ଭୁବନେଶ୍ୱର,୨୯/୧୦/୨୦୧୯(ଓଡ଼ିଶା ସମାଚାର)- ଶ୍ରୀ ଜଗନ୍ନାଥଙ୍କର ରତ୍ନଭଣ୍ଡାର ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ସମ୍ପତି । ଏହା ହେଉଛି ଓଡିଆ ଜାତିର ଗର୍ବ ଓ ଗୌରବର ଗାଥାର ସାକ୍ଷୀ । ଚାବି ହଜିବା ଘଟଣାକୁ ଏବେ ଦେଢ ବର୍ଷରୁ ଅଧିକ ଦିନ ବିତିଗଲାଣି । ରତ୍ନଭଣ୍ଡାର ଚାବି ହଜିବା ପରେ ଏଥିରେ ଥିବା କୋଟି କୋଟି ଟଙ୍କା ମୁଲ୍ୟର ଅଳଙ୍କାର ବାସ୍ତବରେ ସୁରକ୍ଷିତ ଅଛି କି ନାହିଁ ତାହା ସାଧାରଣରେ ଯେଉଁ ସନ୍ଦେହ ତିଆରି ହୋଇଥିଲା ତାହା ଆଜିବି ସେହି ସନ୍ଦେହରେ ହିଁ ରହିଛି । ମୁଖ୍ୟମନ୍ତ୍ରୀ ତୁରନ୍ତ ଏହାକୁ ଖୋଲି ଯାଂଚ କରିବା ପାଇଁ ନିର୍ଦ୍ଧେଶ ଦିଅନ୍ତୁ । ରତ୍ନଭଣ୍ଡାରର ଭିତର ଗୃହର ଅଳଙ୍କାର ଉପରେ ୧୯୭୮ ମସିହାରେ ଯେଉଁ ତାଲିକା ପ୍ରସ୍ତୁତ ହୋଇଥିଲା ସେହି ତାଲିକା ସହିତ ଏବେର ଅଳଙ୍କାରର ତାଲିକା ପ୍ରସ୍ତୁତ କରାଯାଇ ଉଭୟର ତାଳମେଳ ଯାଂଚ ଓ ତାଲିକାକୁ ସାର୍ବଜନିନ କରିବା ପାଇଁ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାୟକ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଦାବି କରିଛନ୍ତି ।
ଶ୍ରୀ ନାଏକ କହିଛନ୍ତି ଯେ ରାଜ୍ୟ ସରକାର ଏବେ ୫ଟି ଉପରେ ଗୁରୁତ୍ୱ ଦେଉଛନ୍ତି । ସେହି ୫ଟି ବ୍ୟବସ୍ଥାକୁ ମନ୍ଦିର ପ୍ରଶାସନିକ ବ୍ୟବସ୍ଥାରେ ଲାଗୁ କରନ୍ତୁ । ୫ଟିରେ ଥିବା ଦୁଇଟି ଟି, ଟ୍ରାନସପରେନ୍ସି ଓ ଟାଇମ କୁ ରାଜ୍ୟ ସରକାର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଲାଗୁକରନ୍ତୁ । ନିର୍ଦ୍ଧିଷ୍ଟ ସମୟ ସୀମା ଓ ପୁରା ସ୍ୱଛତାରେ ରତ୍ନଭଣ୍ଡାରକୁ ଖୋଲି ଏହାର ଯାଂଚ ହେଉ ।
ପ୍ରଦୀପ୍ତ କହିଛନ୍ତି ଯେ ମାର୍ଚ୍ଚ ୨୨, ୨୦୧୮ରେ ରତ୍ନଭଣ୍ଡାର ଚାବି ହଜିଥିବା କଥା ପ୍ରଶାସନ ସ୍ୱୀକାର କରିଥିଲା । ବଢୁଥିବା ଜନଆକ୍ରୋଶ ଏବଂ ପ୍ରତିବାଦକୁ ପ୍ରଶମିତ କରିବା ପାଇଁ ରାଜ୍ୟ ସରକାର ଜୁନ ୮, ୨୦୧୮ରେ ଏକ ବିଚାର ବିଭାଗୀୟ ତଦନ୍ତ କମିଶନ ଘୋଷଣା କରିଲେ । ୩ ମାସ ଭିତରେ ରିପୋର୍ଟ ପ୍ରଦାନ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ହେଲେ ରାଜ୍ୟ ସରକାର ଏହାର କାର୍ଯ୍ୟକାଳକୁ ଆଉ ୩ ମାସ ବୃଦ୍ଧି କରିଲେ । ୬ ମାସ ପରେ ନଭେମ୍ବର ୩୦, ୨୦୧୮ ରେ କମିଶନ ରିପୋର୍ଟ ପ୍ରଦାନ କଲେ । ରିପୋର୍ଟ ଆସିଲା ହେଲେ ଫଳ ଶୂନ । ସରକାର ସେହି ତଦନ୍ତ ରିପୋର୍ଟକୁ ଚାପିଦେଲେ । ରତ୍ନଭଣ୍ଡାର କେବେ ଖୋଲାଯିବ ରାଜ୍ୟ ସରକାର ଏହା ଉପରେ କିଛି ପଦକ୍ଷେପ ନେଉନାହାନ୍ତି । ରତ୍ନ ଭଣ୍ଡାର ଚାବି ହଜିବା ଓ ତାର ପରେ ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କର ପଦକ୍ଷେପ ନିହାତି ସନ୍ଦେହ ଜନକ । ରତ୍ନ ଭଣ୍ଡାର ଚାବି ହଜିବା କଥା ସାମ୍ନାକୁ ଆସିବା ପରେ ରତ୍ନ ଭଣ୍ଡାରରେ ଥିବା ଦୁର୍ଲଭ ମଣିମୁକ୍ତା, ସୁନାରୂପା ସବୁ ସୁରକ୍ଷିତ ଅଛି କି ନେଇ ତାକୁ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଯେଉଁ ସନ୍ଦେହ ସୃଷ୍ଟି ହୋଇଥିଲା ତାହାକୁ ରାଜ୍ୟ ସରକାର ଦୂର କରିବାର ଆବଶ୍ୟକତା ଅଛି । ଓଡ଼ିଶା ସମାଚାର
Home / ରାଜନୀତି / ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକଙ୍କର ମୁଖ୍ୟମନ୍ତ୍ରୀଙ୍କୁ ଚିଠି : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରତ୍ନଭଣ୍ଡାରକୁ ଖୋଲି ତାର ଯାଂଚ କରି ଅଳଙ୍କାରର ତାଲିକାକୁ ସାର୍ବଜାନିନ କରାଯାଉ