Friday , September 29 2023
Breaking News
Home / ଶିକ୍ଷା / ଯାଂଚହେବ +୨ ଓ ୮ମରୁ ୧୦ମ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ରିପୋର୍ଟ – ୭୫%ରୁ କମ୍ ରହିଲେ କାର୍ଯ୍ୟାନୁଷ୍ଠାନ – ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଂଚପାଇଁ ନିଷ୍ପତି

ଯାଂଚହେବ +୨ ଓ ୮ମରୁ ୧୦ମ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ରିପୋର୍ଟ – ୭୫%ରୁ କମ୍ ରହିଲେ କାର୍ଯ୍ୟାନୁଷ୍ଠାନ – ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଂଚପାଇଁ ନିଷ୍ପତି

ଭୁବନେଶ୍ୱର,୨୩/୧୦/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟରେ ପ୍ରଥମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ଶ୍ରେଣୀରେ ଶିକ୍ଷାଦାନ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଉପରେ ମଧ୍ୟ ନଜର ରଖାଯାଇଛି । ସେଥିପାଇଁ +୨ ଓ ୮ମରୁ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଯାଂଚ କରିବାକୁ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି । ଅଗଷ୍ଟରୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ୩ମାସର ଉପସ୍ଥାନ ଯାଂଚ କରାଯିବ । ହାରାହାରି ଉପସ୍ଥାନ ୭୫ପ୍ରତିଶତରୁ କମ୍ ରହିଲେ ସମ୍ପୃୃକ୍ତ ଛାତ୍ରଛାତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶ୍ରେଣୀରେ ପିଲାଙ୍କ ଉପସ୍ଥାନ ଯେପରି ଠିକ୍ ରୁହେ ସେନେଇ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ+୨ପରିଷଦକୁ ନିର୍ଦ୍ଧେଶ ଦିଆଯାଇଛି । ପୂଜାଛୁଟି ପରେ ପାଠପଢ଼ା ଆରମ୍ଭ ହୋଇଥିବାରୁ ଏହି ମାସରେ ଯେତିକି ଦିନ ପାଠପଢ଼ା ହୋଇଥିଲା ତାକୁ ହିସାବକୁ ନେଇ ପିଲାଙ୍କ ଉପସ୍ଥାନ ରିପୋର୍ଟ ପ୍ରସ୍ତୁତ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଧେଶ ମିଳିଛି । ବିଭାଗୀୟ ଅଧିକାରୀଙ୍କ କହିବା କଥା, ପ୍ରତିମାସରେ ଅଧ୍ୟାପକଙ୍କ ଉପସ୍ଥାନ ଲାଗି ବାୟୋମେଟ୍ରିକ ଯାଂଚ କରାଯାଉଥିବା ବେଳେ ପିଲାଙ୍କ ଉପସ୍ଥାନକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଶ୍ରେଣୀରେ ପିଲାଙ୍କ ଉପସ୍ଥିତିର ସମୀକ୍ଷା କରାଯାଇ ୭୫ପ୍ରତିଶତରୁ କମ୍ ଉପସ୍ଥାନ ରହୁଥିବା ପିଲାଙ୍କ ଅଭିଭାବକଙ୍କ ସହ ପ୍ରଧାନ ଶିକ୍ଷକ-ଅଧ୍ୟକ୍ଷଙ୍କୁ ଆଲୋଚନା ପରାମର୍ଶ ଦିଆଯାଇଛି । ୫୦ପ୍ରତିଶତ ତଳକୁ ଉପସ୍ଥାନ ଥିଲେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ । ୩୫ପ୍ରତିଶତ ତଳକୁ ଉପସ୍ଥାନ ରହିଲେ ସମ୍ପୃକ୍ତ ଛାତ୍ରଛାତ୍ରୀ ଡାକ୍ତରୀ ସାର୍ଟିଫିକେଟ୍ ଦାଖଲ କରିବେ ନଚେତ ଆଗକୁ ପରୀକ୍ଷା ଦେବାରୁ ବଂଚିତ କରାଯିବ । କିଛି ଅଧ୍ୟକ୍ଷ କହିଲେ ଅଗଷ୍ଟ ରୁ ପାଠ ପଢ଼ା ଆରମ୍ଭ ହୋଇଥିଲେ ହେଁ ପ୍ରଥମ ବର୍ଷ ପିଲାଙ୍କ ପୋଷାକ, ପାଠ୍ୟପୁସ୍ତକ, ଷ୍ଟ୍ରିମ ପରିବର୍ତନ, କଲେଜ ବଦଳ ଆଦି ବିଭିନ୍ନ ସମସ୍ୟା ପାଇଁ ଉପସ୍ଥାନରେ ସମସ୍ୟା ରହିବ । ମାତ୍ର ଯେଉଁ ପିଲାମାନେ ବଦଳି ଲାଗି ଆବେଦନ କରିନାହାଁନ୍ତି ଏବଂ ବିଶେଷକରି ୨ୟବର୍ଷ ପିଲାଙ୍କ ଉପସ୍ଥାନକୁ କଡାକଡ଼ି ଭାବେ ଯାଂଚ କରାଯାଉଛି । ତେବେ ପ୍ରାୟ ୧୫ପ୍ରତିଶତ ପିଲାଙ୍କ ଉପସ୍ଥାନ ୩୦%ତଳକୁ ଥିବାବେଳେ ୨୦ରୁ ୨୫ପ୍ରତିଶତ ପିଲାଙ୍କ ଉପସ୍ଥାନ ୫୦ପ୍ରତିଶତ ତଳକୁ ରହିଥିବା ଦେଖିବାକୁ ମିଳିଛି । ଏନେଇ କାରଣଦର୍ଶାଅ ନୋଟିସ୍ ଦେବା ପୂର୍ବରୁ କିଛି ପିଲା ଅନୁପସ୍ଥିତ ରହିବାର କାରଣ ଦରଖାସ୍ତ ମାଧ୍ୟମରେ ଦର୍ଶାଇଥିବାରୁ ତାହାକୁ ମଧ୍ୟ ବିଚାରକୁ ନିଆଯିବ । ସେହିପରି ସ୍କୁଲରେ ମଧ୍ୟ ପିଲାଙ୍କ ଉପସ୍ଥାନ ଯାଂଚ କରାଯାଇଛି । ଯେଉଁ ପିଲାଙ୍କର କମ୍ ଉପସ୍ଥାନ କମ୍ ରହିଛି ସେହି ପିଲାଙ୍କର ଅଭିଭାବକଙ୍କୁ ମଧ୍ୟ ଚେତାବନୀ ଦିଆଯାଇଥିବା ପ୍ରଧାନଶିକ୍ଷକମାନଙ୍କ ସୂତ୍ରରୁ ଜଣାପଡ଼ିଛି । ସ୍କୁଲ, ଜୁନିୟର କଲେଜ ଏବଂ ଡିଗ୍ରୀ କଲେଜଗୁଡିକରେ ଅଗ୍ନି ନିରାପତା ବ୍ୟବସ୍ଥା ରହିଛି କି ନାହିଁ ତାହା ମଧ୍ୟ ଯାଂଚ କରିବାକୁ ସରକାର ନିଷ୍ପତି ନେଇଛନ୍ତି । ରାଜ୍ୟରେ ୧୬୪୦ ଜୁନିୟର କଲେଜ ଏବଂ ୯୨୦ଟି ଡିଗ୍ରୀ କଲେଜରେ ଅଗ୍ନି ନିରାପତା ବ୍ୟବସ୍ଥା କରିବାକୁ ପୂର୍ବରୁ ନିର୍ଦ୍ଧେଶ ଦିଆଯାଇଥିଲା । ଏନେଇ ଅନେକ ଅନୁଷ୍ଠାନକୁ ମଧ୍ୟ ଅନୁଦାନ ପ୍ରଦାନ କରାଯାଇଛି । ପିଲାଙ୍କ ଉପସ୍ଥାନ ଯାଂଚ ସହ ଶିକ୍ଷାନୁଷ୍ଠାନଗୁଡିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ରହିଛି କି ନାହିଁ ତାହାର ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଧେଶ ଦିଆଯାଇଛି । ଯେଉଁ କଲେଜ କିମ୍ବା ସ୍କୁଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିବ ସେହି ଅନୁଷ୍ଠାନର କର୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *