Friday , September 22 2023
Breaking News
Home / ବିଶେଷ / ନୂତନ ପାନୀୟ ଜଳ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା  ପାଇଁ ଦାବି

ନୂତନ ପାନୀୟ ଜଳ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା  ପାଇଁ ଦାବି

ଗରଦପୁର,୨୫/୧୦/୨୦୧୯(ଓଡ଼ିଶା ସମାଚାର)- ଗ୍ରାମାଂଚଳର ଲୋକମାନଙ୍କୁ ସ୍ୱଛ ଓ ନିର୍ମଳ ପାନୀୟ ଜଳ ଯୋଗାଣ କରାଯିବା ପାଇଁ ବିଭିନ୍ନ ଗ୍ରାମ ପଂଚାୟତର ଜନ ବହୁଳ ଥିବା ଗ୍ରାମମାନଙ୍କରେ ପ୍ରଥମ ପର୍ଯ୍ୟାୟରେ ପାନୀୟ ଜଳ ପ୍ରକଳ୍ପ କରାଯାଇ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରାଯାଉଛି । ଏହା ସତ୍ୱେ ମଧ୍ୟ ପାନୀୟ ଜଳ ପାଇଁ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେତେକ ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେଉଥିବାବେଳେ, କେତେକ ପ୍ରକଳ୍ପରୁ ବାହାରୁଥିବା ପାଣି ଲୁଣି ହେତୁ ବ୍ୟବହାର କରିବା କଷ୍ଟ ହୋଇ ପଡୁଛି । ଗରଦପୁର ବ୍ଳକ ଅନ୍ତର୍ଗତ ବେଡାରୀ ପଂଚାୟତର ବେଡାରୀ ଗ୍ରାମରେ କରାଯାଇଥିବା ପାନୀୟ ଜଳ ପ୍ରକଳ୍ପରୁ ବାହାରୁଥିବା ପାଣିରୁ ଲୋକମାନେ କେବଳ ବାସନ ମାଜିବା,ପାଇଖାନାକୁ ନେବା ଓ ଗୋଡ ହାତ ଧୋଇବା କାର୍ଯ୍ୟରେ ଲଗାଉଛନ୍ତି । ଏହି ପାଣିରେ ଗୋଡ ହାତ ଧୋଇଲେ ଗୋଡ ହାତ ପାଣି ଖଶଇ ଯାଉଥିବାର ଲୋକମାନେ ଅଭିଯୋଗ କରିଛନ୍ତି । ବାରମ୍ବାର ଅଭିଯୋଗ କରିବା ପରେ କେନ୍ଦ୍ରାପଡା ପାନୀୟଜଳ ଓ ପରିମଳ ବିଭାଗ ପକ୍ଷରୁ ଏହି ପ୍ରକଳ୍ପ ଠାରୁ ଅଳ୍ପ ଦୂରରେ ଅନ୍ୟ ଏକ ପ୍ରକଳ୍ପ ଖୋଳାଯାଇଛି । ଗତ ଦୁଇ ମାସ ହେଲା ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକ୍ଷମ କରାଯାଉ ନାହିଁ । ଫଳରେ ସମ୍ପୃକ୍ତ ପାନୀୟ ଜଳ ପ୍ରକଳ୍ପ ଅଂଚଳର ଲୋକମାନେ ଏଥି ନେଇ ଅସୁବିଧାରେ ପଡୁଛନ୍ତି । ଗରଦପୁର ବ୍ଳକର ବେଡାରୀ ଗ୍ରାମ ଏକ ପାନୀୟ ଜଳକ୍ଳିଷ୍ଠ ଓ ଲବଣାକ୍ତ ଅଂଚଳ ଭାବରେ ପ୍ରଶାସନଙ୍କ ପକ୍ଷରୁ ଚିହ୍ନଟ କରାଯାଇଛି । ଏଠାରେ କେବଳ ଗଭୀର ନଳକୂପ ଖୋଳିଲେ ପାନୀୟ ଜଳ ମିଳିବା ସମ୍ଭବ ହୋଇ ଥାଏ । ଗୋଟିଏ ଗଭୀର ନଳକୂପ ଖୋଳିବା ପାଇଁ ପ୍ରାୟ୪ଲକ୍ଷ ଟଙ୍କା ବ୍ୟୟ କରାଯାଉଥିବାରୁ ସାଧାରଣ ଲୋକମାନଙ୍କ ପକ୍ଷରୁ ଏତେ ଟଙ୍କା ବ୍ୟୟ କରି ଗଭୀର ନଳକୂପ ଖୋଳିବା ସମ୍ଭବ ହେଉ ନାହିଁ । ବେଡାରୀ ପାନୀୟ ଜଳ ପ୍ରକଳ୍ପ ଉପରେ ବେଡାରୀ, କୂଳତୁଠୀ ଓ ସୋଲପାଟ ଗ୍ରାମର ୪୫୦ପରିବାରର ଲୋକମାନେ ନିର୍ଭର କରିଥାଆନ୍ତି । ତେଣୁ ନୂତନ ପାନୀୟ ଜଳ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ପାଇଁ ଗ୍ରାମବାସୀମାନଙ୍କ ପକ୍ଷରୁ ଦାବି କରାଯାଇଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *