କେନ୍ଦ୍ରାପଡା,୦୬/୧୨/୨୦୨୦ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ସମଲପୁର ଗ୍ରାମରେ ଦୀର୍ଘଦିନ ଧରି ପାନୀୟ ଜଳ ସମସ୍ୟା ଲାଗିରହିଛି । ଏହି ପାନୀୟ ଜଳ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ବିଭିନ୍ନ ସମୟରେ ଜିଲ୍ଲାପାଳ ଓ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସେହି ସମସ୍ୟାର କୈାଣସି ସମାଧାନ ହୋଇପାରିନାହିଁ । ଗ୍ରାମବାସୀଙ୍କ ମଧ୍ୟରେ ଏହି ସମସ୍ୟାକୁ ନେଇ ଦୀର୍ଘଦିନ ଧରି ପୁଞ୍ଜିଭୁତ ଅସନ୍ତୋଷ ରହିଥିଲା । ଶନିବାର ବିଧାୟକ ଶ୍ରୀ ବେହେରା ଜଜାଙ୍ଗସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରକୁ ବିଶ୍ୱ ମୃତିକା ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗଦେବାକୁ ଆସିଥିବା ଖବର ପାଇ ସମଲପୁର ଗ୍ରାମର କେତେକ ବାସୀନ୍ଦା ବିଧାୟକଙ୍କୁ ଭେଟିବା ପାଇଁ କୃଷି ବିଜ୍ଞାନ କେନ୍ଦ୍ରକୁ ଯାଇଥିଲେ । ସେହି ସମୟରେ କୃଷି ବିଜ୍ଞାନ କେନ୍ଦ୍ରରେ ଉତ୍ସବ ଚାଲୁଥିବାରୁ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବିଧାୟକଙ୍କ କାରରେ ସମସ୍ୟା ନେଇ ଯାଇଥିବା ସମଲପୁର ଗ୍ରାମର ଜଣେ ଯୁବକ ବସିଯିବାରୁ ସଂପୃକ୍ତ ଗାଡିର ଚାଳକ ଯୁବକ ଜଣଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିବା ସେ ଅଭିଯୋଗ କରିଛନ୍ତି । ଫଳରେ ସେଠାକୁ ଯାଇଥିବା ସେହି ଗ୍ରାମର ଅନ୍ୟଲୋକମାନେ ଏହି ଘଟଣାର ପ୍ରତିବାଦ କରିବାରୁ ଉଭୟ ପକ୍ଷଙ୍କ ମଧ୍ୟରେ ଏହାକୁ ନେଇ ପ୍ରଥମେ ବଚସା ଓ ପରେ ଗଣ୍ଡୋଗୋଳ ଘଟିଥିଲା । ବିଧାୟକଙ୍କ ଉପରେ ଥିବା ପୁଞ୍ଜିଭୁତ ଅସନ୍ତୋଷକୁ ଲୋକମାନେ ତାଙ୍କ ଗାଡିଚାଳକଙ୍କ ଉପରେ ଶୁଝାଇଥିଲେ । ଖବରପାଇ ସଦର ଥାନା ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ ପୋଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଁଚିଥିଲେ । କିନ୍ତୁ କୈାଣସି ପକ୍ଷ ଅଭିଯୋଗ ନକରିବାରୁ ପୋଲିସ ସେଠାରୁ ଫେରି ଆସିଥିଲା । ପରେ ବିଧାୟକ ଶ୍ରୀ ବେହେରା ସମଲପୁର ଗ୍ରାମବାସୀଙ୍କ ଠାରୁ ପାନୀୟଜଳ ସମସ୍ୟା ସମ୍ପର୍କରେ ବୁଝି ସେହି ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ । ଓଡ଼ିଶା ସମାଚାର