ନବରଙ୍ଗପୁର, ୦୬/୧୧/୨୦୧୯(ଓଡ଼ିଶା ସମାଚାର)- ସର୍କିଟ ହାଉସ ରେ ଜିଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ୧୧ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରାଥମିକ ଶିକ୍ଷକ ଶିକ୍ଷା ଓ ଶିକ୍ଷାୟତନର ଅନେକ ସମସ୍ୟା ରହିଛି । ପ୍ରାଥମିକ ଶିକ୍ଷକଙ୍କୁ ବହୁ ପ୍ରତୀକ୍ଷିତ ପଦୋନ୍ନତି ଆଇନକୁ କାର୍ଯ୍ୟକାରୀ କରିବା । ଜିଲା ଶିକ୍ଷା ଅଧିକାରୀ ବହୁ ଶିକ୍ଷକଙ୍କ ଏମସିପି ଓ ଆରଏସିପିକୁ ଆଜିପର୍ଯ୍ୟନ୍ତ ମଞ୍ଜୁର କରିନାହାନ୍ତି । ଏହା ତୁରନ୍ତ କାର୍ଯ୍ୟକାରୀ କରାଯିବାକୁ ଦାବିପତ୍ରରେ ଜଣାଇଛନ୍ତି । ନିଲମ୍ବନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ପୁନଃ ସ୍ଥାପିତ ଓ ନିୟମିତକରଣ କରାଯାଉ । ବ୍ଲକ ଶିକ୍ଷା ଅଧିକାରୀ ମାନେ ପ୍ରବଳ ଟଙ୍କା କାରବାର କରି ମନଇଛା ଡେପୁଟେସନ କରୁଥିବା ଅଭିଯୋଗ କରି ଏହା ତୁରନ୍ତ ପ୍ରତ୍ୟାହାର କରାଯିବା । ଗଠନମୂଳକ କାର୍ଯ୍ୟକ୍ରମରେ ସଙ୍ଗଠନକୁ ଜିଲା ଶିକ୍ଷାଅଧିକାରୀ ଅଣ ଦେଖା କରୁଥିବା ଅଭିଯୋଗ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ଜଣାଇଛନ୍ତି । ସମଗ୍ର ଶିକ୍ଷା ଅଭିଯାନର ଜିଲାସ୍ତରୀୟ ଉନ୍ନୟନ କମିଟିରେ ଜିଲା ସଙ୍ଗଠନକୁ ସମ୍ପୃକ୍ତ କରାଯାଉନାହିଁ । ଏହାଦ୍ୱାରା ବ୍ୟାପକ ଦୁର୍ନୀତି ହେଉଛି । ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଉପକରଣ କିଣାରେ ବ୍ୟାପକ ଦୁର୍ନୀତି ହୋଇଛି । ବିଦ୍ୟାଳୟ ମରାମତିି , ଅର୍ଦ୍ଧଭଗ୍ନବିଶେଷ ବିଦ୍ୟାଳୟ ଗୁଡିକ ସମ୍ପୂର୍ଣ୍ଣ ଭଗ୍ନ କରିବା ସହ ପାଚେରି, ନୂତନ ବିଦ୍ୟାଳୟ କୋଠରୀ ସହ ଭୋଜନ କକ୍ଷ ନିର୍ମାଣ କରାଯିବା । ଅର୍ଦ୍ଧବାର୍ଷିକ ପ୍ରଶ୍ନପତ୍ର ଗୁଡିକ ତିଆରି କରିବା ପାଇଁ ଜିଲା ଭିତିକ ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯିବା । ବିଦ୍ୟାଳୟର ୬ଷ୍ଠ, ୭ମ ଓ ୮ମ ଶ୍ରେଣୀଣ ଛାତ୍ରଛାତ୍ରୀଙ୍କ ପାଇଁ ବେଂଚ ଓ ଡେସ୍କର ବ୍ୟବସ୍ଥା କରାଯିବା । ବହୁବର୍ଷ ଧରି ଗୋଟିଏ ବ୍ଲକରେ କାର୍ଯ୍ୟରତ କିରାଣି ଦ୍ୱାରା ଦୁର୍ନୀତି ବଢ଼ି ଚାଲିଥିବାରୁ ତୁରନ୍ତ ବଦଳି କରାଯିବାକୁ ଦାବି ହେଉଛି । ଆଦିବାସୀ ବହୁଳ ଜିଲା ହୋଇଥିବାରୁ ଯେଉଁ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି ସେହି ବିଦ୍ୟାଳୟରେ ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ସଂଘର ସଭାପତି ବିଷ୍ଣୁପ୍ରସାଦ ପାଣିଗ୍ରାହୀ, ସମ୍ପାଦକ ରମଣି ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ଶିକ୍ଷକ ସଂଘର କର୍ମକର୍ତା ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ । ଏ ସମସ୍ତ ଦାବି ପୂରଣ ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ପ୍ରତିଶ୍ରୁତି ଦେଇଛନ୍ତି । ଓଡ଼ିଶା ସମାଚାର