ଅନୁଗୋଳ, ୦୨/୧୧/୨୦୧୯(ଓଡ଼ିଶା ସମାଚାର)-କୁଲୁସରର କାହାଳୁ ଦେହୁରୀ(୨୧) ହତ୍ୟା ମାମଲାର ରାୟ ପ୍ରକାଶପାଇଛି । ଅନୁଗୋଳ ଅତିରିକ୍ତ ଜିଲ୍ଲାଦୈରାଜଜ ସୁରେଶ ଚନ୍ଦ୍ର ପ୍ରଧାନ ଏହିମାମଲାର ବିଚାର କରି ଅଭିଯୁକ୍ତ କନିଷ୍ଠ ବେହେରା (୫୧) କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଖବରରୁ ପ୍ରକାଶ ପୁରୁଣାକୋଟ ଥାନା କୁଳସର ନିବାସୀ କାହାଳୁ ବେହେରାଙ୍କ ଭାଇ ସୁମନ ବେହେରା ତାଙ୍କ ସମ୍ପର୍କିୟ ମଉସା କନିଷ୍ଠ ବେହେରାଙ୍କୁ ହଜାରେ ଟଙ୍କା ଧାର ଦେଇଥିଲେ । ବହୁଦିନ ବିତିବା ପରେ ବି ସେ ଟଙ୍କା ଫେରାଇନଥିଲେ । ସୁମନ ବାରମ୍ବାର ଟଙ୍କା ମାଗିଥିଲେ ହେଁ କନିଷ୍ଠ ତାଙ୍କ କଥା ଶୁଣି ନଥିଲା । ଗତ ୩୦ ଜାନୁଆରୀ ୨୦୧୫ରେ ସୁମନ ଟଙ୍କା ଧାର ଦେବା ସଂକ୍ରାନ୍ତରେ କାହାଳୁଙ୍କୁ କହିବା ପରେ ରାତି ସାଢ଼େ ୮ଟାରେ ଦୁଇ ଭାଇ କୃଷ୍ଣଚକ୍ର ଗଡ଼ ଗାଁରେ ରହୁଥିବା କନିଷ୍ଠ ବେହେରାଙ୍କ ଘରେ ପହଂଚିଥିଲେ । ଦୁଇ ଭାଇଙ୍କୁ ଦେଖି କନିଷ୍ଠ ରାଗି ଯାଇଥିଲା । ଘର ଭିତରୁ ବନ୍ଧୁକ ଆଣି କାହାଳଙ୍କୁ ଗୁଳି କରିଥିଲା । ସୁମନଙ୍କୁ ମାରିବା ପାଇଁ ବନ୍ଧୁକରେ ଗୁଳି ଭରିବା ଦେଖି ସେ ଦୌଡ଼ି ପଳାଇ ଆସି ନିଜ ଜୀବନ ରକ୍ଷା କରିଥିଲେ । କାହାଳୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ କନିଷ୍ଠର ଘର ସମ୍ମୁଖରେ ପଡ଼ିଯାଇଥିଲେ । କିଛି ସମୟ ମଧ୍ୟରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ଘଟଣା ସଂକ୍ରାନ୍ତରେ ସୁମନଙ୍କ ଆଉ ଜଣେ ଭାଇ ସୁରେନ ଦେହୁରୀ ପୁରୁଣାକୋଟ ଥାନାରେ ଏତଲା ଦେଇଥିଲେ । ପୁଲିସ ଅଭିଯୁକ୍ତ କନିଷ୍ଠଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାର ବିଚାର ବେଳେ ୧୦ ଜଣଙ୍କ ସାକ୍ଷ୍ୟ ନିଆଯାଇଥିଲା । ଏହି ମାମଲାର ରାୟ ଶୁଣାଇ ଅତିରିକ୍ତ ଜିଲ୍ଳା ଦୌରାଜଜ ଶ୍ରୀ ପ୍ରଧାନ ଅଭିଯୁକ୍ତ କନିଷ୍ଠକୁ ଆଜୀବନ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜୋରିମାନା କରିଥିଲେ । ଜୋରିମାନା ଅନାଦେୟ ଆହୁରି ୧ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି । ସେହିପରି ୨୫ ଆର୍ମସ ଆକ୍ଟରେ ୩ବର୍ଷ କାରାଦଣ୍ଡ ଓ ୫ ହଜାର ଟଙ୍କା ଜୋରିମାନା କରିଛନ୍ତି । ଜୋରିମାନା ଅନାଦେୟ ଆହୁରି ୬ମାସ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ୨୭ ଆର୍ମସ ଆକ୍ଟରେ ୭ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା କରିଛନ୍ତି । ଜୋରିମାନା ଅନାଦେୟ ଆହୁରି ୧ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ତାପସ ରଂଜନ ମିଶ୍ର ମାମଲା ପରିଚାଳନା କରୁଥିଲେ । ଓଡ଼ିଶା ସମାଚାର