Monday , September 25 2023
Breaking News
Home / ରାଜନୀତି / ଦୁଗ୍ଧର ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର: ସମାଜବାଦୀ ପାର୍ଟି

ଦୁଗ୍ଧର ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର: ସମାଜବାଦୀ ପାର୍ଟି

ଭୁବନେଶ୍ୱର,୧୦/୧୨/୨୦୨୦ (ଓଡ଼ିଶା ସମାଚାର)-ଓଡ଼ିଶା ରାଜ୍ୟ କ୍ୟାବିନେଟ ଚାଷୀମାନଙ୍କର ଆୟକୁ ଦେଢଗୁଣା କରିବା ପାଇଁ ଓଡ଼ିଶା ବିଧାନସଭା ଦ୍ୱାରା ପାରିତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପିତ କରିବା ପାଇଁ ନିଷ୍ପତି କରିଛି । ଚଳିତ କୃଷକ ଆନ୍ଦୋଳନ ପରିପ୍ରେକ୍ଷୀରେ ଓଡ଼ିଶା କ୍ୟାବିନେଟର ଏହା ଏକ ବଡ଼ ନିଷ୍ପତି  । ଓଡ଼ିଶା ସରକାର ଯେତେବେଳେ କେନ୍ଦ୍ର ନିକଟକୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ସଂକ୍ରାନ୍ତୀୟ ପ୍ରସ୍ତାବ ଦେବେ, ସେହି ପ୍ରସ୍ତାବରେ ଦୁଗ୍ଧର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଏକ ଦାବି ଜଣାଇବାକୁ ସମାଜବାଦୀ ପାର୍ଟି ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରିଛନ୍ତି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏ ସଂକ୍ରାନ୍ତରେ ଏକ ଚିଠି ଲେଖି କହିଛନ୍ତି ଯେ, ରାଜ୍ୟର ୯୬ ଲକ୍ଷ ପରିବାର ମଧ୍ୟରୁ ୧୧ ଳକ୍ଷ ପରିବାର ଦୁଗ୍ଧ ଉତ୍ପାଦନକୁ ଜୀବିକା କରି ନିଜର ପରିବାର ପ୍ରତିପୋଷଣ କରନ୍ତି । ଧାନ ଉତ୍ପାଦନ ପରେ ଦୁଗ୍ଧ ଉପରେ ସବୁଠାରୁ ଅଧିକ ଲୋକ ଆମ ରାଜ୍ୟରେ ନିଜର ଜୀବିକା ପାଇଁ ନିର୍ଭରଶୀଳ । କିନ୍ତୁ ଦୁଃଖର କଥା ଦୁଗ୍ଧର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଆଜି ପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ । ଯାହାଫଳରେ ବହୁ ସମୟରେ ଚାଷୀମାନେ ଅଭାବୀ ବିକ୍ରିର ଶିକାର ହୋଇଥାନ୍ତି । ଆଜି ଗୋଟିଏ ଲିଟର କ୍ଷୀର ଉତ୍ପାଦନ କରିବା ପାଇଁ ସର୍ବନିମ୍ନ ଜଣେ ଚାଷୀକୁ ଗାଈ ପିଛା ୨୪ଟଙ୍କା ୧୫ ପଇସା ଖର୍ଚ୍ଚ କରିବାକୁ ପଡ଼ିଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ଦୁଗ୍ଧର ସର୍ବନିମ୍ନ ସହାୟକ ମୂଲ୍ୟ ଅନ୍ତତଃ ପକ୍ଷେ ୩୫ ଟଙ୍କା କରିବା ପାଇଁ ଶ୍ରୀ ବେହେରା ଦାବି କରିଛନ୍ତି ।

ଏ ସଂକ୍ରାନ୍ତରେ ସେ ଏକ ଚିଠି ରାଜ୍ୟର ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଅସିତ ତ୍ରିପାଠୀ,   ଙ୍କ ପାଖକୁ ପ୍ରେରଣ କରିବା ସହିତ କେନ୍ଦ୍ରକୁ ଦିଆଯାଉଥିବା ସରକାରୀ ପ୍ରସ୍ତାବରେ ରାଜ୍ୟର ଦୁଗ୍ଧ ଚାଷୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଦୁଗ୍ଧର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ପ୍ରସ୍ତାବ ଦେବାକୁ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *