ପାରାଦ୍ୱୀପ,୦୩/୧୧/୨୦୧୯(ଓଡ଼ିଶା ସମାଚାର)-ଓଡିଶାର ପ୍ରସିଦ୍ଧ କଟକ ବାଲିଯାତ୍ରା ପରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଦ୍ୱାରା ପାରାଦ୍ୱୀପ ଠାରେ ଆୟୋଜିତ ହେଉଥିôବା କଳିଙ୍ଗ ବାଲିଯାତ୍ରା ହେଉଛି ଦ୍ୱିତୀୟ ମହୋତ୍ସବ । ପାରାଦ୍ୱୀପରେ ଅନୁଷ୍ଠିତ ଏହି କଳିଙ୍ଗ ବାଲିଯାତ୍ରାକୁ ଅଧିକ ଆକର୍ଷଣ ଓ ଲୋକାଭିମୁଖୀ କରିବା ପାଇଁ ଏବଂ ଓଡିଶାର ଏକ ନମ୍ବର ମହୋତ୍ସବରେ ପରିଣତ କରିବା ପାଇଁ କଳିଙ୍ଗ ବାଲିଯାତ୍ରା କମିଟି ବ୍ୟାପକ ପ୍ରସ୍ତୁତି ଚଳାଇଛି । ତେବେ ଏଥିରେ ଟେଣ୍ଡର ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛି ପାରାଦ୍ୱୀପ ବିଜେପି । ଏହାର ବିରୁଦ୍ଧରେ ପ୍ରତିବାଦ କରି ସ୍ଥାନୀୟ ବିଜେପି ନେତା ସମ୍ପଦ ସ୍ୱାଇଁ ଓ ବିଭୁ ତରାଇଙ୍କ ନେତୃତ୍ୱରେ ଗତ ଶୁକ୍ରବାର ଠାରୁ ଆଜିକୁ ୩ଦିନ ଧରି ପୌର କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦିଆଯାଇଛି । ତେବେ କଳିଙ୍ଗ ବାଲିଯାତ୍ରା କମିଟିର ଉପାଧ୍ୟକ୍ଷ ତଥା ପାରାଦ୍ୱୀପ ଅତିରିକ୍ତି ଜିଲ୍ଲାପାଳ କାହ୍ନୁଚରଣ ଧିର କହିଛନ୍ତି ଯେ ଏହି ମହୋତ୍ସବ ପ୍ରସ୍ତୁତିରେ କୌଣସି ଅନିୟମିତତା ହୋଇ ନାହିଁ ଏବଂ ଏଥିରେ ଯଥେଷ୍ଟ ସ୍ୱଚ୍ଛତା ଅବଲମ୍ବନ କରାଯାଇଛି । ଏ ବାବଦରେ ବିଜେପି ନେତାମାନଙ୍କୁ ପ୍ରଶାସନ ପକ୍ଷରୁ ଯେତେ ବୁଝାସୁଝା କରାଇଥିଲେ ମଧ୍ୟ କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଧାରଣା ସ୍ଥଳକୁ ଆସି ଏ ସମ୍ପର୍କରେ ପଦକ୍ଷେପ ନେବାର ପ୍ରତିଶୃତି ଦେଲେ ଯାଇ ଗଣଧାରଣା ପ୍ରତ୍ୟାହୃତ ହେବ ବୋଲି ଜିଦ୍ ଧରିଛି ବିଜେପି । ଅନ୍ୟପକ୍ଷରେ ସ୍ଥାନୀୟ ସମାଜସେବୀ ତଥା ବୁଦ୍ଧିଜୀବି ଶ୍ରୀବଲ୍ଲଭ କର କହିଛନ୍ତି ଯେ ଏହି ନେତାମାନେ ଏସବୁ ଛୋଟ ଛୋଟ ଘଟଣାକୁ ଛାଡି ପାରାଦ୍ୱୀପର ମୁଖ୍ୟ ସମସ୍ୟା ପ୍ରଦୂଷଣ, ସ୍ୱାସ୍ଥ୍ୟ, ବେକାରୀ ଓ ନିଯୁକ୍ତି ଉପରେ ଗୁରୁତ୍ୱାରୋପ କରିବା ଉଚିତ୍ । ସେହିପରି ପରିବେଶବିତ୍ ଅୟସକାନ୍ତ ରାୟ ପୂର୍ବତନ ସାଂସଦ ଓ ବର୍ତମାନର ବିଜେପି ନେତା ବିଭୁ ତରାଇଙ୍କୁ ପାରାଦ୍ୱୀପରେ ପ୍ରଦୂଷଣ ଓ ବେକାରୀ ନିଯୁକ୍ତି କ୍ଷେତ୍ରରେ କି ପଦକ୍ଷେପ ନେଇଛନ୍ତି ବୋଲି ଓଲଟା ପ୍ରଶ୍ନ କରିଛନ୍ତି । ଯାହାକି ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଏସବୁ ଗଣ୍ଡଗୋଳିଆ ପରିସ୍ଥିତି ଯୋଗୁଁ ଆସନ୍ତା କଳିଙ୍ଗ ବାଲିଯାତ୍ରାର ସଫଳତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଓଡ଼ିଶା ସମାଚାର