କେନ୍ଦ୍ରାପଡା ୦୩/୧୧/୨୦୧୯(ଓଡ଼ିଶା ସମାଚାର)- ଜିଲ୍ଲାର ପୂର୍ବତନ ଓ ବର୍ତମାନର କ୍ରିକେଟ ଖେଳାଳିମାନଙ୍କୁ ନେଇ କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ ଖେଳାଳି ସଙ୍ଘ ଗଠିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ସହରର ଟାଉନବଳରାମପୁରସ୍ଥିତ ଶ୍ରଦ୍ଧାଞ୍ଜଳି ପ୍ୟାଲେସ ପରିସରରେ କ୍ରିକେଟ ଖେଳାଳି ସନ୍ତୋଷ କୁମାର କରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆଗାମି ଦିନରେ ଜିଲ୍ଲାରେ ତୃଣମୂଳ ସ୍ତରରେ କ୍ରିକେଟର ବିକାଶ ଓ ଜିଲ୍ଲାର ସମସ୍ତ ଅଂଚଳରୁ ପ୍ରତିଭାବାନ କ୍ରିକେଏଟ ଖେଳାଳିଙ୍କ ପ୍ରତିଭାକୁ ଚିହ୍ନଟକରି ସମାଜର ମୁଖ୍ୟ ସ୍ରୋତକୁ ଆଣିବା ଏହି ଅନୁଷ୍ଠାନର ମୁଖ୍ୟ ଲକ୍ଷ୍ୟ ରହିବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା । ଏତଦଭିନ୍ନ ଜିଲ୍ଲାରେ କ୍ରିକେଟର ସ୍ଥାଣୁ ଅବସ୍ଥାକୁ ନେଇ ବକ୍ତାମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଏହି ଅବସରରେ କନ୍ଦ୍ରାପଡା ଜିଲ୍ଲା କ୍ରିକେଟ ଖେଳାଳି ସଙ୍ଘର କର୍ମକର୍ତା ଚୟନ କରାଯାଇ ସଭାପତି ଭାବେ କ୍ଷୀରୋଦ କୁମାର କର, ଉପସଭାପତି ଭାବେ ଗାଙ୍ଗେୟ ବିଶ୍ୱାଳ ଓ ରଶ୍ମିରଞ୍ଜନ ସିଂ, ସମ୍ପାଦକ ଭାବେ ସତ୍ୟପ୍ରକାଶ ତ୍ରିପାଠୀ, ସହସମ୍ପାଦକ ଭାବେ ରଶ୍ମିରଞ୍ଜନ ବାରିକ, ଜୀବନ ମହାନ୍ତି ଓ ସଞ୍ଜୟ ଚୈାଧୁରୀ ଏବଂ କୋଷାଧ୍ୟକ୍ଷ ଭାବେ କୃଷ୍ଣଚନ୍ଦ୍ର ପଣ୍ଡାଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କ୍ରିକେଟ ଖେଳାଳି ଆରବ ଅଲ୍ଲୀ, ଅକ୍ଷୟ ପରିଡା, ଜଗନ୍ନାଥ ସାହୁ, ଜ୍ଞାନରଞ୍ଜନ ପରିଡା, ଜଗନ୍ନାଥ ଦାସ, ରମେଶ ସେଠୀ, ଅସିତ ଦାସ, ହିରଣ୍ୟ ପଣ୍ଡାଙ୍କ ସମେତ ଜିଲ୍ଲାର ୪୦ଟି କ୍ରିକେଟ କ୍ଲବର କର୍ମକର୍ତା ଓ ଖେଳାଳିମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବରଦାକାନ୍ତ ବରାଳ ମଂଚ ପରିଚାଳନା କରିଥିବା ବେଳେ ରଶ୍ମିରଞ୍ଜନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର