କ୍ରସରଗୁଣ୍ଡ ଓ ଫ୍ଲାଏ ଆସ ଯୋଗୁ ବାୟ ପ୍ରଦୂଷଣ ଚରମ ସୀମାରେ , ପାଣି ସିଂଚନ ପାଇଁ ଦାବି
ଭୁବନ ୧୮/୦୫/୨୦୨୦ (ଓଡ଼ିଶା ସମାଚାର)- ବହୁ ଚର୍ଚ୍ଚିତ ଓ ବିଳମ୍ବିତ ଡୁବୁରୀ – ତାଳଚେର ୫୩ ନଂ ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି । ଡୁବୁରୀ ଠାରୁ ଭୁବନ ଦେଇ ତାଳଚେର ୧୦୦ କିମି ପର୍ଯ୍ୟନ୍ତ ଜାତୀୟ ରାଜପଥକୁ ଚାରିଥାକିଆ କରି ତିଆରି କରିବା ପାଇଁ ଦୀର୍ଘ ଦିନର ପ୍ରସ୍ତାବ କାର୍ଯ୍ୟକାରୀ ହୋଇପାରୁନଥିଲା । ଫଳରେ ଏକ ଦୁର୍ଘଟଣା ପ୍ରବଣ ଓ ସମସ୍ୟା ବହୁଳ ରାଜପଥରେ ଏହି ଅଂଶଟି ପରିଣତ ହୋଇଥିଲା । ମାଲ ପରିବହନ ଯାନଗୁଡ଼ିକର ବହୁଳ ଚଳାଚଳରେ ପରିଣତ ହୋଇଥିଲା । ଅନ୍ୟଥା ଟେଣ୍ଡର ଚୁକ୍ତି ହୋଇଥିଲେ ମଧ୍ୟ ଓ ଠିକାଦାରମାନେ କାମ ଆରମ୍ଭ କରିଥିଲେ ମଧ୍ୟ ଅଧାରୁ କାମ ବନ୍ଦ କରି ଫେରି ଯାଇଥିଲେ । ଫଳରେ ଅଧାପନ୍ତରିଆ ଭାବରେ ରାଜପଥର ନିର୍ମାଣ କାର୍ଯ୍ୟ ପଡ଼ିରହିଥିଲା । ପୁନଶ୍ଚ ବାଲାଜି କନଷ୍ଟ୍ରକସନ ତରଫରୁ କାର୍ଯ୍ୟ ଆରମ୍ଭ ହୋଇଛି । ରାସ୍ତା କାର୍ଯ୍ୟରେ ପ୍ରବଳ କ୍ରସରଗୁଣ୍ଡ ଓ ଫ୍ଲାଏଆସ ବ୍ୟବହାର କରାଯାଉଥିବା ଓ ଟ୍ରିପ ଟ୍ରିପ ମାଲ ରାସ୍ତାରେ ଗଦା କରି ରଖାଯାଉଥିବାରୁ ଧୂଳିରେ ଲୋକେ ଅତିଷ୍ଠ ହୋଇପଡୁଛନ୍ତି । ପାଣି ପକାଇବାକୁ ନିୟମ ଥିବା ବେଳେ ସଂପୃକ୍ତ ଠିକା କଂପାନୀ ଆଦୌ ପାଣି ପକାଉରଥିବାରୁ ଧୂଳିଧୂଆଁ ରେ ଲୋକେ ଅଣନିଶ୍ୱାସୀ ହେବା ସହ ଶ୍ୱାସରୋଗ ମଧ୍ୟ ବୃଦ୍ଧି ପାଉଛି । ତା ସାଙ୍ଗକୁ ବିଭିନ୍ନ ଖଣି ଖାଦାନ ଖୋଲାଯିବା ପରେ କୋଇଲା ଓ କ୍ରୋମାଇଟ ପରିବହନ କରୁଥିବା ବଡ଼ବଡ଼ ଯାନଗୁଡ଼ିକର ସଂଖ୍ୟା ବହୁଳ ଭାବେ ବୃଦ୍ଧି ପାଇଛି । ସେଗୁଡ଼ିକୁ ଚାଳକ ମାନେ ପ୍ରତିଯୋଗିତା ଭିତରେ ଦ୍ରୁତ ଗତିରେ ଚଳାଉଥିବା ଯୋଗୁଁଁ ଦୁର୍ଘଟଣା ଘଟିବାର ଆଶଙ୍କା ମଧ୍ୟ ରହୁଛି । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେବାକୁ ଦାବି ହୋଇଛି । ଓଡ଼ିଶା ସମାଚାର