ଆଳି, ୨୩/୧୦/୨୦୧୯(ଓଡ଼ିଶା ସମାଚାର)- ଆଳି ଥାନା ଅନ୍ତର୍ଗତ ନୂଆବଜାର ବ୍ଲକ ଅଫିସ ସମ୍ମୁଖରେ ଥିବା ଏକ ଔଷଧ ଦୋକାନରେ ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ନିଆଁ ଲାଗି ଦୋକାନ ଭିତରେ ଥିବା ସମସ୍ତ ଔଷଧ ସହ ଅନ୍ୟାନ୍ୟ ଆନୁସଙ୍ଗିକ ଜିନିଷ ସଂପୂର୍ଣ ପୋଡି ପାଉଁଶ ହୋଇଯାଇଛି । ଗତକାଲି ଔଷଧ ବ୍ୟବସାୟୀ ସେକ ନସିମ ବ୍ୟବସାୟ ସାରି ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ବିଳମ୍ବିତ ରାତିରେ ଦୋକାନରେ ନିଆଁ ଲାଗିଥିବା ଦେଖି ବଜାରରେ ଥିବା ସ୍ଥାନୀୟ ବ୍ୟବସାୟୀ ଦମକଳ କେନ୍ଦ୍ରକୁ ଫୋନ କରିଥିଲେ । କିନ୍ତୁ ଦମକଳକେନ୍ଦ୍ରର ଟେଲିଫୋନ ଅଚଳ ଅବସ୍ଥାରେ ଅଛି । ଫଳରେ ଯୋଗାଯୋଗ ସମ୍ଭବ ହୋଇପାରିଲାନାହିଁ । ଘଟଣା ଘଟିଥିବା ସ୍ଥାନରୁ ମାତ୍ର ୧ କି.ମି. ଦ୍ୱରତ୍ୱରେ ଥିବା ଦମକଳ କେନ୍ଦ୍ରକୁ ସ୍ଥାନୀୟ ଲୋକ ଯାଇ ଖବର ଦେଲା ପରେ ମଧ୍ୟ ଦମକଳ ଗାଡି ଆସିବା ବେଳକୁ ଦୋକାନଟି ପୋଡି ପାଉଁଶ ହୋଇଯାଇଥିଲା । ଏ ନେଇ ବ୍ୟବସାୟୀ ଆଳି ଥାନାରେ ଅଭିଯୋଗ କରିବା ପରେ ଥାନା ଏସ.ଆଇ. ମମତା ବିଶ୍ୱାଳ ଘଟଣାର ତଦନ୍ତ କରୁଛନ୍ତି । ଅଗ୍ନିକାଣ୍ଡର କାରଣ ଅଦ୍ୟାବଧି ଜଣାପଡିନାହିଁ । ଓଡ଼ିଶା ସମାଚାର