ଗରଦପୁର, ୦୪/୧୧/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ରେ ଆଲୋଚନାର ବିଷୟ ହୋଇଛି – ମୃତ୍ୟୁ ଏମିତି ବି ଆସେ । ଗରଦପୁର ବ୍ଲକ୍ ପନ୍ଦିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି , ସତେ ଯେମିତି ଶୂନ୍ୟରୁ ମୃତ୍ୟୁ ଖସିଲା । ପନ୍ଦିଆ ଗ୍ରାମବାସୀଙ୍କ ସୂଚନା ଅନୁସାରେ ଗ୍ରାମର ମମତା ମଲ୍ଲିକ(୩୬) ନିକଟସ୍ଥ ଚିତ୍ରୋତ୍ପଳା ନଦୀକୁ ଗାଧୋଇବାକୁ ଯାଉଥିଲେ । ହଠାତ୍ ରାସ୍ତା କଡରେ ଥିବା ଏକ ଚାକୁଣ୍ଡା ଗଛରୁ ଏକ ବଡ଼ ଡାଳ ତାଙ୍କ ଉପରେ ଭାଙ୍ଗି ପଡିଥିଲା । ଏହି ଡ଼ାଳ ତଳେ ମମତା ଚାପି ହୋଇଯାଇଥିଲେ । ଏହା ଦେଖିବା ପରେ ନିକଟରେ ଥିବା ଲୋକମାନେ ଦୌଡ଼ିଆସି ତାଙ୍କୁ ଉଦ୍ଧାର କରି ପାଟକୁରା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଏ ସମ୍ପର୍କରେ ପାଟକୁରା ଥାନାରେ ଏକ ଅପମୁତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । ସୂଚନାଯୋଗ୍ୟ ୧୦ ମାସ ପୂର୍ବରୁ ମମତାଙ୍କ ସ୍ୱାମୀ ଛଇଳ ମଲ୍ଲିକ ହୃଦାଘାତରେ ପ୍ରାଣ ହରାଇଥିଲେ । ଏପରି ଏକ ଅକାଳ ବିୟୋଗରେ ତାଙ୍କ ପିଲାମାନେ ବେସାହାରା ହୋଇଯାଇଛନ୍ତି । ତାଙ୍କୁ ସମସ୍ତ ପ୍ରକାର ସରକାରୀ ଓ ବେସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଗ୍ରାମବାସୀ ଓ ଜନପ୍ରତିନିଧି ନିବେଦନ କରିଛନ୍ତି । ଓଡ଼ିଶା ସମାଚାର