କନ୍ଧମାଳ,୦୨/୧୧/୨୦୧୯(ଓଡ଼ିଶା ସମାଚାର)- ଫିରିଙ୍ଗିଆ ଥାନା ଅନ୍ତର୍ଗତ କେଳାପଡ଼ା ପଂଚାୟତର ଗେରୁପଡ଼ାର ଏକ ଦୋକାନଗୃହ ବାରଣ୍ଡାରୁ ଆଜି ସକାଳେ ଏକ ଯୁବକଙ୍କ କ୍ଷତ ବିକ୍ଷତ ମୃତ ଶରୀର ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ପାଙ୍ଗାଲପଦର ପଂଚାୟତ ଅନ୍ତର୍ଗତ ଡ଼େଡ଼ିସରୁ ଗ୍ରାମର କୃଷ୍ଣ ଚନ୍ଦ୍ର ବଗର୍ତି(୪୫) ବୋଲି ଜଣା ପଡିଛି । ମୃତ କୃଷ୍ଣ ସ୍ଥାନୀୟ ଅଂଚଳରେ ଜଣେ ଗୁଣିଆ ଭାବେ ପରିଚିତ ଥିଲେ । ଖବର ପାଇ ପୁଲିସ୍ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ ବ୍ୟକ୍ତିଙ୍କ ପୁତୁରା କମଳାକାନ୍ତ ବଗର୍ତି ଥାନାରେ ଏକ ଏତଲା ଦେବା ପରେ ପୁଲିସ ୧୦/୨୦୧୯ ରୁଜୁ କରି ତଦନ୍ତ ଜାରି ରଖିଛି । ତେବେ ପାରିପାଶ୍ୱିର୍କ ସ୍ଥିତିକୁ ଦେଖି ଏହା ଏକ ସୁଚିନ୍ତିତ ହତ୍ୟକାଣ୍ଡ ବୋଲି ପୁଲିସ ସନ୍ଦେହ କରିଛି । ମୃତ ବ୍ୟକ୍ତିଙ୍କ ବେକର ଡ଼ାହାଣ ପାଖରେ କୌଣସି ଏକ ଧାରୁଆ ଅସ୍ତ୍ରରେ ଆଘାତ ହୋଇଥିବା ଦେଖିବାକୁ ମିଳିଛି । ମୃତ କୃଷ୍ଣ ସଂପୃକ୍ତ ଅଂଳରେ ଝଡ଼ାଫୁଙ୍କା ଦିସାରୀ ଭାବେ କାମ କରୁଥିବାର ଅନେକ ପ୍ରକାଶ କରିଛନ୍ତି । ଏହି ଘଟଣାକୁ ନେଇ ସଂପୃକ୍ତ ଅଂଚାଳରେ ଆଲୋଡନ ସୃଷ୍ଟି କରିଛି । ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ଫିରିଙ୍ଗିଆ ଥାନାଧିକାରୀ ପି ଶ୍ୟାମସୁନ୍ଦର ରାଓ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର