Tuesday , October 4 2022
Home / କୃଷି / ଆଇ.ସି.ଏ.ଆର-ସିଫାରେ ମହିଳା କୃଷିଜୀବି ଦିବସ ପାଳିତ

ଆଇ.ସି.ଏ.ଆର-ସିଫାରେ ମହିଳା କୃଷିଜୀବି ଦିବସ ପାଳିତ

ଭୁବନେଶ୍ୱର, ୦୫/୧୨/୨୦୨୦ (ଓଡ଼ିଶା ସମାଚାର)- କୃଷି ବିଜ୍ଞାନ କେନ୍ଦ୍ର, ଖୋର୍ଦ୍ଧା ଓ ଆଇ.ସି.ଏ.ଆର – କେନ୍ଦ୍ରୀୟ ମଧୁରଜଳ କୃଷି ଗବେଷଣା ପ୍ରତିଷ୍ଠାନ କୌଶଲ୍ୟାଗଙ୍ଗର ମିଳିତ ସହଯୋଗରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ରାଜସ୍ୱ ଗ୍ରାମରେ ମହିଳା କୃଷିଜୀବି ଦିବସ କୋଭିଡ଼୍ ଗାଇଡ଼୍ ଲାଇନ୍ ଅନୁସାରେ ଗତ ୪ ତାରିଖ ଦିନ ପାଳିତ ହୋଇଯାଇଛି ।କୃଷିଜିବୀମାନଙ୍କ ମଧ୍ୟରେ ପ୍ରାୟ ୩୦ ଶତକଡ଼ା ମହିଳା କୃଷି କ୍ଷେତ୍ରସହ ସିଧା ସଳଖ ଜଡ଼ିତ ଥିବାବେଳେ ପ୍ରାୟ ଶତକଡ଼ା ୪୫ ଭାଗ ମହିଳା କୃଷି ଶ୍ରମିକ ଭାବରେ କାର୍ଯ୍ୟ କରିଥାନ୍ତି ।
କୃଷିକ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନ ଫଳରେ ଦାରିଦ୍ର୍ୟତା ଦୂର ହୋଇପାରୁଛି ଓ ଖାଦ୍ୟ ନିରାପତାରେ ଉନ୍ନତି ହେଉଛି । ଏହାକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ କର୍ମଜୀବି ମହିଳା ଦିବସ ପାଳିତ ହୋଇଆସୁଛି । ଏପିଇଡ଼ି ର ବିଭାଗୀୟ ମୁଖ୍ୟ ଡ଼ଃ ବି.ଆର. ପିଲାଇ ଅତିଥି ଓ ଉପସ୍ଥିତ ମହିଳା କୃଷିଜୀବି ମାନଙ୍କୁ ସ୍ୱାଗତ କରି କୃଷିକାର୍ଯ୍ୟରେ ମହିଳାମାନଙ୍କ ଅବଦାନର ଭୂୟସୀ ପ୍ରଶଂସା କରିଥିଲେ । ସରକାର ଓ ବିଭିନ୍ନ ବ୍ୟାଙ୍କ ମହିଳାମାନଙ୍କୁ ଯୋଗାଇ ଦେଉଥିବା ସ୍ୱତନ୍ତ୍ର ସୁବିଧା ସୁଯୋଗ ହାସଲ କରିବା ଉଚିତ୍ ବୋଲି କହିଥିଲେ । ଜଳ କୃଷିକ୍ଷେତ୍ରରେ ମହିଳା କୃଷିଜିବୀମାନେ କିପରି ଅଧିକ ସଫଳତା ହାସଲ କରିବେ ସେ ସଂପର୍କରେ ସିଫାର ପ୍ରଧାନ ବୈଜ୍ଞାନିକ ଡ଼ଃ କାନ୍ତା ଦାସ ମହାପାତ୍ର ପ୍ରକାଶ କରିଥିଲେ ।
ନିର୍ଦ୍ଧେଶକ ଡ଼ଃ ସରୋଜ କୁମାର ସ୍ୱାଇଁ ମଧୁରଜଳରେ ମହିଳାମାନେ ମତ୍ସ୍ୟ ଚାଷ କରିବା ପାଇଁ ସିଫା ଦ୍ୱାରା ପ୍ରଣିତ ହୋଇଥିବା ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ଗୁଡ଼ିକର ବିଷଦ ବିବରଣୀ ପ୍ରଦାନ କରିଥିଲେ । ବିଗତ ତିନି ଦଶନ୍ଧି ଧରି ବିଭିନ୍ନ ବାହ୍ୟ ସେବା ପ୍ରକଳ୍ପ ମାଧ୍ୟମରେ ବିଶେଷକରି ମହିଳା ମାନେ ଉପକୃତ ହେଉଛନ୍ତି ବୋଲି ପ୍ରକାଶ କରିଥିଲେ ।ସିଫାରେ କାର୍ଯ୍ୟକାରୀ ହେଉଥିବା ଅନ୍ୟାନ୍ୟ ପ୍ରକଳ୍ପ ଗୁଡ଼ିକରେ ସମାନୁପାତରେ ମହିଳାମାନଙ୍କୁ ଅଗ୍ରାଧିକାର ଭିତିରେ ପ୍ରଶିକ୍ଷଣ, କୌଶଳ ବିକାଶ, ବୈଷୟିକ ଜ୍ଞାନ ପ୍ରଦାନ କରି ଉତ୍ସାହିତ କରାଯାଉଛି ବୋଲି କହିଥିଲେ ।ବିଭିନ୍ନ ମହିଳାଗୋଷ୍ଠୀ ମାଧ୍ୟମରେ ମତ୍ସ୍ୟଚାଷ, ଜାଆଁଳ ଉତ୍ପାଦନ, ରଙ୍ଗୀନ ମାଛଚାଷ, ଗୋଷ୍ଠୀ ପୋଖରୀରେ ମାଛଚାଷ ଇତ୍ୟାଦି କାର୍ଯ୍ୟକ୍ରମ ମାଧ୍ୟମରେ ସିଫା ମହିଳାମାନଙ୍କୁ ମାଛଚାଷ ପାଇଁ ପ୍ରୋତ୍ସାହନ ଦେଇ ସେମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନଚ୍ଛିରେ ସହାୟକ ହେଉଛି ଓ ମହିଳାମାନେ ଚାହିଁଲେ “ରଙ୍ଗୀନ ମାଛଚାଷ ଗାଁ ” କରି ନିଜସ୍ୱ ଉଦ୍ୟୋଗ ପ୍ରତିଷ୍ଠା କରିପାରିବେବୋଲି ଡ଼ଃ ସ୍ୱାଇଁ ପ୍ରକାଶ କରିଥିଲେ ।
ସେଂଟର ଫର୍ ଆକ୍ସନ ରିସର୍ଚ୍ଚ ଏଣ୍ଡ ଡ଼କୁମେଂଟସନ୍ ର ନିର୍ଦ୍ଧେଶିକା ମଂଜୁ ଧଳ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ରାଷ୍ଟ୍ର ଗଠନରେ ମହିଳା ମାନଙ୍କ ଭୂମିକା ର ଗୁରୁତ୍ୱ ବର୍ଣ୍ଣନା କରିଥିଲେ ।ସମ୍ମାନିତ ଅତିଥି ରାଜସ୍ୱ ଗ୍ରାମପଂଚାୟତ ସରପଂଚ ଶ୍ରୀବାସୁ ଦେବ ପାଳ ସରକାରୀସ୍ତରରେ କୃଷି ପାଇଁ ମହିଳାମାନଙ୍କୁ ଯୋଗାଇ ଦିଆଯାଉଥିବା ସୁବିଧା ଗୁଡ଼ିକ ସଂପର୍କରେ କହିଥିଲେ ।ଏହି ଅବସରରେ କୃଷି ବିଜ୍ଞାନ କେନ୍ଦ୍ର ଖୋର୍ଦ୍ଧାର ବରିଷ୍ଠ ଅଧିକାରୀ ଶ୍ରୀ ଅଜୟ କୁମାର ଦାଶ ଗ୍ରାମାଂଚଳରେ କାର୍ଯ୍ୟକାରୀ ହେଉଥିବା ଅଗ୍ରଣୀ ପ୍ରକଳ୍ପ ଓ ସେଥିରେ ମହିଳା ମାନଙ୍କର ଅବଦାନ ସଂପର୍କରେ ସୂଚନା ଦେଇଥିଲେ ।ଏହି ଉତ୍ସବରେ ନିଗମ ସାରସ୍ୱତ କୃଷକ କ୍ଲବର ସଭାପତି ପ୍ରତାପ ଚନ୍ଦ୍ର ନାୟକ ଅନ୍ୟତମ ଅତିଥି ଭାବରେ ଯୋଗଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ୧୩୦ ଜଣ ମହିଳା କୃଷିଜୀବି ଯୋଗଦାନ କରି ସେମାନଙ୍କର ଅନୁଭୂତିକୁ ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ବୈଜ୍ଞାନିକ ଶ୍ରୀମତି ଶ୍ୱେତା ପ୍ରଧାନ ଓ ସୁକାନ୍ତି ବେହେରା ସଂଯୋଜନା କରିଥିବାବେଳେ, ଡ଼ଃ ଉତ୍କଳଲକ୍ଷ୍ମୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.