କେନ୍ଦ୍ରାପଡା, ୨୮/୦୬/୨୦୨୦(ଓଡ଼ିଶା ସମାଚାର)-କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟିରେ ଋଣ ପ୍ରଦାନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ପାଇବା ପରେ ରାଜ୍ୟ କୋ-ଅପରେଟିଭ ସୋସାଇଟିର ଅତିରିକ୍ତ ରେଜିଷ୍ଟ୍ରାରଏହାର ତଦନ୍ତ କରାଯିବାକୁ କଟକ ଡିଭିଜନ-୨ର ଡେପୁଟୀ ରେଜିଷ୍ଟ୍ରାରଙ୍କୁ ନିର୍ଦେଶ ଦେଇଥିବା ସୂଚନା ମିଳିଛି । ରାଜ୍ୟ ସମବାୟ ମନ୍ତ୍ରୀଙ୍କୁ କେନ୍ଦ୍ରାପଡାର ଅମିତ କୁମାର ସାହୁ ଅଭିଯୋଗ କରିଛନ୍ତି ଯେ ସେ ଜଣେ କ୍ଷୁଦ୍ର ବ୍ୟବସାୟୀ । କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟିରେ ଦୈନିକ ଟଙ୍କା ଜମାକରିଲେ ତାଙ୍କୁ ସୋସାଇଟି ପକ୍ଷରୁ ଅଧିକ ଋଣ ମିଳିବ ବୋଲି ପ୍ରଲୋଭିତ କରାଯାଇଥିଲା । ସେହି ଅନୁଯାଇ ସେ ପ୍ରତିଦିନ ଟଙ୍କା ଜମା ରଖିବା ପରେ ଋଣ ପାଇଁ ଆବେଦନ କଲେ । କିନ୍ତୁ ତାଙ୍କୁ ଏଲ.ଆଇ.ସି. ପଲିସି ଦାଖଲ ନକଲେ ସୋସାଇଟିରୁ ଋଣ ମିଳିବ ନାହିଁ ବୋଲି କୁହାଗଲା । ଏଥି ପାଇଁ ତାଙ୍କୁ ଜନୈକ ବ୍ୟକ୍ତିଙ୍କ ପାଖରେ ଏଲ.ଆଇ.ସି. ପଲିସି କରିବାକୁ ବାଧ୍ୟ କରାଗଲା । ଏପରିକି ପ୍ରଧାନମନ୍ତ୍ରୀ ବୀମା ଯୋଜନା କଲେ କମ ପ୍ରିମିୟମ ଦେବାକୁ ପଡିବ ବୋଲିକହିବା ପରେବି ତାଙ୍କ କଥା ଶୁଣାଯାଇନଥିଲା । ଅନେକ କ୍ଷେତ୍ରରେ ଋଣ ଗ୍ରହୀତା ଗୋଟିଏ ପଲିସି କରିଥିବାବେଳେ ତାକୁ ଭାଗଭାଗ କରାଯାଇ ଋଚ୍ଚୀଙ୍କ ଜାଲ ସ୍ୱାକ୍ଷର ବଳରେ ଏକାଧିକ ପଲିସି କରିଦିଆଯାଇ ଥିବା ଶ୍ରୀ ସାହୁ ଅଭିଯୋଗ ପତ୍ରରେ ଦର୍ଶାଇଥିବାବେଳେ ଋଣ ଅର୍ଥରୁ ବୀମା ବାବଦ ଅର୍ଥ କାଟିନିଆଯାଇଥିବା କହିଛନ୍ତି । ସେ ଆହୁରି ଅଭିଯୋଗ କରିଛନ୍ତି ଯେ ଋଣ ଗ୍ରହୀତା ଋଣ କଲେ ତାଙ୍କଠାରୁ ୩୦ ପ୍ରତିଶତ ଅର୍ଥ ସିକୁ୍ୟରିଟି ଆକାରରେ କାଟି ନିଆଯାଉଛି । ଯଦ୍ୱାରା ଋଣ ଗ୍ରହୀତା ଜମି ବାଡି ବିକି ଋଣ ଅର୍ଥ ଶୁଝିବାକୁ ବାଧ୍ୟ ହେଉଛି । ତେଣୁ ଏହି ୩୦ ପ୍ରତିଶତ ସିକୁ୍ୟରିଟି ବ୍ୟବସ୍ଥା ବନ୍ଦ କରାଯିବା ସହ ଜି.ଆଇ.ସି. ପଲିସି କିମ୍ବା ପ୍ରଧାନମନ୍ତ୍ରୀ ବୀମା କରାଇବାକୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଶ୍ରୀ ସାହୁ ସମବାୟ ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ସମବାୟ ମନ୍ତ୍ରୀଏହି ଅଭିଯୋଗ ଉପରେ ତଦନ୍ତ ପାଇଁ ନିର୍ଦେଶ ଦେଇଥିବା ଜଣା ପଡିଛି । ଅଭିଯୋଗକାରୀ ଶ୍ରୀ ସାହୁଙ୍କ ସମେତ ରମାକାନ୍ତ ପାଇକ, ବସନ୍ତ ଘଡେଇ, ଗୋବିନ୍ଦ ଚନ୍ଦ୍ରସାହୁ ଓ ଗୋପାଳ ବିହାରୀ ଦାସ ପ୍ରମୁଖ ସମବାୟ ମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି । ମନ୍ତ୍ରୀଙ୍କ ତଦନ୍ତ ନିର୍ଦେଶ ପରେ ଅତିରିକ୍ତ ରେଜିଷ୍ଟ୍ରାର ଡେପୁଟୀ ରେଜିଷ୍ଟ୍ରାରଙ୍କୁ ଏହି ଅଭିଯୋଗ ଉପରେ ତଦନ୍ତ କରିରିପୋର୍ଟ ପ୍ରଦାନ କରିବାକୁ ପତ୍ର ଲେଖିଛନ୍ତି । ଓଡ଼ିଶା ସମାଚାର