Sunday , September 25 2022
Home / ବିଶେଷ / ରାଷ୍ଟ୍ରୀୟ ପ୍ରଗତି ପାଇଁ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଆବଶ୍ୟକ : ରାଜ୍ୟ ସ୍ତରୀୟ କର୍ମଶାଳାରେ ବୈଜ୍ଞାନିକମାନଙ୍କ ମତ

ରାଷ୍ଟ୍ରୀୟ ପ୍ରଗତି ପାଇଁ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଆବଶ୍ୟକ : ରାଜ୍ୟ ସ୍ତରୀୟ କର୍ମଶାଳାରେ ବୈଜ୍ଞାନିକମାନଙ୍କ ମତ

ଭୁବନେଶ୍ୱର, ୦୮/୧୨/୨୦୨୦ (ଓଡ଼ିଶା ସମାଚାର)- ରାଷ୍ଟ୍ରୀୟ ପ୍ରଗତି ପାଇଁ ଅନ୍ଧବିଶ୍ୱାସ ଦୂରୀକରଣ ସହିତ ବୈଜ୍ଞାନିକ ଚେତନା ସୃଷ୍ଟି ପାଇଁ ଦେଶବ୍ୟାପୀ ଉଦ୍ୟମ କରିବା ଆବଶ୍ୟକ ବୋଲି ବିଜ୍ଞାନ ଓ ବୈଷୟିକ ଯୋଗାଯୋଗ ଜାତୀୟ ପରିଷଦ, ଏନସିଏସଟିସି ର ରାଷ୍ଟ୍ରୀୟ କୁଶଳୀ ମାନବ ସମ୍ବଳ ଡାକ୍ତର ନରେନ୍ଦ୍ର ନାୟକ କହିଛନ୍ତି। ଭୁବନେଶ୍ୱର ସ୍ଥିତ ପ୍ରସାରଣ ଗଣମାଧ୍ୟମର ଜାତୀୟ ଏକାଡେମୀ, ଏନଏବିଏମ ଠାରେ ଆୟୋଜିତ ଏକ ଚାରି ଦିନିଆ ରାଜ୍୍ୟ ସ୍ତରୀୟ କର୍ମଶାଳା ଉଦଘାଟନ ଅବସରରେ ଡଃ. ନାୟକ କହିଛନ୍ତି ଯେ ସି ଭି ରମଣଙ୍କ ପରେ ଏପର୍ୟ୍ୟନ୍ତ ବିଜ୍ଞାନରେ ଭାରତୀୟ ବୈଜ୍ଞାନିକ ମାନେ ନୋବେଲ ପୁରସ୍କାର ନପାଇବା ଏକ ଗୁରୁତର ବିଷୟ । ସେଥିପାଇଁ ବିଜ୍ଞାନର ପ୍ରଚାର ଓ ପ୍ରସାର ଆବଶ୍ୟକ ବୋଲି ଡଃ. ନାୟକ ମତ ଦେଇଛନ୍ତି । ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ପରିବେଶବିତ୍ ଡଃ. ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି ଯେ ଅନ୍ଧବିଶ୍ୱାସର ବ୍ୟାପକ ପ୍ରସାର ଯୋଗୁ ବୈଜ୍ଞାନିକ ଚେତନା ଲୋକମାନଙ୍କ ନିକଟରେ ପହଞ୍ଚି ପାରୁ ନାହିଁ । କାର୍ୟ୍ୟ ସହ କାରଣର ସମ୍ପର୍କ ଯୋଡାଗଲେ ଆମ ଦେଶର ଛାତ୍ର ସମାଜ ପ୍ରକୃତିର ରହସ୍ୟ ଉନ୍ମୋଚନ କରିପାରିବେ ବୋଲି ସେ ମତ ଦେଇଛନ୍ତି । ଆକାଶବାଣୀର ପୂର୍ବତନ ରାଜ୍ୟ ସମ୍ବାଦଦାତା ତଥା ଉପନିର୍ଦ୍ଦେଶକ ସୁଧାଂଶୁ ଶେଖର ଧଡା ବୈଜ୍ଞାନିକ ସଚେତନତା କାର୍ୟ୍ୟକ୍ରମରେ ଗଣ ଯୋଗାଯୋଗ ସମ୍ପର୍କିତ କୌଶଳ ଗୁଡିକର ପ୍ରୟୋଗ ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ । ଏହି କାର୍ୟ୍ୟକ୍ରମର ଆୟୋଜକ ସାମନ୍ତ ଚନ୍ଦ୍ରଶେଖର ବିଜ୍ଞାନ କ୍ଲବ ସନ୍ତରାଗାଡିଆ, ବାଲେଶ୍ଵରର ସଭାପତି ତଥା ବିଜ୍ଞାନ ସଂଚାରକ ଇଂ. ମିଲନ କୁମାର ରାଉଳ କାର୍ୟ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ ରାଜ୍ୟରେ ଅନ୍ଧବିଶ୍ୱାସ ଦୂରୀକରଣ ଓ ଅଲୌକିକ ଅନାବରଣ ନିମିତ ମାନବ ସମ୍ବଳର ଆବଶ୍ୟକତା ରହିଛି । ଏହି କାର୍ୟ୍ୟକ୍ରମରେ ମାନବ ସମ୍ବଳର ପ୍ରଶିକ୍ଷକ ଭାବରେ ବଲାଙ୍ଗିରରୁ ଅନିଲ କୁମାର ନନ୍ଦ, ବରଗଡ଼ରୁ ସଞ୍ଜୀବ କୁମାର ପ୍ରଧାନଙ୍କ ସମେତ ବିଜ୍ଞାନ କ୍ଲବର ସଦସ୍ୟ ମାନସ କୁମାର ରାଉଳ, ଡଃ. ସ୍ମିତାପ୍ରଭା ମିଶ୍ର, ଅମରେନ୍ଦ୍ର ବେହେରା ପ୍ରମୁଖ ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ । ଏହି ଚାରି ଦିନିଆ ମାନବ ସମ୍ବଳ ତାଲିମ କାର୍ୟ୍ୟକ୍ରମରେ କଟକ, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର ,କେନ୍ଦୁଝର, ଯାଜପୁର ଜିଲ୍ଲାରୁ ୫୩ ଜଣ ବିଜ୍ଞାନ ଶିକ୍ଷକ ଯୋଗ ଦେଇଛନ୍ତି । ଏହି କାର୍ୟ୍ୟକ୍ରମରେ ଅଲୌକିକ ଅନାବରଣ କୌଶଳ ପ୍ରଦାନ ସହିତ ଗଣଯୋଗାଯୋଗ କ୍ଷେତ୍ରର କୌଶଳ ପ୍ରଦାନ କରାଯାଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.

Total site visitors: 256048