Wednesday , October 4 2023
Breaking News
Home / ରାଜନୀତି / ଭାରତ ବନ୍ଦର ଅଭୂତପୂର୍ବ ସଫଳତା ପାଇଁ ରାଜ୍ୟବାସୀଙ୍କୁ ସିପିଆଇର ଅଭିନନ୍ଦନ

ଭାରତ ବନ୍ଦର ଅଭୂତପୂର୍ବ ସଫଳତା ପାଇଁ ରାଜ୍ୟବାସୀଙ୍କୁ ସିପିଆଇର ଅଭିନନ୍ଦନ

ଭୁବନେଶ୍ୱର, ୦୮/୧୨/୨୦୨୦ (ଓଡ଼ିଶା ସମାଚାର)- କୃଷି ଓ କୃଷକ ସର୍ବନାଶକାରୀ ତିନୋଟି କୃଷି ଆଇନ ଓ ବିଦୁ୍ୟତ୍ ବିଲ୍ ୨୦୨୦ ପ୍ରତ୍ୟାହାର ଦାବିରେ କୃଷକ ସଙ୍ଗଠନମାନେ ଦେଇଥିବା ଭାରତ ବନ୍ଦକୁ ଓଡ଼ିଶାର ଜନସାଧାରଣ ସ୍ୱତଃସ୍ଫୁର୍ତ ଭାବେ ସମ୍ପୂର୍ଣ୍ଣ ସଫଳ କରିଥିବାରୁ ସିପିଆଇ ପକ୍ଷରୁ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ଓଡ଼ିଶାରେ ବନ୍ଦ ଅନ୍ଦୋଳନକୁ ସଫଳ କରିବା ପାଇଁ ଓଡ଼ିଶାର ସମସ୍ତ ଜିଲ୍ଲା, ସଦରମହକୁମାଠାରୁ ଆରମ୍ଭ କରି ଗାଁ ଗହଳି ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରେ ସିପିଆଇ, ଏଆଇଟିୟୁସି, କୃଷକ ସଭା, କ୍ଷେତ ମଜଦୁର ୟୁନିୟନ, ମହିଳା, ଯୁବ, ଛାତ୍ର କର୍ମୀମାନେ ରାସ୍ତା ଅବରୋଧ କରିଥିଲେ । ସାଧାରଣ ଲୋକେ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ଭୁବନେଶ୍ୱରରେ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ଜାତୀୟ ପରିଷଦ ସଭ୍ୟ ରାମକୃଷ୍ଣ ପଣ୍ଡା, ସହସମ୍ପାଦକ ପ୍ରଶାନ୍ତ ମିଶ୍ର, ଜୟନ୍ତ ଦାସ, ଏନ. ନାରାୟଣ ରେଡ୍ଡି, ସୁର ଜେନା, ବିଜୟ ଜେନା, ଯତୀନ୍ଦ୍ର କୁମାର ରାୟ, ଉତ୍କଳ ମହିଳା ସମିତି ରାଜ୍ୟ ସଭାନେତ୍ରୀ ପ୍ରମୋଦିନୀ ପାଇକରାୟ ଓ ଏଆଇଏସଏଫ ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା, କୈଳାସ ପୁହାଣଙ୍କ ନେତୃତ୍ୱରେ ଶତାଧିକ ଆନ୍ଦୋଳନକାରୀ ରେଳଷ୍ଟେସନ, ମାଷ୍ଟରକକ୍ନଟିନ, ବସଷ୍ଟାଣ୍ଡ, ରାଜମହଲ ଛକମାନଙ୍କରେ ରେଳ ଓ ରାସ୍ତା ଅବରୋଧ କରି ଶୋଭାଯାତ୍ରା କରିଥିଲେ ।

ସିପିଆଇ ପକ୍ଷରୁ ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି ଯେ ଦୀର୍ଘଦିନ ଧରି କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚଳାଇଥିବା କୃଷକଙ୍କ ସହିତ କେନ୍ଦ୍ର ସରକାର ଆଲୋଚନା କଲେ ମଧ୍ୟ ସରକାର ତାଙ୍କ ଜିଦ୍ ରେ ଅଟଳ ରହୁଥିବାରୁ କୌଣସି ସୁଫଳ ମିଳିପାରୁ ନାହିଁ । କୃଷକ, ଖାଉଟି ଓ ଜନ ବିରୋଧି କୃଷି ଆଇନ ପ୍ରତ୍ୟାହାର ପାଇଁ ଚାଲିଥିବା ଗଣତାନ୍ତ୍ରିକ ଆନ୍ଦୋଳନକୁ ଦମନ କରି ଭଣ୍ଡୁର କରିବା ପାଇଁ କେନ୍ଦ୍ର ଏନଡିଏ ସରକାର ହୀନ ଉଦ୍ୟମ ଚଳାଇଛନ୍ତି । ମାତ୍ର ଏହି ଭାରତ ବନ୍ଦ ଆନ୍ଦୋଳନରେ ସାଧାରଣ ଲୋକଙ୍କ ଅଭୂତପୂର୍ବ ସମର୍ଥନ ଫଳରେ ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଛି । କେନ୍ଦ୍ରରେ ବିଜେପି ସରକାର କର୍ପୋରେଟ ସ୍ୱାର୍ଥରେ ପ୍ରଣୟନ କରିଥିବା କୃଷି ଆଇନକୁ ନିଃସର୍ତ ପ୍ରତ୍ୟାହାର କରିବା ପାଇଁ ସିପିଆଇ ପକ୍ଷରୁ ଦାବି କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *