Friday , September 29 2023
Breaking News
Home / ବିଶେଷ / ଅହିଂସା ସବଳର ଅସ୍ତ୍ର ବୋଲି ଗାନ୍ଧୀଜୀ ବିଶ୍ୱାସ କରୁଥିଲେ

ଅହିଂସା ସବଳର ଅସ୍ତ୍ର ବୋଲି ଗାନ୍ଧୀଜୀ ବିଶ୍ୱାସ କରୁଥିଲେ

ଭୁବନେଶ୍ୱର,୩୧/୧୦/୨୦୧୯(ଓଡ଼ିଶା ସମାଚାର)-ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ପୁସ୍ତକ ଚର୍ଚ୍ଚା ଆୟୋଜିତ ହୋଇଯାଇଛି । ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଆତ୍ମଜୀବନୀ ‘ଦି ଷ୍ଟୋରୀ ଅଫ୍ ମାଇଁ ଏକ୍ସପେରିମେଂଟ୍ସ ଉଇଥ୍ ଟ୍ରୁଥ୍’ ଉପରେ ଆଲୋଚନା କରି ବିଶିଷ୍ଟ ଗାନ୍ଧୀବାଦୀ ଲେଖକ, ଚିନ୍ତକ ତଥା ସମାଜସେବୀ ପ୍ରହ୍ଲାଦ ସିଂହ କହିଲେ, ମାନବିକ ଅଧିକାର, ସାମାଜିକ ନ୍ୟାୟ ପାଇଁ ସଂଘର୍ଷ, ଉପନିବେଶୀ ଶାସନ ବିରୁଦ୍ଧରେ ସଂଗ୍ରାମକୁ ନେଇ ଗାନ୍ଧୀଜୀଙ୍କ ଆତ୍ମଜୀବନୀ ଏକ ଐଚ୍ଛିହାସିକ ସ୍ମରଣୀୟ ଦସ୍ତାବିଜ୍ । ଦକ୍ଷିଣ ଆଫ୍ରିକାରେ ନିଜ ଅଭିଜ୍ଞତା ବର୍ଣ୍ଣନାପୂର୍ବକ ଗାନ୍ଧୀଜୀ ଅନେକ ଆଧ୍ୟାତ୍ମିକ ଓ ନୈତିକ ସିଦ୍ଧାନ୍ତ ଉପରେ ନିଜସ୍ୱ ନିର୍ଣ୍ଣୟ ନେଇଥିଲେ । ଦକ୍ଷିଣ ଆଫ୍ରିକାର ବାରିଷ୍ଟର ଗାନ୍ଧୀ ଭାରତରେ ସତ୍ୟାଗ୍ରହୀ ଗାନ୍ଧୀଭାବେ ତାଙ୍କର ପରିଚୟକୁ ସୁଦୃଢ଼ କରିଥିଲେ । ଈଶ୍ୱର ଆରାଧନା ଉପରେ ଗାନ୍ଧୀଜୀଙ୍କର ମତାମତ ଉଲ୍ଲେଖ କରି ଶ୍ରୀ ସିଂହ କହିଲେ, ବୈଷ୍ଣବ ଜନଠାରୁ ସମଗ୍ର ବିଶ୍ୱର ଅଭିବୃଦ୍ଧି ସାଧନ ତାଙ୍କର ଉଦ୍ଧେଶ୍ୟ ଥିଲା । ଅନ୍ୟ ଏକ ପ୍ରସଙ୍ଗରେ ଅହିଂସା ଉପରେ ଆଲୋକପାତ କରିବାକୁ ଯାଇ ପତ୍ନୀ କସ୍ତୁରବାଙ୍କୁ ମୂଳ ପ୍ରେରଣା ଭାବରେ ଅଭିହିତ କରିଛନ୍ତି । ଅହିଂସା ଦୁର୍ବଳର ଅସ୍ତ୍ର ନୁହେଁ ବରଂ ସବଳର ସାଧନ ବୋଲି ଗାନ୍ଧୀଜୀ ବିଶ୍ୱାସ କରୁଥିଲେ ବୋଲି କହିବା ସହିତ ଶ୍ରୀ ସିଂହ ଗାନ୍ଧୀଜୀଙ୍କ ଆତ୍ମଜୀବନୀର ଅନେକ ଅଧ୍ୟାୟ ଆଲୋଚନା କରିଥିଲେ । ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଧେଶକ ବିଜୟ କୁମାର ନାୟକ, ପ୍ରତିଷ୍ଠାନର ନିର୍ଦ୍ଧେଶକ ଡ. ତମସାରାଣୀ ଦାସମହାପାତ୍ର ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକ ସମାରୋହ ଅବସରରେ ବକ୍ତବ୍ୟ ରଖିଥିଲେ । ପ୍ରତିଷ୍ଠାନର ବିତ ଅଧିକାରୀ ଇନ୍ଦ୍ରମଣି ତ୍ରିପାଠୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବହୁ ଗାନ୍ଧୀବାଦୀ ବିଦ୍ୱାନ, ଆଲୋଚକ, ଗବେଷକ, ଲେଖକ-ସାହିତି୍ୟକ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *