Thursday , October 21 2021
Breaking News
Home / ବିଶେଷ / ଫେରି ବ୍ୟବସାୟ ଉପରେ କରୋନା ମାଡ –  ଦୁଇ ଓଳି ଜଳୁନି ଚୁଲି, ଆଉ ଡାକୁ ନାହାଁନ୍ତି ଗାଁ କୁ ଗାଁ ବୁଲି ବୁଲି

ଫେରି ବ୍ୟବସାୟ ଉପରେ କରୋନା ମାଡ –  ଦୁଇ ଓଳି ଜଳୁନି ଚୁଲି, ଆଉ ଡାକୁ ନାହାଁନ୍ତି ଗାଁ କୁ ଗାଁ ବୁଲି ବୁଲି

ଭୁବନ ୧୯/୦୫/୨୦୨୦(ଓଡ଼ିଶା ସମାଚାର)- ଶଙ୍ଖା ନେବ ଶଙ୍ଖା… ଚୁଡି ନେବ ଚୁଡି …. ଆଉ ଶୁଭୁନି ଫେରିବାଲାର ଡାକ । ମହାମାରୀ କରୋନା ଯୋଗୁ ଫେରିବାଲାଙ୍କର ବେପାର ସଂପୂର୍ଣ୍ଣ ବନ୍ଦ । ଫେରି ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବ୍ୟକ୍ତି ମାନେ ଏବେ ଓଳିଏ ଖାଇଲେ ଓଳିଏ ଉପାସ ଭୋକରେ ରହୁଛନ୍ତି । ଭୁବନ ଏନଏସି ରେ ରାତି ପାହିବା ପୂର୍ବରୁ ଭୋର ସମୟରେ ଶତାଧିକ ଫେରିବାଲା ସାଇକେଲ,ମୋଟର ସାଇକେଲରେ ଶଙ୍ଖା, ସିନ୍ଦୁର, ଅଳତା, ଟିକିଲି, ରେଡିମେଡ ଡ୍ରେସ, ଶାଢୀ,ସିଲିଭର, କଂସା ପିତଳ ବାସନ କୁସନ, ପାଉଁରୁଟି, ମିଶ୍ଚର, ଭୁଜିଆ, ଗଣ୍ଠିଆ, ଆଇସକ୍ରିମ, ପ୍ଲାଷ୍ଟିକ ସାମଗ୍ରୀ, ଖଟା, ଆଚାର ,ମୁଢୀ ଓ ଭଳିକି ଭଳି ଜିନିଷ ନେଇ ବିଭିନ୍ନ ଗାଁ କୁ ଗାଁ ବୁଲି ବେପାର କରିଥାନ୍ତି । ଭୁବନ ର ଅଧିକାଂଶ ବେପାରୀ ପଡୋଶୀ ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଉପତ୍ୟକତା ମାଇନିଂ ଅଂଚଳ ରେ ହିଁ ବେପାର କରି ପେଟ ପୋଷିଥାନ୍ତି । ଯାଜପୁର ଜିଲ୍ଲା ଏବେ କରୋନା ପାଇଁ ହଟସ୍ପଟ ତଥା ରେଡ ଜୋନ ହୋଇଥିବାରୁ ଢେଙ୍କାନାଳ ଲୋକ ଯାଜପୁର କି ଯାଜପୁର ଲୋକ ଢେଙ୍କାନାଳ କୁ ଯିବା ଆସିବା କରିବାରେ ଉଭୟ ଜିଲ୍ଲା ପ୍ରଶାସନ କଠୋର ନିଷ୍ପତି ନେଇ ସୀମାନ୍ତରେ ନାକାବନ୍ଦି କରିଛନ୍ତି । ତା ସହିତ ବୁଲା ବିକାଳୀ,ଫେରି ବ୍ୟବସାୟ ଉପରେ ମଧ୍ୟ ରୋକ ଲାଗିଥିବାରୁ ଫେରି ବ୍ୟବସାୟ କରି ଚଳୁଥିବା ବ୍ୟକ୍ତି ଏବେ ଦୁର୍ଦ୍ଧିନରେ ପଡିଛନ୍ତି । ସେମାନଙ୍କର ଦୁଇ ଓଳି ଚୁଲି ଜଳିପାରୁନି । ପରିବାର ଚଳାଇବା ଚିନ୍ତାରେ ଏବେ ଫେରି ବେପାରୀ ।

କେମିତି ଅଛନ୍ତି ଓ କ’ଣ କୁହନ୍ତି ଫେରିବାଲା

ସରୋଜ କୁମାର ପୃଷ୍ଟି (ଆଚାର ବେପାରୀ ) –  ଯାଜପୁର ଜିଲ୍ଲା ସୁକିନ୍ଦା ମାଇନି ଅଂଚଳ ସମେତ ଢେଙ୍କାନାଳ ଜିଲ୍ଲାର ଉପାନ୍ତ ଅଂଚଳ କଙ୍କଡାହାଡ ଅଂଚଳରେ ଆମ୍ବ, ଲେମ୍ବୁ, ଲଙ୍କା, କୋଳି,ମିକ୍ସଚର, ଆଚାର ବ୍ୟବସାୟ କରି ଦିନକୁ ଟଙ୍କା ୫ ଶହ ରୋଜଗାର ହେଉଥିଲା । କରୋନା ଯୋଗୁ ସରକାର ଲକଡାଉନ କରି ଥିବାରୁ ଆମ୍ଭ ବେପାର ସଂପୂର୍ଣ୍ଣ ଠପ ହୋଇଯାଇଛି । ବାହାରକୁ ଯାଇ ବେପାର କରିବାକୁ ପୋଲିସ ଅନୁମତି ଦେଉନାହିଁ । ଏନଏସି ପ୍ରଶାସନ କେତେକ ଉଠା ଦୋକାନୀ ଙ୍କୁ ୩ ହଜାର ଟଙ୍କା ଲେଖାଏଁ ସହାୟତା ଦେଇଛନ୍ତି କିନ୍ତୁ ଆମ୍ଭ ଭଳି ବୁଲା ବିକାଳି ଙ୍କ ପାଇଁ ସରକାରଙ୍କର କୌଣସି ଯୋଜନା ନଥିବାରୁ ଆମ୍ଭେ ଏବେ ଉପାସ ଭୋକରେ ରହିବାକୁ ବାଧ୍ୟ ହେଉଛୁ ।

କୋଦଣ୍ଡଧର ସାହୁ (ମିଶ୍ଚର ବେପାରୀ ତଥା ପୂର୍ବତନ କାଉନସିଲର) – ପିଲା ବେଳୁ ସମାଜ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ଦୁଇ ଦୁଇ ଥର ଏନଏସିରେ କାଉନସିଲର ଭାବେ ନିର୍ବାଚିତ ହୋଇ ଲୋକଙ୍କ ସେବା କରିବାର ସୁଯୋଗ ପାଇଥିଲି । ଲୋକଙ୍କ ପାଇଁ ବହୁତ କିଛି କରିଛି । ନିଜ ପାଇଁ ଓ ନିଜ ପରିବାର ପାଇଁ ଏବେ ଗାଁ ଗାଁ ବୁଲି ମିଶ୍ଚର, ପାଉଁରୁଟି, ଭୁଜିଆ, ଗାଣ୍ଠିଆ ଇତ୍ୟାଦି ବିକ୍ରି କରି ଚଳୁଥିଲି । ଲକଡାଉନ ତାଙ୍କ ବେପାରରେ ତାଲା ପକାଇ ଦେଇଥିବା ଯୋଗୁ ଏବେ ଘରେ ରହିଛି । ପେଟ ଭୋକ ସମ୍ଭାଳି ହେଉନି । ପରିବାର ଚଳାଇବା ବହୁତ କଷ୍ଟ ଲାଗୁଛି । କରୋନା କେବେ ଯିବ, ଲକଡାଉନ କେବେ ଉଠିବ , ଆମ ବେପାର ହେବ ।

ମକରା ସାହୁ (ମୁଢୀ ବେପାରୀ ) – ପାହାନ୍ତା ପ୍ରହରରୁ ସାକେଲରେ ମୁଢୀ ବସ୍ତା ଲଦି ୧୦ ଖଣ୍ଡ ଗାଁ ବୁଲି ମୁଢୀ ବେପାର କରି ପରିବାର ଚଳାଇଥାଏ । ଲକଡାଉନ ଯୋଗୁ ଭାଟି ବନ୍ଦ । ତେଣୁ ମୁଢୀ ଆସିବ କେଉଁଠୁ ? ଲକଡାଉନରେ କେବଳ ପରିବା, ଫଳ, ଅଣ୍ଡା, ମାଛ, ମାଂସ, ଗ୍ରୋସେରୀ ଦୋକାନୀ ତାଙ୍କ ବେପାର ଠିକ କରୁଛନ୍ତି କିନ୍ତୁ ଆମ୍ଭ ଭଳି ଗାଁ ଗାଁ ବୁଲି ବେପାର କରୁଥିବା ଲୋକମାନେହିଁ ହିନସ୍ତା ହେଉଛନ୍ତି । ସରକାର ଉଠା ଦୋକାନୀ ଙ୍କ ପାଇଁ ସହାୟତା ଯୋଗାଇ ଦେଲେ ଯେଉଁମାନେକି ଏବେ ରାସ୍ତା କଡରେ ବେପାର କରୁଛନ୍ତି ସେମାନେ ଉପକୃତ ହେଲେ । ଅଥଚ ସଂପୂର୍ଣ୍ଣ ବେପାର ବନ୍ଦ ଥିବା ବୁଲା ବିକାଳି ଙ୍କ ପାଇଁ କିଛି ଆର୍ଥôକ ସହାୟତା ନଦେବା ଦୁଃଖଦାୟକ । ସରକାର ଆମ୍ଭ ଭଳି ବୁଲା ବିକାଳି ଙ୍କ ପାଇଁ କିଛି ବ୍ୟବସ୍ଥା କରିବାକୁ ନିବେଦନ । ଓଡ଼ିଶା ସମାଚାର

About admin

Check Also

କୋଭିଡ୍ କଟକଣା ପାଇଁ ଫିକା ପଡିଲା ପାରାଵିଲ୍ ଗଜଲକ୍ଷ୍ମୀ ପୂଜା, ପୁରୁଣା ମାଢିରେ ନୂଆ ମୂର୍ତ୍ତି

କଟକ ସଦର, ୨୦/୧୦/୨୧(ଓଡିଶା ସମାଚାର/ଵିଷ୍ଣୁ ବେହେରା): କଟକ ସଦର ଅଞ୍ଚଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କୋଭିଡ କଟକଣା ଯୋଗୁଁ ଫିକା …

Leave a Reply

Your email address will not be published. Required fields are marked *