ସାଲେପୁର, ୧୧/୧୧/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା )- ରାସ୍ତା ଉପରେ ବାଲ୍ଟି ରଖିବାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ମାରପିଟ୍ ନେଇ ସାଲେପୁର ଥାନାରେ ପୃଥକ୍ ପୃଥକ୍ ଭାବରେ ଦୁଇଟି ମାମଲା ରୁଜୁ ହୋଇଥିବାବେଳେ ଜଣେ ଆହତ ହୋଇଥିବା ଜଣାଯାଇଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ରାମକୃଷ୍ଣପୁର ଗ୍ରାମର ହରପ୍ରିୟା ରାଉତ ଗତ ୮ତାରିଖ ଅପରାହ୍ଣରେ ରାସ୍ତା ଉପରେ ବାଲ୍ଟି ରଖି ଶୌଚ ହେବାକୁ ଯାଉଥିବାବେଳେ ଉକ୍ତ ଗ୍ରାମର ମନୋଜ କୁମାର ରାଉତ ରାସ୍ତା ଉପରେ ବାଲ୍ଟି ରଖାଯାଇଥିବାରୁ ଗୋଇଠା ମାରି ପକାଇ ଦେଇଥିଲେ । ଫଳରେ ହରପ୍ରିୟା ଏହାକୁ ନେଇ ପାଟିତୁଣ୍ଡ କରିବାରୁ ସତ୍ୟାନନ୍ଦ ରାଉତ ଘଟଣା ସ୍ଥଳରେ ପହଂଚିଯିବାରୁ ମନୋଜ ଓ ସତ୍ୟାନନ୍ଦଙ୍କ ମଧ୍ୟରେ ଠେଲାପେଲା ଓ ମାରପିଟ୍ ହୋଇଥିଲା । ଫଳରେ ସତ୍ୟାନନ୍ଦ ଆହତ ହୋଇଥିବା ନେଇ ସାଲେପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ସେହିପରି ମନୋଜ କୁମାର ରାଉତ ଓ ତାଙ୍କ ପରିବାର ସଦସ୍ୟଙ୍କୁ ହରପ୍ରିୟା ପରିବାର ଲୋକେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ନେଇ ମନୋଜ ରାଉତ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସାଲେପୁର ପୋଲିସ ଉଭୟ ଅଭିଯୋଗକୁ ଗ୍ରହଣ କରି ସାଲେପୁର ଥାନା କେଶ୍ ନଂ୩୧୩ ଓ ୩୧୪ରେ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲୁ ରଖିଥିବା ପୋଲିସ ସୂତ୍ରରୁ ଜଣାଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ସତ୍ୟାନନ୍ଦ ଓ ମନୋଜଙ୍କ ପରିବାର ମଧ୍ୟରେ ଜମିଜମା ବିବାଦକୁ କେନ୍ଦ୍ରକରି ପୂର୍ବରୁ ତିକ୍ତତା ଲାଗିରହିଥିଲା । ଓଡ଼ିଶା ସମାଚାର