ଆଳି, ୩୦/୧୦/୨୦୧୯(ଓଡ଼ିଶା ସମାଚାର)- ଆଳି ଥାନା ଅନ୍ତର୍ଗତ ଜୁଆଣିଆ ଗ୍ରାମରେ ଗତମାସ ୨୭ ତାରିଖରେ ଘଟିଥିବା ଡକାୟତି ଘଟଣାର ୪ଜଣ ଡକାୟତଙ୍କୁ ପୁଲିସ ଗିରଫ କରିବାସହ ସେମାନେ ବ୍ୟବହାର କରିଥିବା ୨ଟି କାର କୁ ଜବତ କରିଛି । ଗତମାସ ୨୭ ତାରିଖ ରାତିରେ ଜୁଆଣିଆ ଗ୍ରାମର ନବଘନ ପରିଡାଙ୍କ ଘରେ ସଶସ୍ତ୍ର ଡକାୟତି କରି ଏକ କାର ରେ ଫେରାର ହେଉଥିବା ବେଳେ ପୁଲିସ ଗରାପୁର ଏସପିଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ଏନକାଉଂଟର କରିଥିଲା । ଏହି ଘଟଣାରେ ସମ୍ପୃକ୍ତ ୫ଜଣଙ୍କୁ ପୂର୍ବରୁ ପୁଲିସ ଗିରଫ କରିସାରିଛି । ସୋମବାର ସକାଳୁ ପୁଲିସଦଳ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମରେ ଚଢଉକରି କାହ୍ନୁ ଗୋଚ୍ଛାୟତ ଓ ନିଶାନ କୁମାର ସାହୁ ଏବଂ ଦୁଇ ଚାଳକ ଗଗନ କୁମାର ସାହୁ ଓ ବିନୟ କୁମାର ଷଣ୍ଢଙ୍କୁ ଗିରଫ କରିଥିଲା । ସେମାନଙ୍କ ୨ଟି କାରକୁ ପୁଲିସ ଜବତ କରିଛି । ଏମାନେ ଡକାୟତମାନଙ୍କୁ ବିଭିନ୍ନ ତଥ୍ୟ ଦେବାସହ ଡକାୟତି ପରେ ସେମାନଙ୍କୁ ରାଜ୍ୟ ବାହାରକୁ ପଠାଇବାରେ ସହଯୋଗ କରିଥାନ୍ତି ବୋଲି ଆଳି ଥାନାଧିକାରୀ ସଲିଳ କୁମାର ପ୍ରଧାନ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର