ସାଲେପୁର,୨୪/୧୦/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା) :କୃଷି ଓ କୃଷକର ଉନ୍ନତି ପାଇଁ ଜଳ ସଂପଦ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ ସାଲେପୁର ଜଳ ସଂପଦ ବିଭାଗ ସେଥିପ୍ରତି ଗୁରୁତ୍ୱ ଦେଉନଥିବା ଜଣାପଡ଼ିଛି । ବାରବୋଡ଼ିଆ ଲକ୍ ଠାରୁ କେନ୍ଦୁପାଟଣା ପର୍ଯ୍ୟନ୍ତ ଏହି କେନାଲରେ ଥରେ ଘଶି ହୋଇଥିବା ବେଳେ ୧୦ ରୁ ଉର୍ଦ୍ଧର୍ ଥର ଘଳିଆ ପଡ଼ିଛି । ଆଜି ବଟେଶ୍ୱର ଠାରେ ଏହି କେନାଲରେ ଏକ ବିରାଟ ଘଳିଆ ପଡ଼ିବାରୁ ଚାଷୀମାନଙ୍କ ମଧ୍ୟରେ ଭୟ ପ୍ରକାଶ ପାଇଥିଲା । ବର୍ତମାନ ଧାନ ଗଛ ଗର୍ଭଧାରଣ କରିଥିବା ବେଳେ କେତେକ ଧାନ ଗଛ ଗର୍ଭ ଧାରଣ କରିବାକୁ ଯାଉଛି । ଏଭଳି ସମୟରେ ଘଳିଆ ପଡ଼ି କେନାଲ ବନ୍ଧ ଭୁଷୁଡ଼ି ଗଲେ ଶହଶହ ଏକ ଧାନଜମି ସମୁଳେ ନଷ୍ଟ ହୋଇଯିବ । ଯାହା ଚାଷୀମାନଙ୍କ ମେରୁଦଣ୍ଡକୁ ଦୋହଲାଇ ଦେବାର ଯଥେଷ୍ଟ ସମ୍ଭାବନା ରହିଛି । ଜଳ ସଂପଦ ବିଭାଗ କେନାଲ ବନ୍ଧର ସୁରକ୍ଷା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରୁନଥିବାରୁ ଏଭଳି ଘଟଣାମାନ ଘଟୁଛି ବୋଲି ଚାଷୀମାନଙ୍କ ପକ୍ଷରୁ କୁହାଯାଇଛି । ଆଜି ବଟେଶ୍ୱର ପାଖରେ ସୃଷ୍ଟି ହୋଇଥିବା ଘଳିଆକୁ ମରାମତି କରାଯାଇଛି । ରାଜ୍ୟ ସରକାରଙ୍କ ଜଳ ସଂପଦ ବିଭାଗ ଏକ ପ୍ରମୁଖ ବିଭାଗ ହୋଇଥିବା ବେଳେ କ’ଣ ପାଇଁ ଏଠାରେ ଏହି ବିଭାଗରେ ଅବହେଳା ପ୍ରଦର୍ଶନ କରାଯାଉଛି ତାହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ଓଡ଼ିଶା ସମାଚାର