ଗରଦପୁର,୧୯/୧୦/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡା ପଂଚାୟତର ଶଙ୍କରଭୋଳ ଗ୍ରାମର ମା’ ସାତ ଭଉଣୀ ସ୍ୱୟଂ ସହାୟିକା ଗୋଷ୍ଠୀର ଅର୍ଥ ହଡ଼ପ ନେଇ ଉକ୍ତ ଗୋଷ୍ଠୀର ମହିଳା ସଭ୍ୟାମାନେ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପାଟକୁରା ଥାନାଧିକାରୀ ସୁଜିତ୍ କୁମାର ଅଭିଯୋଗ ପାଇବା ପରେ କେଶ୍ ନଂ. ୩୧୯/୧୯ରେ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛନ୍ତି । ପ୍ରକାଶ କି ଉକ୍ତ ଗୋଷ୍ଠୀର ଆର୍ଥିକ ଉନ୍ନତି କରିବା ନିମନ୍ତେ ପଳସୁଧା ଠାରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଶାଖାରୁ ଡାଏରୀ ଫାର୍ମ କରିବା ନିମନ୍ତେ ୪ଲକ୍ଷ ୫୦ହଜାର ଟଙ୍କା ଋଣ ମଞ୍ଜୁର କରାଯାଇ ଗୋଷ୍ଠୀର ସଂଚୟ ଖାତାରେ ଜମା କରାଯାଇଥିଲା । ହେଲେ ଗୋଷ୍ଠୀର ସଭ୍ୟମାନଙ୍କର ଡାଏରୀ ଫାର୍ମ ପ୍ରତି କୌଣସି ଅଭିଜ୍ଞତା ନଥିବାରୁ ସଂପାଦିକା ସୁମିତ୍ରା ରାଉତ ତାଙ୍କ ଦାଦା ବିଜୟ ରାଉତଙ୍କ ପରାମର୍ଶ ନେବା ପାଇଁ ପ୍ରବର୍ତାଇଥିଲେ । ପରେ ସଂପାଦିକାଙ୍କ ଦାଦା ବିଜୟ ରାଉତ ଚଂଚକତା କରି ଉକ୍ତ ଟଙ୍କା ହେରଫେର କରିଦେଇଥିବା ନେଇ ଜାଣିବା ପରେ ସଭ୍ୟାମାନେ ସଂପାଦିକାଙ୍କୁ ପଚାରିଲାପରେ ସ୍ଥାନୀୟ ସରପଂଚଙ୍କ ଜରିଆରେ ଏକ ଫଏସଲା କରାଯାଇ ବ୍ୟାଙ୍କରୁ ଆଣିଥିବା ଋଣ ଟଙ୍କାକୁ ସୁଝିବା ନେଇ ନିଷ୍ପତି କରାଯାଇଥିଲା । ଏହାଛଡା ବ୍ୟାଙ୍କର ନିଷ୍ପତି ଅନୁଯାୟୀ ୧ଲକ୍ଷ ୭୦ହଜାର ଟଙ୍କା ସୁଝିବା ସହିତ ଅବଶିଷ୍ଟ ୨ଲକ୍ଷ ୮୦ ହଜାର ସୁଧ ସହିତ ସଭ୍ୟାମାନଙ୍କୁ ଫେରାଇବାକୁ ନିଷ୍ପତି ହୋଇଥିଲା । ହେଲେ ସଂପାଦିକାଙ୍କ ପାଖରେ ଆବଶ୍ୟକୀୟ ଟଙ୍କା ନଥିବାରୁ ବ୍ୟାଙ୍କ ମିତ୍ର ରଜନୀକାନ୍ତ ତ୍ରିପାଠୀଙ୍କ ଠାରୁ ୫୦ ହଜାର ଟଙ୍କା ଧାର ଆଣି ଅଦ୍ୟାବଧି ସୁଝି ନଥିବା ନେଇ ଅଭିଯୋଗ ହୋଇଛି । ଇତି ମଧ୍ୟରେ ୪ ବର୍ଷ ବିତିଯାଇଥିଲେ ମଧ୍ୟ ସଂପାଦିକା କିମ୍ବା ତାଙ୍କ ଦାଦା ଟଙ୍କା ଫେରସ୍ତ ନକରିବା ହେତୁ ଗୋଷ୍ଠୀର ମହିଳା ସଭ୍ୟାମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଅଭିଯୋଗପତ୍ର ପାଇ ବ୍ଲକ୍ର ଜିବିକା ମିଶନ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇ ଉକ୍ତ ମାମଲାର ତଦନ୍ତ କରି ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ନିର୍ଦ୍ଦେଶ ଅନୁଯାୟୀ ବ୍ଲକ୍ ଜୀବିକା ମିଶନ କର୍ମଚାରୀ ଓ ସଭ୍ୟାମାନେ ଅଭିଯୋଗ ପାଟକୁରା ଥାନାରେ କରିଛନ୍ତି । ଓଡ଼ିଶା ସମାଚାର