Saturday , December 4 2021
Home / ବିଶେଷ / କାଳୀପୂଜା ପାଇଁ ଭୁବନ,ନୂଆହାଟ,ମଣିପୁର ଉତ୍ସବମୁଖର

କାଳୀପୂଜା ପାଇଁ ଭୁବନ,ନୂଆହାଟ,ମଣିପୁର ଉତ୍ସବମୁଖର

ଭୁବନ,୨୯/୧୦/୨୦୧୯(ଓଡ଼ିଶା ସମାଚାର)-ଶକ୍ତିସ୍ୱରୂପିଣୀ,ଅଭୟଦାୟିନୀ,ଦୁଷ୍ଟନିବାରିଣୀ ମା କାଳୀ ଙ୍କ ଆବାହନ ପାଇଁ ସମଗ୍ର ଭୁବନଅଂଚଳ  ଉତ୍ସବମୁଖର ହୋଇପଡିଛି । ଚଳିତବର୍ଷ  ଭୁବନ କାଳୀବଜାର ପୂଜା ପ୍ରତିଷ୍ଠାନ ୪୧ ବର୍ଷରେ ପଦାର୍ପଣ କରିଥିବା ବେଳେ ସିନେମାହଲ ଛକ ୩୪ ତମ ବାର୍ଷିକ କାଳୀ ପୂଜା ପାଳନ କରୁଛି । ଭୁବନ ବ୍ଲକ ଅନ୍ତର୍ଗତ ମୁର୍ଦ୍ଧଙ୍ଗା ପଂଚାୟତର ନୂଆହାଟ ସ୍ଥିତ ମହାବୀର ବ୍ୟବସାୟୀ ସଂଘ ତର‘ରୁ ୩୧ ତମ ବାର୍ଷିକ କାଳୀ ପୂଜା ଅତ୍ୟନ୍ତ ଉତ୍ସାହ ଉଦ୍ଧିପନା ଶ୍ରଦ୍ଧା ଭକ୍ତିର ସହ ପାଳନ ହେଉଛି ଓ ଏକତାଳି ପଂଚାୟତ ର ପୁରୁଷୋତମପୁର (ମଣିପୁର) ଗ୍ରାମରେ ୧୫ତମ ବାର୍ଷିକ କାଳୀପୂଜା ପାଳନ ହେଉଛି । ସୁଉଚ୍ଚତୋରଣ ଓ ରଙ୍ଗୀନ ଆଲୋକ ମାଳାରେ ଭୁବନ ଓ ନୂଆହାଟ ଝଲସୁଛି । ସଂଧ୍ୟାପରଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରତ୍ୟେକ ପୂଜାମଣ୍ଡପରେ ପ୍ରବଳ ଭିଡ ହେଉଛି ।

କାଳୀବଜାର-୧୯୭୯ ମସିହାରେ ସ୍ୱର୍ଗତ କେଶବ ଚନ୍ଦ୍ର ସାହୁ,ସ୍ୱର୍ଗତ ବେଣୁଧର ପୃଷ୍ଟି ଙ୍କ ଉଦ୍ୟମ ଓ ବ୍ୟବସାୟୀ ଭାଇ ମାନଙ୍କ ସହଯୋଗରେ ପ୍ରଥମେ କାଳୀବଜାର ଠାରେ କାଳୀପୂଜା ଆରମ୍ଭ ହୋଇଥିଲା । କାଳୀବଜାର ବଣିକ ସଂଘ ୨୦୦୪ ମସିହାରେ ରୌପ୍ୟଜୟନ୍ତୀ ପାଳନ କରିଛି । ଚଳିତବର୍ଷ ୪୧ ତମ ବାର୍ଷିକ କାଳୀପୂଜା ପାଳନ ହେଉଛି । ସଭାପତି ସମୀର କୁମାର ସାହୁ ଙ୍କ ନେତୃତ୍ୱରେ  ବଣିକ ସଂଘର ସମସ୍ତ ଭାଇ ମାନଙ୍କ ସହଯୋଗରେ କାଳୀପୂଜା ଅନୁଷ୍ଠିତ ହେଉଛି । ୨୦୦୪ ମସିହା ରୌପ୍ୟଜୟନ୍ତୀ ବର୍ଷଠାରୁ  ପ୍ରତିବର୍ଷ ମା ଙ୍କ ବଡପୂଜାରେ ସାମୁହିକ ପ୍ରସାଦସେବନ କାର୍ଯ୍ୟକ୍ରମ କାଳୀବଜାର ବଣିକ ସଂଘ ର ଏକ ମହାନ ପରମ୍ପରା ତଥା ଭାଇଚାରାର ପ୍ରତୀକ ପାଲଟିଛି ।

ସିନେମାହଲ-୧୯୮୬ ମସିହାରେ  ଭୁବନ ଏନ.ଏ.ସି ଅନ୍ତର୍ଗତ ୧ ନମ୍ବର ବ୍ୱାର୍ଡ ସିନେମାହଲ ନିକଟ ବାସିନ୍ଦା ଙ୍କ ପ୍ରଚେଷ୍ଟାରେ ଙ୍କ  ଆରମ୍ଭ ହୋଇଥିବା  କାଳୀପୂଜା ଚଳିତବର୍ଷ ୩୪  ବର୍ଷରେ ପଦାର୍ପଣ କରିଛି । ଆସନ୍ତା ବୁଧବାର ମା ଙ୍କ ବଡପୂଜାରେ ପ୍ରାୟ ୩ ହଜାର ଶ୍ରଦ୍ଧାଳୁ ସାମୁହିକ ପ୍ରସାଦ ସେବନ କରିବାର ବ୍ୟବସ୍ଥା ହୋଇଛି ।   ସୁଉଚ୍ଚ ତୋରଣ,ଲାଇଟଗେଟ ଓ ରଙ୍ଗିନ ଆଲୋକମାଳାରେ ସଂଧ୍ୟା ସମଗ୍ର ଅଂଚଳ ଝଲସୁଛି । ସଭାପତି ସନ୍ତୋଷ କୁମାର ପୋଥାଳ ,ସଂପାଦକ ଧନେଶ୍ୱର ଦାସ ,ରବୀନ୍ଦ୍ର ସାହୁ,ପର୍ଶୁରାମ ପୋଥାଳ,ଭବାନୀଶଙ୍କର ବେହେରା,କୃଷ୍ଣଚନ୍ଦ୍ର ଦାସ ଙ୍କ ନେତୃତ୍ୱ  ଓ ସାହିବାସିନ୍ଦା ଙ୍କ  ସହଯୋଗରେ  ପୂଜା ଅନୁଷ୍ଠିତ ହେଉଛି । ।

ନୂଆହାଟ- ଭୁବନ ବ୍ଲକ ଅନ୍ତର୍ଗତ ମୁର୍ଦ୍ଧଙ୍ଗା ପଂଚାୟତ ର ନୂଆହାଟ ଠାରେ ମହାବୀର ବ୍ୟବସାୟୀ ସଂଘ ତରଫରୁ ୧୯୮୯ ମସିହାରେ ଆରମ୍ଭ ହୋଇଥିବା କାଳୀପୂଜା ଗତ ୨୦୧୩ ମସିହାରେ ରୌପ୍ୟ ଜୟନ୍ତୀ ପାଳନ କରି ଚଳିତ ବର୍ଷ ୩୧ ବର୍ଷରେ ପଦାର୍ପଣ କରିଛି ।   ଦୋଳି, ମୀନାବଜାର, ଉଠାଦୋକାନୀ, ଚାଟ, ଦୋସା, ଦହିବରା, ଆଳୁଦମ, ଠୁଙ୍କାପୁରୀ ମନୋହରୀ ଦୋକାନ ର ପସରା ମେଲିଛି । ଲାଇଟଗେଟ ,ସୁଉଚ୍ଚ ତୋରଣ, ରଙ୍ଗୀନ ଆଲୋକମାଳା ରେ ଅମରାବତୀର ଭ୍ରମ ସୃଷ୍ଟି କରୁଛି । ପ୍ରତ୍ୟେକ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।  ସଂଧ୍ୟାପର ଠାରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ପ୍ରବଳ ଭିଡ ହେଉଛି । ଭିଡ ସମ୍ଭାଳିବାକୁ ଭୁବନ ପୋଲିସ ଙ୍କ ସମେତ ୧ ପ୍ଲାଟୁନ ଫୋର୍ସ ନିୟୋଜିତ ରହିଛନ୍ତି ।  ସମସ୍ତ ବ୍ୟବସାୟୀ ଭାଇ ମାନେ ସକ୍ରିୟ  ଅଂଶଗ୍ରହଣ ଓ ସହଯୋଗ କରୁଛନ୍ତି ।

ମଣିପୁର-୨୦୦୫ ମସିହାରେ ଭୁବନ ବ୍ଲକ ଅନ୍ତର୍ଗତ ଏକତାଳି ପଂଚାୟତ ର ପୁରୁଷୋତମପୁର ଶାସନ (ମଣିପୁର)ରେ ଗ୍ରାମବାସୀ ଙ୍କ ସହଯୋଗରେ ପ୍ରଥମେ କାଳୀପୂଜା ଆରମ୍ଭ ହୋଇଥିଲା । ଚଳିତବର୍ଷ ୧୫ ତମ ବାର୍ଷିକ ପୂଜା ଅନୁଷ୍ଠିତ ହେଉଛି । ଅତ୍ୟନ୍ତ ଉତ୍ସାହ ର ସହ ଗ୍ରାମବାସୀ ପୂଜା ପାଳନ କରୁଛନ୍ତି । ମଣିପୁର ଗ୍ରାମରେ କାଳୀପୂଜା ଗଣପର୍ବର ମାନ୍ୟତା ପାଇଛି । ପ୍ରତ୍ୟେକ ସଂଧ୍ୟାରେ ପାଲା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସେଥିପାଇଁ ସମସ୍ତଙ୍କ ଘରେ କୁଣିଆ ଙ୍କ ଭିଡ ଜମୁଛି ।

ଅନୁରୂପ ଭାବେ ଭୁବନ ବ୍ଲକର ମଠକରଗୋଳା ଓ ଜିରାଳ ଗ୍ରାମରେ ମଧ୍ୟ କାଳୀପୂଜା ଧୁମଧାମରେ ପାଳନ କରାଯାଉଛି । ଓଡ଼ିଶା ସମାଚାର

About admin

Check Also

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ  …

Leave a Reply

Your email address will not be published. Required fields are marked *