ଅମ୍ବାଦଳା, ୧୯/୧୦/୨୦୧୯(ଓଡ଼ିଶା ସମାଚାର)- ଅମ୍ବାଦଳା ଥାନା ଅଂଚଳରେ କାର୍ଯ୍ୟରତ ସାମ୍ବାଦିକ ଓ ବିତରକକୁ ହତ୍ୟା ଧମକ ଦେଇଥିବା ଦୁଇ ଦୁର୍ଦାନ୍ତ ଅପରାଧି ବୁଲୁ ଓ ଟୁକୁନାକୁ ପୁଲିସ ଗିରଫ କରିଛି । ସୂଚନା ଅନୁଯାୟୀ ‘ସମାଜ’ର ଅମ୍ବାଦଳା ସମ୍ବାଦଦାତା ଦେବେନ୍ଦ୍ର ନାୟକ (୪୨), ପିତା ୰ ପ୍ରେମାନନ୍ଦ ନାୟକ କିଛି ମାସ ପୂର୍ବେ ଅଂଚଳରେ ଏକ ବସ୍ ଡ଼କାୟତି ସମ୍ପର୍କିତ ଖବର ପ୍ରକାଶ କରିଥିଲେ । ପୂର୍ବ ପ୍ରକାଶିତ ଖବରକୁ ନେଇ ଡକାୟତିରେ ସମ୍ପୃକ୍ତ ଅଭିଯୁକ୍ତ ବୁଲୁ ଓରଫ ସୀମାଂଚଳ ସାହୁ (୪୧) ପିତା ୰ ରଘୁନାଥ ସାହୁ, ଏବଂ ତାର ସହଯୋଗୀ ଟୁକୁନା ପାତ୍ର (୨୭) ପିତା ନରସିଂହ ପାତ୍ର, ଖବରକାଗଜ ବାଂଟିବାକୁ ଯାଇଥିବା ବିତରକ ତଥା ସାମ୍ବାଦିକଙ୍କ ପୁତୁରା ଅନୁଭବ ନାୟକ, ପିତା ୰ ରବିନ୍ଦ୍ର କୁମାର ନାୟକକୁ ଗୁରୁବାର ପୂର୍ବାହ୍ଣ ୧୦.୩୦ରେ ଅମ୍ବାଦଳା ସରକାରୀ ଉଚ୍ଚତର ବିଦ୍ୟାଳୟ ସମ୍ମୁଖରେ ସାଇକଲ ଅଟକାଇ ମାଡ଼ ମାରିବା ସହ ତାଙ୍କ ବେକରେ ଭୂଜାଲି ଲଗାଇ ତାଙ୍କୁ ଓ ଦେବେନ୍ଦ୍ରଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଏ ନେଇ ଅମ୍ବାଦଳା ଥାନାରେ ସ୍ଥାନୀୟ ସାମ୍ବାଦିକ ଶ୍ରୀ ନାୟକ ଲିଖିତ ଅଭିଯୋଗ ପରେ ତୁରନ୍ତ ଏକ ଘଂଟା ମଧ୍ୟରେ ଅଂଚଳର ଦୁଇ କୁଖ୍ୟାତ ଅପରାଧି ବୁଲୁ ଓ ଟୁକୁନାକୁ ପୁଲିସ ଗିରଫ କରିଛି । ପ୍ରକାଶଥାଉକି ବୁଲୁ ନାମରେ ଏହି ଅଂଚଳରେ ବହୁ ଅପରାଧ ନେଇ ଅଭିଯୋଗ ହୋଇଆସୁଥିବା ବେଳେ ରାୟଗଡ଼ା ଓ କଳାହାଣ୍ଡି ଜିଲାରେ ଅନେକ ଡକାୟତି, ରାହାଜାନି, ଅସ୍ତ୍ରଶସ୍ତ୍ର ଧରିବା ହତ୍ୟା ଉଦ୍ୟମ ପରି ବିଭିନ୍ନ ଅପରାଧିକ ମାମଲାରେ ଜଡ଼ିତ ହେବା ସହ ଅଂଚଳର କିଛି ଅସାମାଜିକ ଯୁବକଙ୍କୁ ନେଇ ଏକ ଗ୍ୟାଙ୍ଗ ତିଆରି କରି ଅଂଚଳବାସୀଙ୍କୁ ଭୟଭୀତ କରି ରଖିଥିବା ଅଂଚଳବାସୀ ଅଭିଯୋଗ କରି ଆସୁଛନ୍ତି । ସେମାନେ ଗେଞ୍ଜଇ, କୋରେକ୍ସ ଓ ମଦ ପିଇ ସବୁ ସମୟରେ ମାତାଲ ହୋଇ ଲୋକଙ୍କୁ ଭୟଭୀତ କରୁଥିବା ସହ ପିସ୍ତଲ, ଛୁରି ବ୍ୟବହାର କରି ଲୋକଙ୍କୁ ଭୟଭୀତ କରୁଥିବା ଅଭିଯୋଗ ହେଉଛି । ଭୟରେ ଏମାନଙ୍କ ବିରୁଦ୍ଧରେ କେହି ମୁହଁ ଖୋଲିବାକୁ ସାହାସ ଜୁଟାଇପାରୁନାହାନ୍ତି । ଏପରିକି ସେମାନେ ସାମ୍ବାଦିକଙ୍କୁ ହତ୍ୟା ଧମକ ଦେବା ସହ ଭୟଭୀତ କରାଇ ଖବର ପ୍ରକାଶରୁ ଦୂରେଇ ରଖିବା ପାଇଁ ଅପଚେଷ୍ଟା କରି ଶେଷରେ ପୁଲିସ ହାତରେ ଧରାପଡ଼ିବା ପରେ ଏହି ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଉକ୍ତ ଦୁଇ ଅଭିଯୁକ୍ତଙ୍କୁ ସ୍ଥାନୀୟ ଆଇଆଇସି ବନ୍ଦନା ନାୟକ ତୁରନ୍ତ ଗିରଫ କରିବା ସହ ବ୍ୟବହାର କରୁଥିବା ପଲସର ଗାଡ଼ିକୁ ଜବତ କରିଛନ୍ତି । ଦୁଇ ଅଭିଯୁକ୍ତକୁ ବିଷମକଟକ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି । ଓଡ଼ିଶା ସମାଚାର