Saturday , December 4 2021
Home / ସ୍ୱାସ୍ଥ୍ୟ / ନାହାନ୍ତି ଡାକ୍ତର – ରାଜକନିକା ସ୍ୱାସ୍ଥ୍ୟକେନ୍ଦ୍ରକୁ ଭରସା ଆୟୁଷ ଡାକ୍ତର

ନାହାନ୍ତି ଡାକ୍ତର – ରାଜକନିକା ସ୍ୱାସ୍ଥ୍ୟକେନ୍ଦ୍ରକୁ ଭରସା ଆୟୁଷ ଡାକ୍ତର

ରାଜକନିକା, ୨୩/୧୦/୨୦୧୯(ଓଡ଼ିଶା ସମାଚାର)- ପ୍ରାୟ ଦୁଇ ଲକ୍ଷ ଜନସାଧାରଣଙ୍କ ଏକ ମାତ୍ର ନିର୍ଭରଶୀଳ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅବହେଳିତ ହୋଇପଡ଼ିଛି । ଜଣେ ଆୟୁଷ ଡ଼ାକ୍ତରଙ୍କ ଉପରେ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ଭର କରୁଛି । ପ୍ରତିଦିନ ଶହଶହ ରୋଗୀ ଡ଼ହଳବିକଳ ହେଉଛନ୍ତି । ଶୁଣିବାକୁ କେହି ନାହିଁ । ସାଧାରଣ ଲୋକେ ଏମିତି ଦୁଃଖ ଯନ୍ତ୍ରଣାରେ ଜର୍ଜ୍ଜରିତ ହୋଇ ଜୀବନ କାଟୁଛନ୍ତି । ରାଜ୍ୟ ସରକାରଙ୍କ ‘ମୋ ସରକାର’ ଏଠି ପ୍ରହସନ ପାଲଟିଛି । ଦୁଇ ବର୍ଷରୁ ଅଧିକ ହେଲା ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ନାହାନ୍ତି । ଏହା ବାଦ ଏଠାରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡ଼ାକ୍ତର ପଦ ଦୀର୍ଘବର୍ଷ ହେବ ଖାଲି ପଡ଼ିଛି । ୯ଜଣ ଡ଼ାକ୍ତର ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ରହି ଚିକିତ୍ସା କରିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ହେଲେ ଫଳ ଶୂନ । ସ୍ତ୍ରୀ ଓ ପ୍ରସୂତି ବିଭାଗ ପରି ଶିଶୁ ବିଶେଷଜ୍ଞ ଏବଂ ମେଡ଼ିସିନ୍ ବିଭାଗରେ ଡ଼ାକ୍ତର ନାହାନ୍ତି । ପ୍ରତିଦିନ ପ୍ରସୂତି ଓ ମହିଳାମାନେ ଅନେକ ସମସ୍ୟାରେ ପଡ଼ି ବହୁ ଖର୍ଚ୍ଚାନ୍ତ ହୋଇ କେନ୍ଦ୍ରାପଡ଼ା ଜିଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟ ସରକାର ଯୋଜନା କରୁଛନ୍ତି, ହେଲେ ଆନୁସାଙ୍ଗିକ ବ୍ୟବସ୍ଥା ଗ୍ରହଣ କରୁନାହାନ୍ତି । ଫଳରେ ଗରିବ ଲୋକେ ଚିକିତ୍ସା ସୁବିଧାରୁ ବଂଚିତ ହେଉଛନ୍ତି । ଡ଼ାକ୍ତରମାନଙ୍କୁ ନିରାମୟ ଯୋଜନାରେ ଔଷଧ ଲେଖି ମାଗଣାରେ ଯୋଗାଇ ଦେବା ପାଇଁ ନିର୍ଦେଶ ରହିଛି, ହେଲେ ଏହି ନିରାମୟ ଔଷଧ ଭଲ କାମ କରୁ ନଥିବା ଲୋକମାନେ ଅଭିଯୋଗ କରୁଛନ୍ତି । ରାଜକନିକା ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁଷ ଡାକ୍ତର ବିଚିତ୍ର କୁମାର ଦାସ ପ୍ରତିଦିନ ରୋଗୀମାନଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ଚେଷ୍ଠା ଚଳାଇ ଚାଲିଛନ୍ତି । ଓଳାଭରରୁ ଡ଼ାକ୍ତର ସୌମ୍ୟରଞ୍ଜନ ନାୟକ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସପ୍ତାହରେ ଦୁଇ ଦିନ ଆସି ରୋଗୀ ଦେଖୁଛନ୍ତି । ସେହିଭଳି ଡ଼ାକ୍ତର ସତ୍ୟରଞ୍ଜନ ବାରିକ୍ ମଧ୍ୟ ଦୁଇ ଦିନ ରୋଗୀ ଦେଖୁଛନ୍ତି । କିନ୍ତୁ ସପ୍ତାହ ବ୍ୟାପୀ ଆୟୁଷ ଡ଼ାକ୍ତର ଶ୍ରୀଦାସ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜଗି ରହୁଛନ୍ତି । ବିଶେଷଜ୍ଞ ଓ ସ୍ଥାୟୀ ଡ଼ାକ୍ତର ନଥିବାରୁ ଲୋକେ ନାହିଁ ନଥିବା ହିନସ୍ତା ଭୋଗୁଛନ୍ତି । ଡ଼ାକ୍ତର ଅଭାବ ସହିତ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଫାର୍ମାସିଷ୍ଟ ନାହାନ୍ତି । କଣ୍ଡିଆହାଟ ଏବଂ ଓଳାଭରରୁ ଦିନେ ଛାଡ଼ି ଦିନେ ଆସି ଫାର୍ମାସିଷ୍ଟ ଏଠାରେ କାମ ଚଳାଇ ଚାଲିଯାଉଛନ୍ତି । ହେଲେ କେହି ସ୍ଥାୟୀ ଭାବେ ନାହାନ୍ତି । ସେହିଭଳି ଷ୍ଟାଫ୍ନର୍ସ ମଧ୍ୟ ଚାରିଜଣ ନାହାନ୍ତି । ଲାବରେଟରୀରେ ମଧ୍ୟ ଜଣେ ଡ଼େପୁଟେସନ ୍ରେ ଦୁଇ ଦିନ ଆସି ଏଠାରେ କାମ କରୁଛନ୍ତି । ଏମିତିରେ ଚାଲିଛି ଗ୍ରାମାଂଚଳ ସ୍ୱାସ୍ଥ୍ୟ ବ୍ୟବସ୍ଥା । ସରକାରୀ ସ୍ୱାସ୍ଥ୍ୟ ଯୋଜନାଗୁଡ଼ିକ ମଧ୍ୟ ଲୋକଙ୍କ ପାଇଁ ଅପହଂଚ ହୋଇପଡ଼ିଛି । ଏଭଳି ସମସ୍ୟା ସଂପର୍କରେ ସ୍ଥାନୀୟ ଜନନେତା ଏବଂ ଲୋକପ୍ରତିନିଧି ମଧ୍ୟ ଆଖିବୁଜି ଦେଇଥିବା ଅନେକ ସମୟରେ ଅଭିଯୋଗ ହେଉଛି । ଏଭଳି ସମସ୍ୟା ସମାଧାନ କରିବାରେ ସେମାନଙ୍କ ଆନ୍ତରିକତା ନଥିବା ସାଧାରଣ ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣା ସଂପର୍କରେ ପଟ୍ଟାମୁଣ୍ଡାଇ ଏସ୍ଡ଼ିଏଚ୍ର ଅତିରିକ୍ତ ନିର୍ଦ୍ଧେଶକ ଡ଼ାକ୍ତର ପ୍ରମୋଦ କୁମାର ପ୍ରହରାଜ କହିଛନ୍ତି, ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ତର ଅଭାବ ମୁଖ୍ୟ ସମସ୍ୟା ପାଲଟିଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଦାୟିତ୍ୱ ତାଙ୍କୁ ଦିଆଯାଇଛି । ହେଲେ ପଟ୍ଟାମୁଣ୍ଡାଇ ସହିତ ଆଳିର ମଧ୍ୟ ଦାୟିତ୍ୱ ଦିଆଯାଇଛି । ଏଥିପାଇଁ ଅନେକ ସମୟରେ ରୋଗୀ ସେବା କରିବା ସମ୍ଭବ ହେଉନାହିଁ । ସରକାର ଏ ଦିଗରେ ବିଚାର କରିବା ଆବଶ୍ୟକ । ରାଜକନିକା ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଡ଼ାକ୍ତର ପଦ ପୂରଣ ନିମେନ୍ତ ସାଧାରଣ ଲୋକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଢ଼େଙ୍କାନାଳର ଏକ ଆବାସିକ କଲେଜରେ ୩୩ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ – କଣ୍ଟେନମେଣ୍ଟ ଜୋନ ଘୋଷଣା

ଢ଼େଙ୍କାନାଳ,୦୧/୧୨/୨୦୨୧(ଓଡ଼ିଶା ସମାଚାର)-ଭିମସାରରେ ୭୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ଼ ର ସେଣ୍ଟ ମେରି ବାଳିକା ବିଦ୍ୟାଳୟ ର …

Leave a Reply

Your email address will not be published. Required fields are marked *