ଜଗତସିଂହପୁର, ୦୬/୧୧/୨୦୧୯(ଓଡ଼ିଶା ସମାଚାର)-ଜଗତସିଂହପୁର ସାହିତ୍ୟ ପରିଷଦର ଦଶମ ବାର୍ଷିକ ଉତ୍ସବ-୨୦୧୯ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ମୁଦୁଲି ଯୋଗଦେଇ ଓଡିଆ ସାହିତ୍ୟର ଅନବଦ୍ୟ ସୃଷ୍ଟି ଉପରେ ବକ୍ତବ୍ୟ ରଖିଥିଲେ । ଭାଷା ଓ ସାହିତ୍ୟ ଉଭୟ ପରିପୂରକ । ଯେଉଁ ଦେଶର ଭାଷା ଯେତେ ସମୃଦ୍ଧ ସେ ଦେଶ ସେତେ ବିକଶିତ । ତେଣୁ ସାହିତ୍ୟ ଛାଡି କିଛି ବି କଳ୍ପନା କରି ହୁଏନାହିଁ । ପରିଷଦର ସଭାପତି ଅଜୟ କୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ତଥା ସମାଲୋଚକ ଡ. ବୈଷ୍ଣବ ଚରଣ ସାମଲ ଯୋଗଦେଇ ଓଡିଆ ସାହିତ୍ୟର ଶବ୍ଦ ସଂରଚନା ଉଚ୍ଚକୋଟିର ବୋଲି କହିଥିଲେ । କବି, ଗାଳ୍ପିକ, ଓøପନ୍ୟାସିକମାନଙ୍କର ଲେଖନୀ ଚାଳନାରେ ସୃଷ୍ଟି ସମ୍ଭାରର ପ୍ରତିଛବି ଉଲ୍ଲସିତ ହୋଇଥାଏ । ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଗାଳ୍ପିକ ଇଂ ବିଷ୍ଣୁ ସାହୁ, ଗାଳ୍ପିକ ଡ. ଅଭୟ ବାରିକ, ଡ. ନିତ୍ୟାନନ୍ଦ ଶତପଥୀ ପ୍ରମୁଖ ଯୋଗଦେଇ ଜଗତସିଂହପୁର ମାଟିରେ ଜନ୍ମ ନେଇଥିବା ବରପୁତ୍ର ତଥା ସାହିତ୍ୟିକମାନଙ୍କର ଓଡିଆ ସାହିତ୍ୟକୁ ଅବଦାନ ବାବଦରେ ବକ୍ତବ୍ୟ ରଖିଥିଲେ । ଉତ୍ସବରେ ପରିଷଦର ସମ୍ପାଦକ ଉମାକାନ୍ତ ନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ପରିଷଦର କୋଷାଧ୍ୟକ୍ଷ ପୂର୍ଣ୍ଣ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ସାହିତ୍ୟ ପରିଷଦର ସାହିତ୍ୟ ପତ୍ରିକା ‘ମକର’ ପୂଜା ବିଶେଷାଙ୍କ-୨୦୧୯ ସହିତ ଅନ୍ୟ ସାହିତ୍ୟିକ, କବି ଓ କବୟିତ୍ରୀମାନଙ୍କର ଗଳ୍ପ, କବିତା ସଙ୍କଳନ ଆଦିକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ଅବସରରେ ସାହିତ୍ୟ କ୍ଷେତ୍ରରେ ଅବଦାନ ଥିବା ବ୍ୟକ୍ତିବିଶେଷଙ୍କୁ ପରିଷଦ ତରଫରୁ ସମ୍ମାନିତ କରାଯାଇଥିଲା । ବିଶିଷ୍ଟ ସମାଲୋଚକ ଓ ପ୍ରାବନ୍ଧିକ ନିତ୍ୟାନନ୍ଦ ଶତପଥୀଙ୍କୁ ‘ବାଣୀପୀଠ ପୁରସ୍କାର’ ପ୍ରଦାନ କରାଯିବା ସହିତ ବିଶିଷ୍ଟ କବି ରକ୍ଷକ ନାୟକ, ଉପନ୍ୟାସିକା ଡଃ ସୁପ୍ରିୟା ପାଲ ଓ ପ୍ରାବନ୍ଧିକା ବିଷ୍ଣୁପ୍ରିୟା ଓତାଙ୍କୁ ‘ଅଳକା ପୁରସ୍କାର’, ମନୋରମା ଶତପଥୀ ଓ କବି ପିତାମ୍ବର ମହାପାତ୍ର ଓ ଯୁବକବି ନିଖିଳେଶ ମିଶ୍ରଙ୍କୁ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ବରିଷ୍ଠ ପ୍ରତିଭା ଭାବରେ ଡଃ ଭୋଳାନାଥ ରାଉ, ବୈଦନାଥ ଖିଲାର, ଡଃ ସରୋଜ କୁମାର ମିଶ୍ର, ମଞ୍ଜୁ ଦାଶ ଓ ପ୍ରତିଭାରାଣୀ ରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବାହ୍ନରେ ପରିଷଦ ପକ୍ଷରୁ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସଙ୍ଗୀତା ପଣ୍ଡା, ସୁକାନ୍ତ କୁମାର ପ୍ରଧାନ, ମହାସ୍ମିତା ଓଝା, କାଦମ୍ବିନୀ ପରିଜା ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର