ଗରଦପୁର ୧୮/୫/୨୦୨୦ ( ଓଡ଼ିଶା ସମାଚାର)- ବିଭିନ୍ନ ରାଜ୍ୟମାନଙ୍କରୁ ଆସି ସଙ୍ଗରୋଧ କେନ୍ଦ୍ରରେ ରହିଥିବା ପ୍ରବାସୀମାନଙ୍କ ମଧ୍ୟରେ ଥିବା କିଛି ଅମାନିଆ ଙ୍କ ବିଭିନ୍ନ କାର୍ଯ୍ୟକୁ ନେଇ ସମ୍ପୃକ୍ତ ଗ୍ରାମବାସୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ପ୍ରକାଶ ଯେ,ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରୀ ପଂଚାୟତର ହରିଦାସପୁର ଗ୍ରାମର ପଂଚାୟତ ନାଗମଣୀ ହାଇସ୍କୁଲ ଠାରେ କରାଯାଇଥିବା ସଙ୍ଗରୋଧ କେନ୍ଦ୍ରରେ ରହିଥିବା ୭୬ଜଣ ପ୍ରବାସୀମାନଙ୍କ ମଧ୍ୟରୁ କେତେକ ଅମାନିଆ ପ୍ରବାସୀମାନଙ୍କ କାର୍ଯ୍ୟକଳାପରେ ସ୍ଥାନୀୟ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗତକାଲି ସନ୍ଧ୍ୟା ସମୟରେ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ପ୍ରବାସୀମାନଙ୍କ ମଧ୍ୟରୁ କେତେକ ପ୍ରବାସୀମାନେ ବିଦ୍ୟାଳୟ ହତା ମଧ୍ୟରୁ ବାହାରି ନିକଟସ୍ଥ ଏକ ପାନ ଦୋକାନରୁ ପାନ ଆଣିବା,ରାସ୍ତା ପାଶ୍ୱର୍ରେ ରହିଥିବା ଏକ ଗଛ ମୂଳରେ ଦୀର୍ଘ ସମୟ ଧରି ସାଧାରଣରେ ଠିଆ ହୋଇ ଲୋକମାନଙ୍କ ସହିତ ଗପସପ କରିବା ଆଦିକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଏହି କେନ୍ଦ୍ରରେ ପ୍ରବାସୀମାନଙ୍କ ପାଇଁ କରାଯାଇଥିବା ୧୬ ହଜାର କ୍ଷମତା ବିଶିଷ୍ଟ ପାଣି ଟାଙ୍କିରୁ ପାଣି ବ୍ୟବହାର କରିବା ପରେ ଟ୍ୟାପ୍ ଗୁଡିକୁ ବନ୍ଦ ନ କରିବା ଆଦି କାର୍ଯ୍ୟ ସମ୍ପର୍କରେ ଦାଇତ୍ୱରେ ରହିଥିବା ପ୍ରଶାସନିକ ଅଧିକାରୀ ମନୋରଞ୍ଜନ ଦେହୁରୀ ଅସନ୍ତୋଷ ପ୍ରକାଶ କରି ଏ ସମ୍ପର୍କରେ ଗରଦପୁର ବିଡିଓଙ୍କୁ ଆପତି ଜଣାଇଥିଲେ । ବେଡାରୀ ପଂଚାୟତର ସରପଂଚ ଗୋକୁଳାନନ୍ଦ ବେହେରା ଆଜି ଅପରାହ୍ନରେ ମଧ୍ୟ ପାଟକୁରା ଥାନା ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିବାର ସରପଂଚ ଶ୍ରୀ ବେହେରା ସୂଚନା ଦେଇଛନ୍ତି । ସେହିପରି ପାଟକୁରା ପଂଚାୟତର ପଣସୁଆସ୍ଥିତ ସିଦ୍ଧବଟ ହାଇସ୍କୁଲ ଠାରେ କରାଯାଇଥିବା ସଙ୍ଗରୋଧ କେନ୍ଦ୍ରରେ ୫୩ଜଣ ପ୍ରବାସୀମାନେ ରହିଥିବାବେଳେ,ସେମାନଙ୍କ ମଧ୍ୟରୁ କେତେକ ଅମାନିଆ ପ୍ରବାସୀମାନେ ସଙ୍ଗରୋଧ କେନ୍ଦ୍ରର ନିୟମ ନ ମାନିବା,ନିକଟସ୍ଥ ରାସ୍ତାକୁ ବାହାରି ଆସିବା,ସ୍ଥାନିୟ ସରପଂଚ ଓ ସେଠାରେ ଦାଇତ୍ୱରେ ବୁଝୁଥିବା ଲୋକମାନଙ୍କ ସହିତ ଅଯଥାରେ ପାଟିତୁଣ୍ଡ କରିବା ଆଦି ଅଭିଯୋଗ ହେଉଛି । ଗତକାଲି ରାତ୍ରୀରେ କେତେକ ପ୍ରବାସୀମାନ ବାହାରକୁ ଆସିବାରୁ ସରପଂଚ ସୂର୍ଯ୍ୟମଣୀ ସେଠୀ ସେମାନଙ୍କୁ ଆକଟ କରିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ଏ ସମ୍ପର୍କରେ ସରପଂଚ ଶ୍ରୀ ସେଠୀ ଗରଦପୁର ବିଡିଓ ରଞ୍ଜନ କୁମାର ମଲ୍ଲିକଙ୍କୁ ଜଣାଇଛନ୍ତି । ଆଜି ଗରଦପୁର ତହସିଲଦାର ଉମାକାନ୍ତ ବିଶ୍ୱାଳ ଏହି କେନ୍ଦ୍ରକୁ ଅନୁଧ୍ୟାନ କରିବା ପାଇଁ ଆସିଥିଲେ । ଓଡ଼ିଶା ସମାଚାର