କେନ୍ଦ୍ରାପଡା,୨୩/୧୦/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ନିର୍ମାଣ ଶ୍ରମିକମାନଙ୍କ ପଞ୍ଜିକରଣ ଓ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ ସମସ୍ୟାର ପ୍ରତିକାର ନିମନ୍ତେ ବୁଧବାର ଜିଲ୍ଲା ନିର୍ମାଣ ଶ୍ରମିକ ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ନିର୍ମାଣ ଶ୍ରମିକମାନଙ୍କ ର ବର୍ଷ ବର୍ଷ ଧରି ପଡିରହିଥିବା ପଞ୍ଜିକରଣ ନିମନ୍ତେ ଆବେଦନପତ୍ର, ବିଭିନ୍ନ ସହାୟତା ଓ ଚିକିସôା ସହାୟତା ପ୍ରଭୃତିର ଆବେଦନପତ୍ର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପଡି ରହିଥିଲେ ମଧ୍ୟ ସେଗୁଡିକର ସମାଧାନ କରାଯାଉନଥିବା ଅଭିଯୋଗ ହୋଇଛି । ତେଣୁ ଜିଲ୍ଲା ନିର୍ମାଣ ଶ୍ରମିକ ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ପ୍ରତିନିଧିମାନେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଅଭିଯୋଗ କରିଥିଲେ ଯେ ୨୦୧୫ରୁ ୨୦୧୭ ମସିହା ପର୍ଯ୍ୟନ୍ତ ପଞ୍ଜିକରଣ ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରମିକମାନଙ୍କ ଆବେଦନପତ୍ର ପଞ୍ଜିକରଣ ଫି ଦାଖଲ କରାଯିବା ପରେବି ପଡିରହିଥିବା ବେଳେ ଏବେ ନୂତନ ଆବେଦନକାରୀଙ୍କୁ ପଞ୍ଜିକରଣ କାର୍ଡ ମିଳୁଥିବା ଦେଖାଯାଇଛି । ଫଳରେ ସେହି ଗରୀବ ଖଟିଖିଆ ଶ୍ରମିକମାନେ ହତାଶ ହୋଇପଡିଥିବା ଦେଖାଯାଇଛି । ଶିକ୍ଷା ବୃତି ସହାୟତା କ୍ଷେତ୍ରରେ ଶ୍ରମ କାର୍ଯ୍ୟାଳୟର ମନମୁଖି ତଥା ଟାଳଟୁଳ ନୀତି ଯୋଗୁ ବହୁ ନିର୍ମାଣ ଶ୍ରମିକଙ୍କ ପିଲାମାନଙ୍କୁ ଗତବର୍ଷର ଶିକ୍ଷା ସହାୟତା ମିଳିନଥିବା ବେଳେ ଚଳିତ ବର୍ଷ ପାଇଁ ଆବେଦନପତ୍ର ଗ୍ରହଣ କରାଯାଉନାହିଁ ଏବଂ ବିଗତବର୍ଷର ଘରୋଇ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ସାରା ରାଜ୍ୟରେ ଶିକ୍ଷା ସହାୟତା ପାଇଥିବା ବେଳେ ଏହି ଜିଲ୍ଲାରେ ସେମାନଙ୍କୁ ବଂଚିତ କରାଯାଉଥିବା ଅଭିଯୋଗ ହୋଇଛି । ଯନ୍ତ୍ରପାତି ଓ ସାଇକେଲ ସହାୟତା ପ୍ରଦାନ କ୍ଷେତ୍ରରେ ୨୦୧୬ମସିହାରୁ ଅଦ୍ୟାବଧି ହଜାର ହଜାର ଆବେଦନପତ୍ର ଗଦା ହୋଇଥିଲେ ମଧ୍ୟ ସେହି ଆବେଦନକାରୀଙ୍କୁ ସହାୟତାରୁ ବଂଚିତ ହୋଇଛନ୍ତି । ମୃତୁ୍ୟ ସହାୟତା ନିମନ୍ତେ ଆବେଦନର ୨ମାସ ମଧ୍ୟରେ ସହାୟତା ପାଇବାର ନିୟମ ଥିଲେ ମଧ୍ୟ ୨ବର୍ଷ ପରେବି ସେହି ସହାୟତା ମିଳୁ ନଥିବା ଅଭିଯୋଗ ହୋଇଛି । ଝିଅ ବାହାଘର ଓ ପ୍ରସୁତି ସହାୟତା ଆବେଦନପତ୍ର ଗୁଡିକ ବର୍ଷ ବର୍ଷ ଧରି ଶ୍ରମ କାର୍ଯ୍ୟାଳୟରେ ପଡିରହୁଥିବା ଅଭିଯୋଗ ହୋଇଛି । ଏଥି ସହିତ ଦୁରାରୋଗ୍ୟରେ ପିଡିତ ଶ୍ରମିକମାନଙ୍କ ଚିକିସôା ନିମନ୍ତେ ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ନିର୍ଦେଶ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ମିଳିଥିବା ବେଳେ ବହୁ ଦାବି ସତ୍ୱେ ଏହି ଜିଲ୍ଲାରେ କୈାଣସି ରୋଗଗ୍ରସ୍ତ ଶ୍ରମିକଙ୍କୁ ତାହା ନମିଳିବା ଶ୍ରମିକମାନଙ୍କୁ ବ୍ୟଥିତ କରିଛି । ଅପରପକ୍ଷରେ ଜିଲ୍ଲାର ଶ୍ରମିକମାନଙ୍କ ଉପରେ ପଞ୍ଜିକରଣ ଫିସ,ବାର୍ଷିକ ନବୀକରଣ ଫିସ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଆର୍ଥିକ ବୋଝ ପଡୁଥିବା ବେଳେ ଓ ସେସ ଗ୍ରାଂଟ ମାଧ୍ୟମରେ କୋଟି କୋଟି ଟଙ୍କା ଜିଲ୍ଲାରୁ ସଂଗ୍ରହ ହୋଇ ସରକାରୀ ବିଭାଗୀୟ ତହବିଲରେ ଜମା ହେଉଥିବା ବେଳେ ରାଜ୍ୟର ଅନ୍ୟ ଜିଲ୍ଲାର ଶ୍ରମିକମାନଙ୍କ ତୁଳନାରେ ଏହି ଜିଲ୍ଲାରେ ଶ୍ରମିକମାନେ ଅତ୍ୟନ୍ତ ଅବହେଳିତ ହେଉଥିବା ଅଭିଯୋଗ ହୋଇଛି । ତେଣୁ ଏହିସବୁ ସମସ୍ୟା ଗୁଡିକର ତୁରନ୍ତ ସମାଧାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ନିର୍ମାଣ ଶ୍ରମିକ ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଏ.ଆଇ.ଟି.ୟୁ.ସି.ର ବାବାଜୀ ଧଳ, ନି.ଉ.ଗ୍ରା.ଚା.ମୂ.ସଙ୍ଘର ଫକିର ଚରଣ ଖଟୁଆ, ବିଧୁ ଭୂଷଣ ମହାପାତ୍ର, ଏନ.ଓ.ଏନ.ଏସ.ଏସ.ର ଅଶୋକ କୁମାର ତ୍ରିପାଠୀ, ସି.ଆଇ.ଟି.ୟୁ.ର ଜଗତଜୀବନ ଦାଶ, ଏ.ଆଇ.ସି.ସି.ଟି.ୟୁ.ର ବସନ୍ତ କୁମାର ମଲ୍ଲିକ, କେ.ବି.ଏସ.ଏସ.ର ପ୍ରକାଶ ଚନ୍ଦ୍ର ମହାନ୍ତି, ଓ.କୃ.ଗ୍ରା.ଶ୍ରମିକ ସଙ୍ଘର ବସନ୍ତ କୁମାର ସେଠୀ, ଓ.ଏନ.ଏମ.ଏଲ.ର ପରମେଶ୍ୱର ପାତ୍ର, ଜେ.ଏନ.କେ.ଏସ.ର ପ୍ରଜ୍ଞାନଦିପ୍ତ ସାମଲ, ପ୍ରମୋଦ ବେହେରା,ଆଇ.ଏନ.ଟି.ୟୁ.ସି.ର ମୁକ୍ତାର ଖାଁ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିବା ସହିତ ଦାବିପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପାଳ ଶ୍ରୀ ବର୍ମା ସାଇକେଲ ଓ ଶିକ୍ଷା ସହାୟତା ତୁରନ୍ତ ପ୍ରଦାନ କରାଯିବ ବୋଲି କହିବା ସହ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଆବଶ୍ୟକତା ଅନୁଯାଇ ସ୍ଥାନ ନଥିବାରୁ ଆସନ୍ତାକାଲି ବଳଦେବଜୀଉ ବିଇଡି କଲେଜ ପକ୍ଷରୁ ସରକାରଙ୍କୁ ହସ୍ତାନ୍ତର କରାଯାଇଥିବା ଜମି ଓ ଘରକୁ ଜିଲ୍ଲାପାଳ ପରିଦର୍ଶନ କରିବା ପରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସେଠାକୁ ସ୍ଥାନାନ୍ତର ସମ୍ପର୍କରେ ନିଷ୍ପତି ଗ୍ରହଣ କରିବେ । ଓଡ଼ିଶା ସମାଚାର
