Thursday , September 29 2022
Breaking News
Home / ବିଶେଷ / ‘ମାନବ ମର୍ୟ୍ୟାଦା ସମ୍ମାନ-୨୦୨୦’ ପାଇଁ ବେଦାନ୍ତ ବିରୋଧୀ ଆନ୍ଦୋଳନର ନେତା ଲଦ ସିକକାଙ୍କ ନାମ ଘୋଷଣା

‘ମାନବ ମର୍ୟ୍ୟାଦା ସମ୍ମାନ-୨୦୨୦’ ପାଇଁ ବେଦାନ୍ତ ବିରୋଧୀ ଆନ୍ଦୋଳନର ନେତା ଲଦ ସିକକାଙ୍କ ନାମ ଘୋଷଣା

ଭୁବନେଶ୍ୱର, ୧୦/୧୨/୨୦୨୦ (ଓଡ଼ିଶା ସମାଚାର)- ବିଶ୍ଵ ମାନବିକ ଅଧିକାର ଦିବସ ଉପଲକ୍ଷେ କିଛି ସମଧର୍ମୀ ମାନବିକ ଅଧିକାର କର୍ମୀଙ୍କୁ ନେଇ ନବ ଗଠିତ ‘ମାନବ ଅଧିକାର ସମନ୍ଵୟ କେନ୍ଦ୍ର’ ପକ୍ଷରୁ ‘ମାନବ ମର୍ୟ୍ୟାଦା ସମ୍ମାନ-୨୦୨୦’ ପାଇଁ ନିୟମଗିରି ସୁରକ୍ଷା ସମିତି ତଥା ବେଦାନ୍ତ ବିରୋଧୀ ଆନ୍ଦୋଳନର ନେତା ଲଦ ସିକକାଙ୍କ ନାମ ଘୋଷଣା କରାଯାଇଛି । ଏ ସମ୍ପର୍କରେ ଆଜି ସଂଗଠନର ଆବାହକ ମଣ୍ଡଳୀ ପକ୍ଷରୁ ରାଜ୍ୟର ଜଣେ ଜଣାଶୁଣା ମାନବଧୀକାର କର୍ମୀ ବିଶ୍ଵପ୍ରିୟ କାନୁନଗୋ ଘୋଷଣା କରିଛନ୍ତି । ପ୍ରକାଶ ଥାଉକି ସଂଗଠନ ପକ୍ଷରୁ ଏହି ସମ୍ମାନ ପାଇଁ ଉଭୟ ମୁଦ୍ରିତ ଓ ସାମାଜିକ ଗଣମାଧ୍ୟମ ଜରିଆରେ ନାମାଙ୍କନ ପତ୍ର ଆହ୍ଵାନ କରଯାଇଥିଲା ଓ ବିଭିନ୍ନ ବର୍ଗର ତିନି ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ନେଇ ଏକ ସ୍ଵାଧୀନ ମନୋନୟନ କମିଟି ଗଠନ କରଯାଇଥିଲା । ନାମାଙ୍କନ ପତ୍ର ଦାଖଲ କରିବାକୁ ଇଚ୍ଛୁକ ବ୍ୟକ୍ତି ବିଶେଷ ନିଜ ପାଇଁ କିମ୍ବା ଅନ୍ୟ କାହାପାଇଁ ଆବଶ୍ୟକ ସର୍ତ୍ତାବଳୀ ଆଧାରରେ ନାମାଙ୍କନ ଦାଖଲ କରିବାକୁ ଅନୁରୋଧ କରାଯାଇଥିଲା ଓ ଆୟୋଜକ ମାନେ ଏହି ମନୋନୟନ ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିଥିଲେ । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ମିଳିଥିବା ମୋଟ ୧୬ଟି ନାମାଙ୍କନ ପତ୍ରକୁ ବିଚାରକୁ ନେଇ ମନୋନୟନ କମିଟିର ସଦସ୍ୟ/ସଦସ୍ୟା ମାନେ ସର୍ବ ସମ୍ମତିକ୍ରମେ ‘ମାନବ ମର୍ୟ୍ୟାଦା ସମ୍ମାନ-୨୦୨୦’ ପାଇଁ ନିୟମଗିରି ସୁରକ୍ଷା ସମିତି ତଥା ବେଦାନ୍ତ ବିରୋଧୀ ଆନ୍ଦୋଳନର ନେତା ଲଦ ସିକକାଙ୍କୁ ମନୋନୀତ କରିଥିଲେ । ଆଗାମୀ ୨୯ ମାର୍ଚ୍ଚ, ୨୦୨୧ ଶହୀଦ ଲକ୍ଷ୍ମଣ ନାୟକଙ୍କ ସ୍ମୃତି ଦିବସରେ ସାଥୀ ଲଦ ସିକକାଙ୍କୁ ଏକ ସ୍ଵତନ୍ତ୍ର ସମାବେଶ ମାଧ୍ୟମରେ ସମ୍ମାନିତ କରାଯିବ ବୋଲି ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି ।ଓଡ଼ିଶା ସମାଚାର

Leave a Reply

Your email address will not be published.