Saturday , October 16 2021
Breaking News
Home / ରାଜନୀତି / ‘ଟାଟା ପନ୍ଝା’ରେ ରାଜ୍ୟର ୬୫ ଲକ୍ଷ ବିଜୁଳି ଗ୍ରାହକ : ‘ସେସୁ’ ପରେ ‘ୱେସ୍କୋ’, ‘ସାଉଥ୍କୋ’ ଉପରେ ଟାଟାର ଆଖି – ବିରୋଧ କଲା ସମାଜବାଦୀ ପାର୍ଟି

‘ଟାଟା ପନ୍ଝା’ରେ ରାଜ୍ୟର ୬୫ ଲକ୍ଷ ବିଜୁଳି ଗ୍ରାହକ : ‘ସେସୁ’ ପରେ ‘ୱେସ୍କୋ’, ‘ସାଉଥ୍କୋ’ ଉପରେ ଟାଟାର ଆଖି – ବିରୋଧ କଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର, ୦୫/୧୨/୨୦୨୦ (ଓଡ଼ିଶା ସମାଚାର)- ବିଜୁଳି ଘରୋଇକରଣ କ୍ଷେତ୍ରରେ ସମଗ୍ର ଦେଶରେ ପ୍ରଥମ ରାଜ୍ୟ ହେଉଛି ଓଡ଼ିଶା । ୧୯୯୪-୯୫ ମସିହାରେ ବିଶ୍ୱବ୍ୟାଙ୍କର ଋଣରେ ଓଡ଼ିଶାରେ ତଥାକଥିତ ବିଜୁଳି ସଂସ୍କାର ବିଜୁଳିର ଘରୋଇକରଣ ଆରମ୍ଭ ହୋଇଥିଲା । ପରବର୍ତୀ ପର୍ଯ୍ୟାୟରେ ୧୯୯୯ ମସିହାରେ ଏହି ଘରୋଇକରଣ ଆହୁରି କ୍ଷିପ୍ର ହେବା ସହିତ ଓଡ଼ିଶାର ବିଜୁଳି କ୍ଷେତ୍ରକୁ ଆମେରିକାନ୍ କମ୍ପାନୀ (ଏ.ଇ.ଏସ୍) ହାତରେ ଟେକି ଦିଆଯାଇଥିଲା । ସେତେବେଳେ ଓଡ଼ିଶାରେ ବିଦୁ୍ୟତ୍ ପରିବହନ ଜନିତ କ୍ଷତି ୫୬ ଶତାଂଶ ଥିଲା ଏବଂ ଓଡ଼ିଶା ରାଜ୍ୟ ବିଦୁ୍ୟତ୍ ବୋର୍ଡର ଆର୍ଥିକ କ୍ଷତି ୩୦୦ କୋଟି ଟଙ୍କାରେ ପହଂଚିଥିଲା । ଏହି ଘରୋଇକରଣର ଲକ୍ଷ୍ୟ ଥିଲା ପରିବହନ ଜନିତ କ୍ଷତିକୁ ଶତକଡ଼ା ୧୫ରେ ପହଂଚାଇବା ଏବଂ ସେଥିରେ ବ୍ୟୟ ହେଉଥିବା ଅର୍ଥକୁ ସଂଚୟ କରିବା ଏବଂ ରାଜ୍ୟର ବିଜୁଳି ଉପଭୋକ୍ତାମାନଙ୍କୁ ଶସ୍ତା ଓ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ଗୁଣାତ୍ମକ ବିଜୁଳି ସେବା୨୪ ଘଂଟା ଯୋଗାଇଦେବା । କିନ୍ତୁ ଦୁଃଖ ଓ କ୍ଷୋଭର କଥା, ୨୫ବର୍ଷର ବିଜୁଳି ଘରୋଇକରଣ ସତ୍ୱେ ମଧ୍ୟ ଏହି ଲକ୍ଷ୍ୟ ସାଧିତ ହୋଇପାରିନାହିଁ । ରାଜ୍ୟବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଶସ୍ତା ଓ ସୁଲଭ ମୂଲ୍ୟରେ ବିଜୁଳି ଦେବାର ପ୍ରତିଶ୍ରୁତି ପରିବର୍ତେ ପ୍ରତିବର୍ଷ ବିଦୁ୍ୟତ୍ଶୁଳ୍କ ବଢ଼ିବଢ଼ି ଚାଲିଛି । ନିରବଚ୍ଛିନ୍ନ ଗୁଣାତ୍ମକ ବିଜୁଳି ସେବା କଥା ନ କହିବା ଭଲ । ପାୱାରକଟ୍, ଲୋ ଭୋଲଟେଜ୍ ଓ ଲୋଡ୍ ଫେଡିଙ୍ଗ୍ ରେ ବିଦୁ୍ୟତ୍ ଗ୍ରାହକମାନେ ଅତିଷ୍ଠ । ଏହାବ୍ୟତୀତ ପରବହନ ଜନିତ କ୍ଷତି କମାଇବାରେ ବିଜୁଳି କମ୍ପାନୀମାନେ ସମର୍ଥ ହୋଇପାରିନାହାଁନ୍ତି । ନିଜର ଦୁର୍ନୀତି, ଭ୍ରଷ୍ଟାଚାର ଓ ଚୋରି ଯୋଗୁଁ ପରିବହନଜନିତ କ୍ଷତି ଆଜି ମଧ୍ୟ ଶତକଡ଼ା ୩୨ଶତାଂଶ । ବର୍ଷକୁ ଯଦି ଏକ ଶତାଂଶ ଟ୍ରାନ୍ସମିସନ୍ କ୍ଷତିକୁ ରୋକାଯାଇପାରନ୍ତା, ତା’ହେଲେ ବାର୍ଷିକ ୭୫ ରୁ ୮୦ କୋଟି ଟଙ୍କା ରାଜକୋଷରେ ସଂଚୟ ହୋଇପାରନ୍ତା । ସେଥିପାଇଁ ପ୍ରତିବର୍ଷ ଖାଉଟିମାନଙ୍କୁ ବିଦୁ୍ୟତ୍ ଦର ବୃଦ୍ଧିର ବୋଝ ବୋହିବାକୁ ପଡ଼ନ୍ତା ନାହିଁ । କିନ୍ତୁ, ଦୁଃଖର କଥା, ରାଜ୍ୟ ସରକାର ଓ ବିଦୁ୍ୟତ୍ କମ୍ପାନୀମାନଙ୍କର ଶୋଷଣର ଢାଲ ସାଜିଥିବା ବିଦୁ୍ୟତ୍ ନିୟାମକ ଆୟୋଗ (ଓ.ଇ.ଆର.ସି.) ରାଜ୍ୟବାସୀଙ୍କର ଏ ସ୍ୱାର୍ଥକୁ ଦୀର୍ଘଦିନ ହେଲା ଅଣଦେଖା କରିଆସୁଛନ୍ତି । ନିଜର ଦୁର୍ବଳତାକୁ ଘୋଡାଇବାକୁ ଯାଇ ସେମାନେ ଟାଟା କମ୍ପାନୀ ହାତକୁ କେନ୍ଦ୍ରାଂଚଳ ୨୭ ଲକ୍ଷ ଖାଉଟିଙ୍କ ଭାଗ୍ୟ (ସେସୁ) କୁ ଟେକି ଦେଇଛନ୍ତି । କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଅନୁଗୋଳ, ଖୋର୍ଦ୍ଧା, ପୁରୀ ପରେ ବର୍ତମାନ ଟାଟା କମ୍ପାନୀର ଲୋଲୁପ ଆଖି ୱିସ୍କୋ ଓ ସାଉଥକୋ ଉପରେ ପଡ଼ିଛି । ଓ.ଇ.ଆର.ସି.କୁ ଢାଲ କରି ଟାଟା ବର୍ତମାନ ସମ୍ବଲପୁର, ରାଉରକେଲା, ଝାରସୁଗୁଡା, ବରଗଡ଼, ବଲାଙ୍ଗିର, କଳାହାଣ୍ଡି ପ୍ରଭୃତି ୱେସ୍କୋ କମ୍ପାନୀ ଅନ୍ତର୍ଭୁକ୍ତ ଅଂଚଳରେ ବିଜୁଳି ସେବା ନେବାକୁ ଯାଉଛି । ସେହିଭଳି ସାଉଥକୋ ଅଂଚଳର ବ୍ରହ୍ମପୁର, ରାୟଗଡ଼ା, ପାରଳାଖେମୁଣ୍ଡି ଓ ଜୟପୁର ଅଂଚଳରେ ଟାଟା କମ୍ପାନୀ ଖାଉଟିମାନଙ୍କୁ ବିଜୁଳି ସେବା ଯୋଗାଇ ଦେବବୋଲି ଖୁବ୍ ଶୀଘ୍ର କାର୍ଯ୍ୟାଦେଶ ହାତେଇବାକୁ ଯାଉଛି । ଏହା ଫଳରେ ସେସୁ, ୱିସ୍କୋ, ସାଉଥକୋ ଅଂଚଳର ପାଖାପାଖି ୬୫ଲକ୍ଷ ଗ୍ରାହକଙ୍କ ପାଇଁ ବିଜୁଳି ସେବା ଯୋଗାଇବାର ଅଧିକାର ଟାଟା କମ୍ପାନୀକୁ ଦିଆଯିବ । ଦୀର୍ଘଦିନ ଧରି ରାଜ୍ୟର ଖଣିଜ ସମ୍ପଦ ଓ ଲୁହାପଥରକୁ ଲୁଟ୍ କରି ନିଜର ଶିଳ୍ପ ସାମ୍ରାଜ୍ୟ ବୃଦ୍ଧି କରିଥିବା ଟାଟା କମ୍ପାନୀ ହାତରେ ରାଜ୍ୟର ୬୫ଲକ୍ଷ ବିଜୁଳି ଉପଭୋକ୍ତାଙ୍କ ଭାଗ୍ୟକୁ ଟେକି ଦିଆଯିବ । ରାଜ୍ୟ ସରକାର ଓ ଓ.ଇ.ଆର.ସି.ର ଏହି ଏକଚାଟିଆ ‘ଟାଟା ପ୍ରୀତି’କୁ ବିରୋଧ କରିଛି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏକ ପ୍ରେସ୍ ବିବୃତିରେ ୱେସ୍କୋ ଓ ସାଉଥକୋକୁ ଟାଟା କମ୍ପାନୀ ହାତକୁ ଟେକିଦେବାର ବିରୋଧ କରିବା ସହିତ ଯଦି ଓ.ଇ.ଆର.ସି. ଓ ରାଜ୍ୟ ସରକାର ଏହି ନିଷ୍ପତିରୁ ନ ଓହରନ୍ତି, ତା’ହେଲେ ଆଗାମୀ ଦିନରେ ଗଣ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସତର୍କ କରାଇ ଦେଇଛନ୍ତି । ଟାଟା ହାତରେ ରାଜ୍ୟର ବିଜୁଳି ଉପଭୋକ୍ତାଙ୍କ ଭାଗ୍ୟକୁ ଛାଡ଼ି ନ ଦେଇ ବରଂ ରାଜ୍ୟ ସରକାର ଖାଉଟିଙ୍କ ସ୍ୱାର୍ଥ ଦୃଷ୍ଟିରୁ ନିଜେ ବିଜୁଳି ସେବା ଯେଗାଇ ଦେବାକୁ ସେ ଆହ୍ୱାନ ଦେଇଛନ୍ତି । ରାଜ୍ୟର ବିଜୁଳି କର୍ମଚାରୀ ସଂଘ ଏବଂ ବିଭିନ୍ନ ରାଜନୈତିକ ଦଳ ଗୁଡ଼ିକ ସରକାରଙ୍କ ଟାଟା ପ୍ରେମକୁ ବିରୋଧ କରି ଏହି ନିଷ୍ପତି ବିରୁଦ୍ଧରେ ଗଣଅନ୍ଦୋଳନ ଗଢ଼ି ତୋଳିବା ପାଇଁ ଶ୍ରୀ ବେହେରା ସମସ୍ତଙ୍କୁ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ଜିଲ୍ଲା ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ସମ୍ମିଳନୀ

କେନ୍ଦ୍ରାପଡ଼ା, ୧୦/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ବିଜୁ ଜନତା ଦଳ ଆଇନଜୀବୀ ସାମ୍ମୁଖ୍ୟ ସମ୍ମିଳନୀ ସ୍ଥାନୀୟ ଟାଉନହଲ ପରିସରରେ ରବିବାର …

Leave a Reply

Your email address will not be published. Required fields are marked *