ସାଲେପୁର, ୧୮/୦୫/୨୦୨୦ (ଓଡ଼ିଶା ସମାଚାର / ଅଭୟ ଜେନା)-ଶନିବାର ଜଣେ ବ୍ୟକ୍ତି ବସ୍ ରେ ଯାଉଥିବା ପ୍ରବାସୀ ଓଡ଼ିଆଙ୍କୁ ଗୁଟ୍ ଖା ଦେଇ ହରଡ଼ଘଣାରେ ପଡିଥିବା ଜଣାଯାଇଛି । ସଂପୃକ୍ତ ବ୍ୟକ୍ତିଙ୍କୁ ସାଲେପୁର ପୁଲିସ ଧରି ୧୪ଦିନ ପାଇଁ କ୍ୱାରେଂଟାଇନ୍ରେ ରଖିଥିବା ଘଟଣା ଏହି ଅଂଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଖବରରୁ ପ୍ରକାଶ ଯେ ଗତକାଲି ଦିନ ପ୍ରାୟ ୪ଟା ସମୟରେ ସାଲେପୁର ପୋଷ୍ଟ ଅଫିସ୍ ନିକଟରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ନିଶ୍ଚିନ୍ତକୋଇଲି ଅଭିମୁଖେ ଯାଉଥିବା ଏକ ବସ୍ କିଛି ସମୟ ପାଇଁ ସେଠାରେ ଅଟକିଥିଲା । ଏହି ସମୟରେ ବସ୍ ମଧ୍ୟରେ ଥିବା ଜଣେ ପ୍ରବାସୀ ଓଡ଼ିଆ ରାସ୍ତା କଡ଼ରେ ଥିବା ଏକ ପାନ ଦୋକାନୀଙ୍କୁ ଗୁଟ୍ଖା ମାଗିଥିଲା । କୋଲଣପୁର ଗ୍ରାମର ସୁନାମଣି ସାମଲ ନାମକ ଏହି ପାନ ଦୋକାନୀ ଗୁଟ୍ ଖା ନେଇ ବସ୍ରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ଦେଇଥିଲା । ଏ ସଂପର୍କରେ ସ୍ଥାନୀୟ ଲୋକେ ସଂଗେ ସଂଗେ ପୁଲିସକୁ ଖବର ଦେବାପରେ ପୁଲିସ ଉକ୍ତ ଯୁବକକୁ ଧରି ସରପଂଚଙ୍କ ଜରିଆରେ ତାଙ୍କୁ ୧୪ଦିନ କ୍ୱାରେଂଟାଇନ ୍ରେ ରଖିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି । ଏହି ଘଟଣା ଏବେ ସାଲେପୁର ଅଂଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ପ୍ରଶାସନର ବେପରୁଆ ମନୋଭାବ ଯୋଗୁ ସାଲେପୁର ଅଂଚଳରେ ନିୟମିତ ବହୁ ପ୍ରବାସୀ ଓଡ଼ିଆ ସାଲେପୁର ବଜାରରେ ଦଳ ଦଳ ହୋଇ ବୁଲୁଥିବାବେଳେ ନିର୍ଭୟରେ ବିଭିନ୍ନ ଦୋକାନରୁ ପାନ, ଗୁଟ୍ ଖା ଓ ଜଳଖିଆ ଖାଉଥିବା ଦେଖିବାକୁ ମିଳିଛି । ପୁଲିସ ପକ୍ଷରୁ ଲକ୍ ଡାଉନ୍ ନିୟମକୁ ଠିକ୍ ଠାକ୍ ପାଳନ କରାଯାଉଥିବାବେଳେ ବ୍ଲକ୍ ପ୍ରଶାସନ କି ତହସିଲ ପ୍ରଶାସନ ଦାୟିତ୍ୱରେ ଥିବା ଅଧିକାରୀମାନେ ଖାମ ଖିଆଲୀ ନୀତି ଅବଲମ୍ବନ କରୁଥିବାରୁ ସାଲେପୁରରେ ଏଭଳି ପରିସ୍ଥିତି ଉପୁଜିଛି ବୋଲି ବହୁ ବୁଦ୍ଧି ଜୀବୀ ମତ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର