ସାଲେପୁର ୦୨/୧୧/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା) : ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ପାଇଁ ଏକ ପ୍ରମୁଖ ସ୍ଥାନ ହୋଇଥିବା ବେଳେ କଟକ ଜିଲ୍ଳା ମାହାଙ୍ଗା ବ୍ଲକ୍ ରେ ଥିବା ଏକ କଲେଜରେ ଜନୈକ ଛାତ୍ର ପ୍ରଥମ ବର୍ଷ ପାସ କରି ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରୁଥିବା ବେଳେ କଲେଜ କର୍ତୃପକ୍ଷ ଛାତ୍ରର ନାମ କଲେଜରେ ନଥିବା କହିବା ଯୋଗୁ ଛାତ୍ରର ଭବିଷ୍ୟତ ସଂପୂର୍ଣ୍ଣ ନଷ୍ଟ ହୋଇଯିବା ଆଶଙ୍କା ପ୍ରକାଶ ପାଇଛି । ଏଭଳି ଘଟଣା ସ୍ଥାନୀୟ ଅଂଚଳରେ ହଟଚମଟ ସୃଷ୍ଟି କରିଛି ।
ଘଟଣାରୁ ପ୍ରକାଶ ସାଲେପୁର ବ୍ଲକ୍ ରାଇସୁଙ୍ଗୁଡ଼ା ଗ୍ରାମର ଗୈାରହରି ଭୂୟାଁଙ୍କ ପୁଅ ରାକେଶ କୁମାର ଭୂୟାଁ ମାଟ୍ରିକ୍ ପାସ୍ କଲା ପରେ ୨୦୧୮ ମସିହାରେ ମହାଙ୍ଗା ବ୍ଲକ୍ ର କୁଆଁପାଳ ସ୍ଥିତ ଜବାହାରଲାଲ ନେହେରୁ ମହାବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାରେ ନାମ ଲେଖାଇଥିଲେ । ରାକେଶ ପ୍ରଥମ ବର୍ଷରୁ ଦ୍ୱିତୀୟ ବର୍ଷକୁ ଉର୍ତିର୍ଣ୍ଣ ହୋଇଥିଲା । ଦ୍ୱିତୀୟ ବର୍ଷରେ ପଢ଼ିବା ପାଇଁ ରି ଆଡ଼ମିସନ୍ କରିଥିଲା । ରିଆଡ଼ମିସନ୍ ବାବଦରେ କଲେଜ କର୍ତୃପକ୍ଷ ୧୫୧୦ଟଙ୍କା ଫିସ୍ ନେଇ ରିଆଡ଼ମିସନ୍ କରିଥିଲେ । କଲେଜ ପକ୍ଷରୁ ରାକେଶ କୁ ଆଇ ଭି ୧୮୦୦୨ ରୋଲ ନଂ ଥିବା ଆଇ କାର୍ଡ଼ ଦିଆଯାଇଥିଲା । ରାକେଶ ପ୍ରତ୍ୟହ କଲେଜକୁ ଯାଇ କ୍ଲାସ କରୁଥିଲେ । ତେବେ ଗତ ୨୮.୧୦.୨୦୧୯ରେ କଲେଜରେ ହୋଇଥିବା ଟେଷ୍ଟ୍ ପରୀକ୍ଷାରେ ହଲରେ ପ୍ରଥମ ଦିନ ତାକୁ ଦିଆଯାଇଥିବା ଖାତାରେ ତାହାର ରୋଲ ନଂ ନଥିବା ଦେଖି କ’ଣ ପାଇଁ ମୋର ରୋଲ ନଂ ଖାତାରେ ନାହିଁ ବୋଲି ପରୀକ୍ଷା ହଲରେ ଉପସ୍ଥିତ ଥିବା ଅଧ୍ୟାପକଙ୍କୁ ପଚାରିବାରୁ ସେ କହିଲେ ତୁମର ଏ କଲେଜରେ ନାମ ନାହିଁ । ତୁମର ନାମ କଟି ଯାଇଛି । ଏକଥା ଶୁଣି ରାକେଶ ଅଧର୍ଯ୍ୟ ହୋଇପଡ଼ିବାରୁ ତାକୁ ସଂପୃକ୍ତ ଅଧ୍ୟାପକ କହିଲେ ଆଜି ପରୀକ୍ଷା ଦେଇ ଦିଅ । କାଲି ଠାରୁ ଆଉ ଆସିବ ନାହିଁ । ତା’ ପରଦିନ ରାକେଶ ନିଜ ପିତାଙ୍କୁ ସାଙ୍ଗରେ ନେଇ କଲେଜ କୁ ଯାଇଥିଲା । ରାକେଶଙ୍କ ପିତା ଗୈାରହରି ଭୂୟାଁ ଘଟଣା ବିଷୟରେ କଲେଜ ଅଧ୍ୟକ୍ଷ ପ୍ରଫେସର ପଲ୍ଳବ ଚକ୍ରବର୍ତୀଙ୍କୁ ପଚାରିବାରୁ ଅଧ୍ୟକ୍ଷ ଚକ୍ରବର୍ତୀ କହିଲେ ତୁମେ ପାଠପଢ଼ା ବିଷୟରେ କିଛି ଜାଣିନାହଁ , ତୁମେ କିଛି ବୁଝି ପାରିବ ନାହିଁ । ତୁମ ପୁଅ ମୋବାଇଲକୁ ମେସେଜ୍ ଯାଇଛି । ସେ ଯଦି ମେସେଜ୍ ନଦେଖିଛି ଆମେ କ’ଣ କରିବୁ? ଅପରପକ୍ଷେ ଜଣାଯାଏ ରାକେଶର ନିଜର ମୋବାଇଲ ନାହିଁ । ଗରିବ ପରିବାର ହୋଇଥିବାରୁ ତାଙ୍କ ବାପାଙ୍କ ପାଖରେ ଗୋଟିଏ ଛୋଟ ମୋବାଇଲ ସେଟ୍ ରହିଥିବା ଜଣାପଡ଼ିଛି । ଦୁଇବର୍ଷ କଲେଜରେ ପଢ଼ିବା ଭିତରେ ରାକେଶକୁ କଲେଜ କର୍ତୃପକ୍ଷ ତୋର ନାମ କଲେଜରେ ଅଛିକି ନାହିଁ ଆମକୁ ପଚାରିବୁଝିଲୁ ନାହିଁ କାହିଁକି । ଏଠାରେ ପ୍ରଶ୍ନଉଠେ ଜେଏନ୍ କଲେଜରେ ଯେତେ ଛାତ୍ରଛାତ୍ରୀ ପଢ଼ୁଛନ୍ତି ତାଙ୍କର ନାମ କଲେଜରେ ଅଛିକି ନାହିଁ ତାହା କ’ଣ ସେମାନେ ପଚାରୁଛନ୍ତି? ଏଭଳି ଘଟଣା କ’ଣ ପାଇଁ ଘଟିଛି ତାହାର କିଛି ସଠିକ୍ ତଥ୍ୟ କଲେଜରୁ ମିଳୁ ନଥିବାରୁ ଛାତ୍ର ଜଣକ ନିଜ ଭବିଷ୍ୟତ ପାଇଁ ଅତ୍ୟନ୍ତ ଅଧର୍ଯ୍ୟ ହୋଇପଡ଼ିଛନ୍ତି । କଲେଜ କର୍ତୃପକ୍ଷ ରାକେଶ ଠାରୁ ନେଇଥିବା ପରୀକ୍ଷା ଫିସ୍ ଓ ରି ଆଡ଼ମିସନ ପାଇଁ ନେଇଥିବା ଫିସ୍ ବାବଦରେ ଯେଉଁ ରସିଦ୍ ଦେଇଛନ୍ତି ସେଥିରେ ତାରିଖ ପଡ଼ିଥିବା ବେଳେ ବର୍ଷ ଉଲ୍ଲେଖ ନଥିବାରୁ ଜାଣିଶୁଣି ଜାଲିଆତି କରାଯାଇଛି ବୋଲି ରାକେଶର ପରିବାର ସନ୍ଦେହ କରୁଛନ୍ତି । କଲେଜ ଫିସ୍ ନେଇ କ’ଣ ପାଇଁ ପରୀକ୍ଷା ହଲରୁ ବିଦାକରି ଦିଆଗଲା ତାହାର ବିଦ୍ଧିବଧ ତଦନ୍ତ ହେବା ଦରକାର ବୋଳି କୁହାଯାଇଛି । ତେବେ ପ୍ରଥମ ବର୍ଷ କଲେଜରେ ଆଡ଼ମିସନ୍ ରେ କଲେଜ କର୍ତୃପକ୍ଷ ରାକେଶ ଠାରୁ ୨୬୦୦ଟଙ୍କା ନେଇ ରସିଦ୍ ଦେଇଛନ୍ତି । ଯେଉଁ ରସିଦ୍ ରେ ତାରିଖ ଅଛି କିନ୍ତୁ ବର୍ଷ ନାହିଁ । ଘଟଣା ଜଣାପଡ଼ିବା ପରେ କଲେଜ ଅଧ୍ୟକ୍ଷ ରାକେଶର ବାପାଙ୍କୁ କହୁଛନ୍ତି ରସିଦ୍ ଫେରସ୍ତ ଦେଇ ଟଙ୍କା ନେଇଯାଅ । କ’ଣ ପାଇଁ ଅଧ୍ୟକ୍ଷ ନିଜ ହାତରୁ ଟଙ୍କା ଦେବେ ତାହା ମଧ୍ୟ ଏକ ସନ୍ଦେହ ଜନକ ଘଟଣା । ଘଟଣା ବିଷୟରେ ପ୍ରତିନିଧି କଲେଜର ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଉତ୍ତରରେ ସେ କହିଲେ ଘଟଣାରେ ସତ୍ୟତା ରହିଛି । ତେବେ ରାକେଶର ଯେପରି କୈାଣସି କ୍ଷତି ନହୁଏ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ସହିତ ଯଥାର୍ଥ ନ୍ୟାୟ ଖୁବ୍ ଶିଘ୍ର ଦିଆଯିବ ବୋଲି ପ୍ରକାଶ କରିଥିଲେ । ତେବେ ଛାତ୍ରର ପିତା ଗୈାରହରି ଭୂୟାଁ ଏହି ଘଟଣାର ବିଦ୍ଧିବଧ ତଦନ୍ତ କରାଯାଇ ରାକେଶ କିପରି ବାର୍ଷିକ ପରୀକ୍ଷା ଦେଇପାରିବ ତାହାର ସୁବ୍ୟବସ୍ଥା କରାଯିବାକୁ ଶିକ୍ଷା ବିଭାଗର ଉଚ୍ଚକର୍ତୃପକ୍ଷଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ଓଡ଼ିଶା ସମାଚାର