Monday , October 3 2022
Breaking News
Home / ବିଶେଷ / ବାଣୀ ସାହିତ୍ୟ ସଂସଦ ର ୩୧ ତମ ବାର୍ଷିକୋତ୍ସବ : କବି,ସାହିତ୍ୟିକ,କଳାକାର ମାନେ ସମାଜର ଦିଗଦର୍ଶକ – ମହେଶ ସାହୁ

ବାଣୀ ସାହିତ୍ୟ ସଂସଦ ର ୩୧ ତମ ବାର୍ଷିକୋତ୍ସବ : କବି,ସାହିତ୍ୟିକ,କଳାକାର ମାନେ ସମାଜର ଦିଗଦର୍ଶକ – ମହେଶ ସାହୁ

ଭୁବନ ୦୧/୧୧/୨୦୧୯(ଓଡ଼ିଶା ସମାଚାର/ସୁଶାନ୍ତ କୁମାର ପୋଥାଳ)-ଭୁବନ ର ସଂଭ୍ରାନ୍ତ ସାହିତ୍ୟ ଅନୁଷ୍ଠାନ ‘ବାଣୀ ସାହିତ୍ୟ ସାଂସଦ’ ର ୩୧ ତମ ସ୍ୱନକ୍ଷତ୍ର ଉତ୍ସବ ବିଜ୍ଞାପିତ ଅଂଚଳ ପରିଷଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସ୍ଥାୟୀ ସଭାପତି ବାଣୀଶ୍ରୀ ରବିନ୍ଦ୍ର କୁମାର ହୋତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଯୁଗେ ଯୁଗେ କବି,ଲେଖକ,ସାହିତ୍ୟିକ ଓ କଳାକାର ମାନେ ସମାଜର ପଥପ୍ରଦର୍ଶକ ତଥା ଦିଗଦର୍ଶକ, ସମାଜର ପରିବର୍ତନରେ ଏହି ମାନେ ହିଁ ମୁଖ୍ୟ ଭୂମିକା ତୁଲାଇଥାନ୍ତି ବୋଲି କହିଥିଲେ । ୩୦ ବର୍ଷର ପୁରାତନ ସାରସ୍ୱତ ଅନୁଷ୍ଠାନ “ବାଣୀ ସାହିତ୍ୟ ସଂସଦ” ଭୁବନ ତଥା ଆଖପାଖ ଅଂଚଳରେ ନାନାବିଧ ସମାଜମଙ୍ଗଳ କାର୍ଯ୍ୟରେ ବ୍ରତୀ ବୋଲି ସାଂସଦ ମତବ୍ୟକ୍ତ କରିବା ସହ ଏକ ଗୃହ ନିର୍ମାଣ ପାଇଁ ତାଙ୍କ ସାଂସଦ ପାଣ୍ଠିରୁ ଅର୍ଥ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ପୁରୀ ଶଙ୍କରାଚାର୍ଯ୍ୟ ଙ୍କ ଗୋବର୍ଦ୍ଧନ ପୀଠର ମହାସଚିବ ପଣ୍ଡିତ ମାତୃପ୍ରସାଦ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ସଂସଦ ର ସ୍ଥିତି ଓ ଉନ୍ନତିରେ ସଭାପତିଙ୍କ ଭୂମିକା ସଂପର୍କରେ ଆଲୋଚନା କରିବା ସହିତ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ସଂସଦ ର ମୁଖପତ୍ର “ବାଣୀ” କୁ ଉନ୍ମୋଚନ କରାଯାଇଥିଲା ଓ କୋଠପଡାର ଗଣକବି ବୈଷ୍ଣବ ପାଣି ଙ୍କ ଦାୟାଦ ଗୀତିକବି ନାରାୟଣ ମୁଦୁଲି ଙ୍କୁ “ବାଣୀପୁତ୍ର” ଓ ସୁକିନ୍ଦାର କବୟତ୍ରୀ ଲବଙ୍ଗଲତା ପରିଡା ଙ୍କୁ “ବାଣୀପୁତ୍ରୀ” ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଉପସଭାନେତ୍ରୀ କବୟତ୍ରୀ ତୁଳସୀରାଣୀ ବେହେରା ଙ୍କ ଅଧ୍ୟକ୍ଷତା ଓ ଝାଡେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଯୁଗଳ କିଶୋର ହୋତା ଓ ଡଃ ଦୟାନିଧି ଦାଶ ଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ସଂଗଠନ ସଂପାଦକ ଡଃ ସୁବାସ ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦିକା ବାସନ୍ତୀ କୁମାରୀ ମିଶ୍ର ସଂପାଦକୀୟ ବିବରଣୀ ପାଠ କରିଥିଲେ । ସଭା ପ୍ରାରମ୍ଭରେ ପୂର୍ବତନ ସଂପାଦିକା ନିରଦପ୍ରଭା ସିଂହ ସାମନ୍ତ ଙ୍କ ଅକାଳ ବିୟୋଗ ଯୋଗୁ ୨ ମିନିଟ ନୀରବପ୍ରାର୍ଥନା କରାଯାଇଥିଲା ।  ଓଡ଼ିଶା ସମାଚାର

Leave a Reply

Your email address will not be published.