର୍ବାଚନ ପୂର୍ବରୁ ଘୋଷଣା ଅନୁଯାୟୀ ନବୀନ ପଟ୍ଟନାୟକ ୧୫ ଲକ୍ଷ ଚାଷୀଙ୍କୁ ଆଦୌ କାଳିଆ ଟଙ୍କା ଦେଲେ ନାହିଁ । ଯେଉଁମାନେ କାଳିଆ ଯୋଜନାରେ ଟଙ୍କା ପାଇଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଜେଡ଼ିର ରାଜନୈତିକ କର୍ମୀ ଓ ଅଣଚାଷୀ । ସବୁଠାରୁ ଦୁର୍ଭାଗ୍ୟର କଥା ଯେ ବର୍ଷକୁ କ୍ଷୁଦ୍ର ନାମମାତ୍ର ଚାଷୀଙ୍କୁ ମାତ୍ର ୧୦ ହଜାର ଟଙ୍କାର ଅନୁଦାନ ଦେବା ପାଇଁ ଘୋଷଣା କରିଥିବା ବିଜୁ ଜନତା ଦଳ ଏହାକୁ ୬ ହଜାର କରିଦେବା ଅତ୍ୟନ୍ତ ଲଜ୍ଜାଜନକ । ଏଣୁ ସରକାର ଓ ବିଜେଡ଼ି ଯଦି ଚାଷୀଙ୍କ ସତରେ ସ୍ୱାର୍ଥ ଚାହୁଁଛନ୍ତି ତେବେ ବିଜେଡ଼ି ଏ ନେଇ କେନ୍ଦ୍ରସ୍ତରରେ ବିଭିନ୍ନ ସମମନୋଭାବାପନ୍ନ ଦଳ ସହ ଆଲୋଚନା କରି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ ଜଣାପଡ଼ିବ ବିଜେଡ଼ିର ଆନ୍ତରିକତା । ନଚେତ ପଂଚାୟତ ନିର୍ବାଚନ ପୂର୍ବରୁ ଏହା ଚାଷୀଙ୍କ ମନଭୁଲାଣିଆ ଏକ ରାଜନୈତିକ ବିବୃତି ବୋଲି ଧରି ନିଆଯିବ । ଓଡ଼ିଶା ସମାଚାର