ଜଗତସିଂହପୁର, ୨୯/୧୦/୨୦୧୯(ଓଡ଼ିଶା ସମାଚାର)- ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆରେ ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଯାଇଅଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଶାର ଜଳ ସଂପଦ ଏବଂ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ କହିଲେ ୧୯୯୯ ମହାବାତ୍ୟା ଆମକୁ କିପରି ବିପର୍ଯ୍ୟୟକୁ ମୁକାବିଲା କରିବାକୁ ପଡିବ, ସେ ସଂପର୍କରେ ଶିକ୍ଷା ଦେଇଛି । ମହାବାତ୍ୟା ଏରସମା ବ୍ଲକ ଓ ଜଗତସିଂହପୁର ଜିଲ୍ଲାକୁ ଅଧିକ କ୍ଷତିଗ୍ରସ୍ତ କରିଥିଲା । ୨୦ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଜିଲ୍ଲା ଅଂଟା ସଳଖି ଠିଆ ହୋଇଛି । ଇନ୍ଦିରା ଆବାସ,ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ଯୋଜନାରେ ଜିଲ୍ଲାରେ ପକ୍କାଘରର ଅଭାବ ନାହିଁ । ମହାବାତ୍ୟା ପରେ ପୃଥିବୀର କୋଣ ଅନୁକୋଣରୁ ରିଲିଫ୍ ଆସି ସୁଷମ ବଂଟନ ହୋଇଥିଲା । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମାନବିକତା ଓ ଭାଇଚାରା ଦେଖା ଦେଇଛି । ରାଜ୍ୟ ସରକାର ମହାବାତ୍ୟା ପରେ ଯେତେ ବାତ୍ୟା ଆସିଛି ତାହାକୁ ସଠିକ୍ ଭାବେ ମୁକାବିଲା କରିପାରିଛନ୍ତି । ଧନଜୀବନକୁ ସୁରକ୍ଷିତ କରିପାରିଛନ୍ତି । ଏହି ଉତ୍ସବରେ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ କହିଲେ ଜଗତସିଂହପୁର ଜିଲ୍ଲା ବାତ୍ୟା କରିଡରରେ ପରିଣତ ହୋଇଛି । ପ୍ରକୃତିର ତାଣ୍ଡବ ବେଳେ ମଣିଷ ଗୋଟିଏ ଖେଳଣା । ବାତ୍ୟାଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତଳିଆ ଅଂଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରି ଲୋକଙ୍କୁ ସୁରକ୍ଷିତ ରଖିବାରେ ମୁଖ୍ୟମନ୍ତ୍ରୀ ସାରା ପୃଥିବୀରେ ରୋଲ ମଡେଲ ହୋଇଛନ୍ତି । ମଣିଷ ମଣିଷକୁ ସହାୟତାର ହାତ ବଢାଇବାକୁ ସେ ପରାମର୍ଶ ଦେଇଥିଲେ । ତିର୍ତୋଲର ବିଧାୟକ ଶ୍ରୀ ବିଷ୍ଣୁ ଚରଣ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ମହାବାତ୍ୟା ସ୍ମୃତି ଚାରଣ ବେଳେ ଲୋମ ଟାଙ୍କୁରି ଉଠେ । କବି,ଲେଖକ,ପ୍ରାବନ୍ଧିକ ଓ ଔପନାସିକମାନେ କବିତା,ପ୍ରବନ୍ଧ,ଗଳ୍ପ ଓ ଉପନ୍ୟାସ ମାଧ୍ୟମରେ ମହାବାତ୍ୟାର ବିଭିଷିକା ସଂପର୍କରେ ଲେଖିଲେ ବର୍ତମାନ ଓ ଆଗାମୀ ପିଢୀ ଅବଗତ ହୋଇପାରିବେ । ଏହି ଦିବସରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କହିଲେ ମହାବାତ୍ୟା ସମସ୍ତଙ୍କ ହୃଦୟକୁ ଥରାଇ ଦେଇଥିଲା । ଓଡିଶାର ୧୨ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିଲା । ଏରସମା ବ୍ଲକ ସମେତ ସାରା ଜଗତସିଂହପୁର ଜିଲ୍ଲାରେ ମଣିଷ, ଗାଈଗୋରୁ, ପଶୁପକ୍ଷୀ, ବୃକ୍ଷରାଜି, ଧାନକ୍ଷେତ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ୮ରୁ ୧୦ ମିଟର ଉଚ୍ଚତାରେ ଜୁଆର ଉପକୂଳକୁ ମାଡି ଆସିଥିଲା । ୫ଦିନ ବର୍ଷାହୋଇ ବନ୍ୟା ପରିସ୍ଥିତି ସୃଷ୍ଟି କରିଥିଲା । ୨୦ବର୍ଷରେ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଜିଲ୍ଲାର ଜନସାଧାରଣ ସାହସର ସହ ବିପର୍ଯ୍ୟୟ ସମ୍ମୁଖୀନ ହେବା ପାଇଁ ଦୃଢ ମନୋବଳ ପାଇଛନ୍ତି । ଜିଲ୍ଲାରେ ୪୨ଟି ବହୁମୁଖୀ ବାତ୍ୟା ଅଶ୍ରୟ ସ୍ଥଳ ନିର୍ମାଣ ହୋଇଛି । ପାରାଦ୍ୱୀପ ପୋର୍ଟ ସହାୟତାରେ ଜଗତସିଂହପୁର ସହରକୁ ଭୂତଳ କେବୁଲ ମାଧ୍ୟମରେ ବିଦ୍ୟୁତ୍ ସଂଯୋଗ କରାଯିବ । ଜିଲ୍ଲାର ଜନପ୍ରତିନିଧିମାନେ ବିପର୍ଯ୍ୟୟ ବେଳେ ପ୍ରଶାସନକୁ ସହଯୋଗର ହାତ ବଢାଇଥାନ୍ତି ।
ପ୍ରାରମ୍ଭରେ ଉପ-ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ପ୍ରସାଦ ମହାନ୍ତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ଅବସରରେ ଜିଲ୍ଲାସ୍ତରୀୟ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିମାନେ ପୁରସ୍ଖାର ଓ ମାନପତ୍ର ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଅଗ୍ନିଶମ ବିଭାଗ ଓ ଇଫକୋ ପକ୍ଷରୁ ବିପର୍ଯ୍ୟୟ ବେଳେ ଉଦ୍ଧାର କାର୍ଯ୍ୟର କୈାଶଳ ପ୍ରଦର୍ଶନ କରାଯାଇଥିଲା । ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଅବସରରେ ଏକ ସଚେତନତା ଶୋଭାଯାତ୍ରା କଲେଜଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଜଳସଂପଦ,ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ପତାକା ହଲାଇ ଶୋଭାଯାତ୍ରାର ଉଦଘାଟନ କରିଥିଲେ । ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି,ତିର୍ତୋଲ ବିଧାୟକ ଶ୍ରୀ ବିଷ୍ଣୁଚରଣ ଦାସ, ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର,ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସରୋଜକାନ୍ତ ମହାନ୍ତି,ଉପ-ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ପ୍ରସାଦ ମହାନ୍ତି,ଡେପୁଟୀ କଲେକ୍ଟର,ଜରୁରୀ ଶ୍ରୀ କଲ୍ୟାଣ ସୈାରଭ ଦାଶ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ କାମିନୀ ରଂଜନ ପଟ୍ଟନାୟକ,ତହସିଲଦାର ଶ୍ରୀ ମାନସ ରଂଜନ ଭୋଇ,ନିର୍ବାହୀ ଅଧିକାରୀ,ପୈାରପରିଷଦ ଶ୍ରୀ ବିମଳ କୁମାର ଲେଙ୍କା,ଜିଲ୍ଲା ପ୍ରୋଗ୍ରାମ ଅଧିକାରୀ ଶ୍ରୀ ଜ୍ଞାନେନ୍ଦ୍ର କୁମାର ସାହୁ,ସହରର ବୁଦ୍ଧିଜୀବି,ମହାବିଦ୍ୟାଳୟ ଛାତ୍ରଛାତ୍ରୀ,ବିଦ୍ୟାଳୟର ସ୍କାଉଟ୍, ଗାଇଡ୍ ଏବଂ ଏନ୍.ସି.ସି ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି, ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀ ସୁଭାଷ ଚନ୍ଦ୍ର ରାଉତ ସଭାରେ ସଂଯୋଜନା କରିଥିଲେ । ଓଡ଼ିଶା ସମାଚାର