ପାରାଦ୍ୱୀପ ୦୧/୧୧/୨୦୧୯(ଓଡ଼ିଶା ସମାଚାର)- ଆଗାମୀ ୧୧ତାରିଖ ଦିନ ପାରାଦ୍ୱୀପ ସାଗର ବେଳାଭୂମିରେ ଆୟୋଜିତ ହେବ କଳିଙ୍ଗ ବାଲିଯାତ୍ରା ମହୋତ୍ସବ । ଏହି ମହୋତ୍ସବ ନିମନ୍ତେ ପାରାଦ୍ୱୀପ ପୌରପାଳିକା ଟେଣ୍ଡର ନମ୍ବର -୮୪୩୩ରେ ବାଲିଯାତ୍ରା ପାଇଁ ଟେଂଟ, ଷ୍ଟଲ, ବ୍ୟାନର, ଗେଟ୍, ସାଉଣ୍ଡ, ଲାଇଟ୍ ଭଳି ବିଭିନ୍ନ କାମ ପାଇଁ ନଭେମ୍ବର ୨ତାରିଖ ସୁଦ୍ଧା ଟେଣ୍ଡର ଆବେଦନ ଓ ଖୋଲିବାର ଦିନ ଧାର୍ଯ୍ୟ କରାଯାଇଥିଲା । ଟେଣ୍ଡର ଖୋଲାଯିବା ପୂର୍ବରୁ ବାଲିଯାତ୍ରାର ଏହି ସବୁ କାମରେ ୮୦ଭାଗ ସରିଥିବା ଅଭିଯୋଗ କରିଛି ପାରାଦ୍ୱୀପ ବିଜେପି, ଶୁକ୍ରବାର ଦିନ ବିଜେପିର ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ୱାଇଁ, ସାଂସଦ ପ୍ରାର୍ଥୀ ବିଭୂ ପ୍ରସାଦ ତରାଇଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ପାରାଦ୍ୱୀପ ପୌରପାଳିକା ସମ୍ମୁଖରେ ଧାରଣା ଦେଇଛନ୍ତି । ବିଜେପି ଯୁବମୋର୍ଚ୍ଚା ଜିଲ୍ଳା ସଭାପତି ତଥା ନିର୍ବାଚନରେ ବିଧାୟକ ପ୍ରାର୍ଥୀ ହୋଇଥିବା ଶ୍ରୀ ସ୍ୱାଇଁ ଅଭିଯୋଗ କରିଛନ୍ତି କଳିଙ୍ଗ ବାଲିଯାତ୍ରା କମିଟିକୁ ଶାସକ ଦଳ ହାତ ବାରିସି କରି ଅନୈତିକ ଭାବେ ଅର୍ଥ ହଡପ କରୁଛନ୍ତି । ଏଥିରେ ଅନ୍ୟ କୌଣସି ଦଳର ପ୍ରତିନିଧି ମାନଙ୍କୁ ସୁଯୋଗ ମିଳୁନାହିଁ, ଏଣୁ ଏହା ପଛରେ ମହାଦୁର୍ନିତିର ଗନ୍ଧ ବାରି ହୋଇପଡୁଛି । ଅପରାହ୍ନରେ କୁଜଙ୍ଗ ତହସିଲଦାର, ପାରାଦ୍ୱୀପ ଏ.ଏସ୍.ପି ଓ ପାରାଦ୍ୱୀପ ଥାନା ଅଧିକାରୀ ଧାରଣା ସ୍ଥଳରେ ପହଂଚି ଶ୍ରୀ ସ୍ୱାଇଁ ଓ ଅନ୍ୟ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିଥିଲେ । ହେଲେ ଶ୍ରୀ ସ୍ୱାଇଁ ଆଲୋଚନା ପାଇଁ ରୋକ୍ ଠୋକ୍ ମନା କରିଦେଇଥିଲେ । କଳିଙ୍ଗ ବାଲିଯାତ୍ରା କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଆସି ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରିବାକୁ କହିଥିଲେ । ଫଳରେ ସରକାରୀ ଅଧିକାରୀ ମାନେ ଫେରି ଯାଇଥିଲେ । ଜିଲ୍ଲାପାଳ ଆସି ସେମାନଙ୍କ ସହ ଆଲୋଚନା ନକରିବା ପର୍ଯ୍ୟନ୍ତ ଏହି ଧାରଣା ବଳବତର ରହିବ ବୋଲି ଶ୍ରୀ ସ୍ୱାଇଁ କହିଥିଲେ । ରିପୋର୍ଟ ଲେଖା ହେବା ବେଳକୁ ଧାରଣା ବଳବତର ରହିଥିଲା । ଓଡ଼ିଶା ସମାଚାର