Thursday , September 29 2022
Breaking News
Home / କୃଷି / ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ ପାଇଁ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର

ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ ପାଇଁ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର

ଗରଦପୁର,୨୬/୧୦/୨୦୧୯(ଓଡ଼ିଶା ସମାଚାର)-ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଗୁଡିକ ଦ୍ୱାରା ପଂଚାୟତରେ  ଥିବା ପୋଖରୀରେ ବୈଜ୍ଞାନିକ ପଦ୍ଧତିରେ ମାଛଚାଷ କରାଯିବା ସମ୍ପର୍କରେ ଆଜି ଗରଦପୁର ବ୍ଳକ ପରିସରରେ ଥିବା ଆତ୍ମା ସଭା ଗୃହରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ମାଛ ଚାଷ ଦ୍ୱାରା କୁ-ପୋଷଣ ଦୂର ହେବା, ମହିଳାମାନେ ସ୍ୱବଲମ୍ବୀ ହେବା,ଆର୍ଥିକ ମାନ ଦଣ୍ଡ ସୁଦୃଢ ହେବ ଏବଂ ମାଛ ଚାଷକୁ ବ୍ୟବସାୟ ଭାବରେ ଗ୍ରହଣ କଲେ ଅଧିକ ଲାଭବାନ ହେବାର ସୁଯୋଗ ରହିଥିବା ସମ୍ପର୍କରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ କେନ୍ଦ୍ରାପଡା ଜିଲା ମତ୍ସ୍ୟ ବିଭାଗ ଅଧିକାରିଣୀ ମମତା ମାହାପାତ୍ର ଯୋଗ ଦେଇ ମତ ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ମତ୍ସ୍ୟ ଚାଷକୁ ଗୁରୁତ୍ୱ ଦେଉଥିବାରୁ ଚଳିତ ବର୍ଷ କେନ୍ଦ୍ରାପଡା ଜିଲାରେ ମୋଟ ୩୯୫ ଗୋଟି ପଂଚାୟତକୁ ମତ୍ସ୍ୟ ଚାଷ କରାଯିବା ପାଇଁ ନିଆଯାଇଥିବାବେଳେ,ଏ ସମ୍ପର୍କରେ ମୋଟ୨୦୪ ସ୍ୱୟଂ ସହାୟିକା ଗୋଷ୍ଠିଗୁଡିକୁ ପ୍ରଶିକ୍ଷଣ ଦିଆଯାଇଥିବା ଜିଲା ମତ୍ସ୍ୟ ଅଧିକାରିଣୀ ଶ୍ରୀମତୀ ମହାପାତ୍ର ପ୍ରକାଶ କରିଛନ୍ତି । ଜିଲା ମତ୍ସ୍ୟ ବିଭାଗ ଦ୍ୱାରା ଆୟୋଜିତ ଓ ମିଶନ ଶକ୍ତି ଏବଂ ୱାଲ୍ଡ ଫିସ୍ ମିଳିତ ସହଯୋଗରେ  ଅନୁଷ୍ଠିତ ଏହି ତାଲିମ ଶିବିରରେ ଜିଲା ଅତିରିକ୍ତ ମତ୍ସ୍ୟ ଅଧିକାରୀ ଦିଲ୍ଲୀପ୍ କମୁାର ମହାନ୍ତି,ୱାଲ୍ଡ ଫିସ୍ର ନୋଡାଲ ମ୍ୟାନେଜର ସୌରଭ କୁମାର ବିଶ୍ୱାଳ,ଜିଲା ସହକାରୀ ମତ୍ସ୍ୟ ଅଧିକାରୀ ମନିଷା ଜେନା,ଗରଦପୁର ବ୍ଳକର ସହକାରୀ ମତ୍ସ୍ୟ ଅଧିକାରୀ ଶଙ୍କର୍ଷଣ ପଣ୍ଡା ଓ ରବିନ୍ଦ୍ର କୁମାର ସାହୁ ଏବଂ ମିଶନ ଶକ୍ତିର ଅଖିଳ କୁମାର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଉପସ୍ଥିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନଙ୍କୁ ମତ୍ସ୍ୟ ଚାଷ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ଉନ୍ନତମାନର ମତ୍ସ୍ୟ ଚାଷ କରାଯିବା ପାଇଁ ସରକାରୀ ବୈଷୟିକ ଜ୍ଞାନ କୌଷଳ ମାଗଣାରେ ପ୍ରଦାନ କରାଯିବା ସହିତ, ମାଛ ଚାଷ ପାଇର୍ ବିଭିନ୍ନ ପ୍ରକାରର ଔଷଧପତ୍ର ମଧ୍ୟ ମାଗଣାରେ ଚାଷୀମାନଙ୍କୁ ଯୋଗଇ ଦିଆଯିବା ଉପରେ ବକ୍ତାମାନେ ମତ ରଖିଥିଲେ । ଗରଦପୁର ବ୍ଳକର ବିଭିନ୍ନ ପଂଚାୟତମାନଙ୍କରେ ରହିଥିବା ମୋଟ ୪୪ଗୋଟି ପଂଚାୟତ ପୋଖରୀକୁ ନିଲାମ କରାଯାଇ ସମ୍ପୃକ୍ତ ପଂଚାୟତରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଗୁଡିକୁ ମାଛ ଚାଷ କରାଯିବା ପାଇଁ ଦିଆଯାଇଛି ।  ମାଛ ଚାଷ କରୁଥିବା ସ୍ୱୟଂ ସହାୟିକା ଗୋଷ୍ଠିଗୁଡିକ ମଧ୍ୟରୁ ୧ମ ପର୍ଯ୍ୟାୟରେ ୧୫ଗୋଟି ସ୍ୱୟଂ ସହାୟିକା ଗୋଷ୍ଟିଗୁଡିକର ମୋଟ ୩୦ ଜଣ ମତ୍ସ୍ୟ ଚାଷୀ ମହିଳାମାନେ ଆଜି ବିଭାଗୀୟ ଅଧିକାରୀମାନଙ୍କ ଠାରୁ ବୈଜ୍ଞାନିକ ପଦ୍ଧତିରେ ଉନ୍ନତମାନର ମତ୍ସ୍ୟ ଚାଷ ସମ୍ପର୍କରେ ପ୍ରଶିକ୍ଷଣ ନେଇଥିଲେ । ଅଧିକାରୀମାନେ ପ୍ରୋଟେକ୍ଟର ସାହାଯ୍ୟରେ ମତ୍ସ୍ୟ ଚାଷୀମାନଙ୍କୁ ଉନ୍ନତ ଜ୍ଞାନ କୌଶଳ ପ୍ରଦାନ କରିଥିଲେ । ଏହି ଅବସରରେ ବିଭାଗ ପକ୍ଷରୁ ପ୍ରତି  ସ୍ୱୟଂ ସହାୟିକା ଗୋଷ୍ଠିଗୁଡିକର  ମହିଳାମାନଙ୍କୁ ‘କିଟ୍’ ବ୍ୟାଗ ପ୍ରଦାନ କରିଥିଲେ । ଆଜି ପ୍ରଶିକ୍ଷଣ ନେଇଥିବା ମତ୍ସ୍ୟ ଚାଷୀମାନଙ୍କୁ ଆସନ୍ତା କାଲି ଚାନ୍ଦୋଳ, ଅନୁଆପଡା, ଡେରାବିଶ ବ୍ଳକ୍ ଅଂଚଳର କେତକ ସ୍ଥାନକୁ କ୍ଷେତ୍ର ପରିଦର୍ଶନ କରାଇବା ପାଇଁ ନେବାର ଯୋଜନା ରହିଥିବା ବ୍ଳକର ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published.