Friday , October 22 2021
Home / ବିଶେଷ / ନିଶା ସୁନ୍ଦରୀର ମାୟାଜାଲରେ ଭୁବନ

ନିଶା ସୁନ୍ଦରୀର ମାୟାଜାଲରେ ଭୁବନ

ଭୁବନ ୦୫/୧୨/୨୦୨୦ (ଓଡ଼ିଶା ସମାଚାର/ସୁଶାନ୍ତ କୁମାର ପୋଥାଳ)-ମଦ ଓ ଗେଞ୍ଜଇ ଏବେ ଭୁବନରେ କାୟା ବିସ୍ତାର କରିଛି । ସବୁ ସ୍ଥାନରେ ଏବେ ଖୁଲମଖୁଲା ବିକି୍ର ଚାଲିଛି । ଏହାକୁ ଖାଇବା ପାଇଁ ଯୁବକମାନେ ମଧ୍ୟ ପାଗଳ । ସମ୍ପ୍ରତି ବହୁ ଦୋକାନରେ ଏହା ଏବେ ଉପଲବ୍ଧ ହେଲାଣି । ଭୁବନ ଏନଏସିରେ ୩ଟି ଠିପିଖୋଲା ବାର୍ ସହିତ ଗୋଟିଏ ଠିପିବନ୍ଦ ବିଦେଶୀ ମଦ ଦୋକାନ ଓ ଗୋଟିଏ ସରକାରୀ ଦେଶୀ ମଦ ଭାଟି ରହିଥିବା ବେଳେ ଭୁବନ ବ୍ଲକର ଦୟଣାବିଲି ଓ ନୂଆହାଟରେ ଗୋଟିଏ ଲେଖାଁଏ ବିଦେଶୀ ଠିପିବନ୍ଦ ମଦ ଦୋକାନ ରହିଛି । ଚନ୍ଦାର ଓ ନୟାନୀଳକଣ୍ଠପୁରରେ ଗୋଟିଏ ଲେଖାଏ ଦେଶୀ ମଦଭାଟି ମଧ୍ୟ ଖୋଲିଛି । ଭୁବନ ଏନଏସିର ନିର୍ଦ୍ଧିଷ୍ଟ ଗୋଟିଏ ୱାର୍ଡ ସମେତ ବ୍ଲକର ମଧ୍ୟ ନିର୍ଦ୍ଧିଷ୍ଟ ଭାବେ ୩/୪ ଟି ଗ୍ରାମରେ ରନ୍ଧା ଦେଶୀ ମଦ ବିପୁଳ ପରିମାଣରେ ପ୍ରସ୍ତୁତି ହୋଇ ସ୍ଥାନୀୟ ଅଂଚଳରେ ବିକ୍ରି ହେବା ସହିତ ଆଖପାଖ ବିଭିନ୍ନ ଅଂଚଳକୁ ଚାଲାଣ ହେଉଛି । ଅଧିକ ଦାମ ଯୋଗୁ କେତେକ ଲୋକ ବିଦେଶୀ ମଦ ପରିବର୍ତେ ଶସ୍ତାରେ ମିଳୁଥିବା ରନ୍ଧା ଦେଶୀ ମଦ ଉପରେ ନିର୍ଭର କରୁଛନ୍ତି । ଗାଁ ଗାଁ ରେ ଚୋରା ମଦ ବେପାରୀ ଓ ମୋବାଇଲ ବେପାରୀ ସକ୍ରିୟ ରହି ଫୋନ ପାଇବା ମାତ୍ରେ ସେଙ୍ଗସେଙ୍ଗ ମାଲ୍ ହାଜର କରିଦେଉଛନ୍ତି । ପୋଲିସ ଓ ଅବକାରୀ ବିଭାଗ ଏ ସମସ୍ତ ସ୍ଥାନରୁ ମାସିକିଆ ବଟି ନେଇ ଚୁପ ରହୁଛନ୍ତି ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି । ତା ସାଙ୍ଗକୁ ପୋଲିସ ଓ ଅବକାରୀ ବିଭାଗ ମଧ୍ୟରେ ସମନ୍ୱୟ ରହୁନଥିବାରୁ ବେଳେବେଳେ ଅବକାରୀ ବିଭାଗ କର୍ମଚାରୀମାନେ ମଦ ମାଫିଆଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ପୋଲିସ ମୋଟାଅଙ୍କର ମାଲ୍ ନେଇ ମାଫିଆଙ୍କୁ ସମର୍ଥନ କରି ଅବକାରୀ କର୍ମଚାରୀଙ୍କୁ ମାଡ ଖୁଆଉଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ନକଲି ତଥା ଚୋରା ମଦ ବେପାରୀଙ୍କ ପ୍ରତି ରୀତିମତ ଚଢାଉ/ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା କାରଣରୁ ନକଲି ତଥା ଅତ୍ୟଧିକ ନିଶାଯୁକ୍ତ ମଦ ପିଇ ମଦୁଆ ରାସ୍ତାରେ ଗଡୁଥିବା ଦେଖିବାକୁ ମିଳୁଛି । ବିଭିନ୍ନ ପାନ ଦୋକାନରେ ଦେଶୀ,ବିଦେଶୀ ମଦ ର ଅବାଧ କାରବାର ଚାଲିଥିବା ସହ କୋର୍ଡ ୱାର୍ଡ (ରାଜା) ନାମରେ ଗେଞ୍ଜଇ ସିଗାରେଟ ପ୍ରବଳ ମାତ୍ରାରେ ବିକ୍ରି ହେଉଛି । ଗୋଟିଏ ପ୍ୟାକେଟ ଗେଞ୍ଜଇ ସିଗାରେଟ (ରାଜା) ର ଦାମ ପ୍ରାୟ ୧୦୦ ଟଙ୍କାରୁ ଆରମ୍ଭ କରି ରୁ ୧୫୦ /୨୦୦ ଶହ ଟଙ୍କାରେ ବିକ୍ରି ହେଉଛି । ଆଗରୁ ବିଭିନ୍ନ ଅଚଂଳରେ ଲୁଚା ଚୋରାରେ ମିଳୁଥିବା ବେଳେ ଏବେ କିନ୍ତୁ ଗଳିକନ୍ଦି ସବୁ ଜାଗାରେ ମିଳୁଛି । ପୂର୍ବରୁ ଗେଞ୍ଜଇ ନାଁ ଶୁଣିଲେ ଲୋକେ ଯେଉଁପରି ପ୍ରତିକି୍ରୟା ପ୍ରକାଶ କରୁଥିଲେ ଏବେ କିନ୍ତୁ ଏହା କ୍ରମଶଃ ସାଧାରଣ କଥାରେ ପରିଣତ ହୋଇଗଲାଣି । ବହୁ ଯୁବକ ସମ୍ପ୍ରତି କୁପଥର ପଥିକ ହୋଇ ବିପଥଗାମୀ ମଧ୍ୟ ହୋଇଗଲେଣି । ଏଥିପାଇଁ ଚୋରି ଡକାୟତି ମାଡପିଟ ଆଦି ଘଟଣା ଦେଖିବାକୁ ମିଳୁଛି । ମଦ,ଗେଞ୍ଜଇ ସିଗାରେଟ କିଣିବାପାଇଁ ଅର୍ଥର ଆବଶ୍ୟକତା ରହିଛି । ଏଥିପାଇଁ ଆବଶ୍ୟକ ହେଲେ ବେଆଇନ କାର୍ଯ୍ୟ କରିବାକୁ ଯୁବକମାନେ ପଛାଉନାହାଁନ୍ତି । ଗେଞ୍ଜଇ ସିଗାରେଟରେ ଡ୍ରଗ୍ସ ମିଶାଇ ଯୁବକଙ୍କୁ ଅଧିକ ଦାମରେ ବିକି୍ର କରାଯାଉଥିବା ଶୁଣିବାକୁ ମିଳୁଛି । ଗାଁ ଗହଳିରେ ନକଲି ତଥା ଚୋରା ବିଦେଶୀ ଓ ପାଉଚ ମଦର ବନ୍ୟା ଯୋଗୁ ସରକାରୀ ଲାଇସେନ୍ସ ପ୍ରାପ୍ତ ଦୋକାନ ଘାଟାରେ ଚାଲିଛି । କିଛି ସ୍ଥାନରେ ବେଆଇନ ଭାବେ ମଦ ରନ୍ଧାଯାଇ ଚୋରାରେ ମଦ ଅଣାଯାଇ ବିଭିନ୍ନ ଲୋକଙ୍କୁ ଖୁଚୁରା ବିକ୍ରୟ ପାଇଁ ଦିଆଯାଉଛି । ସରକାର ମଦରୁ ବିପୁଳ ରାଜସ୍ୱ ପାଉଥିବା ଯୋଗୁ ମଦ ବିକ୍ରିକୁ ପ୍ରୋତ୍ସାହନ ଦେଉଥିବା ବେଳେ ପୋଲିସ ଓ ଅବକାରୀ ବିଭାଗର ମାସିକିଆ ବଟିଖିଆ ନୀତି ଯୋଗୁ ଲାଇସେନ୍ସଧାରୀ ମାନେ ସରକାରଙ୍କୁ ଟିକସ ଦେଇନପାରୀ ହତାଶ ହୋଇ ପଡୁଛନ୍ତି । ସତେ ଯେମିତି ନିଶା ସୁନ୍ଦରୀର ମାୟା ଜାଲରେ ଭୁବନର ଯୁବକ ମାନେ ଫଶିଯାଇଛନ୍ତି ! ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଦୃଢ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *