ଜଗତସିଂହପୁର,୦୨/୧୧/୨୦୧୯(ଓଡ଼ିଶା ସମାଚାର)- ଶନିବାର ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀ ଠାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉଦଯାପିତ ହୋଇଯାଇଅଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ମଂଜରୀ ଦାସ କହିଲେ ଆମ ଦେଶର ଅର୍ଥନୈତିକ,ରାଜନୈତିକ ତଥା ସାମାଜିକ ବିକାଶରେ ଦୁର୍ନିତୀ ଏକ ପ୍ରମୁଖ ବାଧକ ହୋଇଛି । ଏହାର ମୂଳୋତ୍ପାଟନ ନିମନ୍ତେ ସମସ୍ତେ ଐକ୍ୟବଦ୍ଧ ଭାବେ ଉଦ୍ୟମ କରିବାର ଆବଶ୍ୟକତା ରହିଛି । ସମସ୍ତ କାର୍ଯ୍ୟ ସାଧୁତା ଓ ସ୍ୱଛତାର ସହ ସମ୍ପାଦନା କରିବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସେ ପରାମର୍ଶ ଦେଇଥିଲେ । ଏହି ଉତ୍ସବରେ ଆରକ୍ଷୀ ନିରୀକ୍ଷକ,ଭିଜିଲାନସ୍ ଶ୍ରୀ ହେମନ୍ତ କୁମାର ମହାନ୍ତି ଯୋଗଦେଇ କହିଲେ ଛାତ୍ରଛାତ୍ରୀମାନେ ସଚ୍ଚୋଟତା ଏକ ଜୀବନ ଶୈଳୀକୁ ଜୀବନର ଏକ ବ୍ରତ ଭାବେ ଗ୍ରହଣ କରିବା ଉଚିତ । ବ୍ୟକ୍ତିଗତ ଭାବେ ବ୍ୟବହାରରେ ସାଧୁତା ପ୍ରଦର୍ଶନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଉତ୍ସବରେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀ ସୁଭାଷ ଚନ୍ଦ୍ର ରାଉତ ଯୋଗଦେଇ କହିଲେ ସମାଜରେ ଦୁର୍ନିତି ରୂପକ ରାକ୍ଷସ ବିରୁଦ୍ଧରେ ସଂଗ୍ରାମ କରିବା ଏବଂ ସାଧୁତା ଓ ସଚ୍ଚୋଟତାର ସର୍ବୋଚ୍ଚ ମାନବକୁ ଅନୁସରଣ କରିବା ଆବଶ୍ୟକତା ରହିଛି । ଏହି ଉତ୍ସବରେ କୁତାମଚଣ୍ଡୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଶ୍ରୀ ଶରତ ଚନ୍ଦ୍ର ବାରିକ ଯୋଗଦେଇ ଦୁର୍ନିତୀ ନିବାରଣ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ଶ୍ରୀକୃଷ୍ଣ ଏକାଡେମୀର ପ୍ରଧାନ ଶିକ୍ଷକ ଶ୍ରୀ ସନାତନ ଖୁଂଟିଆ,ଶିକ୍ଷକ ଓ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଭିଜିଲାନସ୍ ବିଭାଗର କର୍ମଚାରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର