କଟକ,୧୯/୧୦/୨୦୧୯(ଓଡ଼ିଶା ସମାଚାର)- ଓଡ଼ିଶାର ସିବାକାସି ଭାବେ ପରିଚିତ ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁର ଅଂଚଳରେ ଗତକାଲି ବିଳମ୍ବିତ ରାତିରେ ବେଆଇନ୍ ବାଣ କାରଖାନା ଉପରେ ଚଢ଼ାଉ କରିଥିଲା । ଏସିପି ମାନସ ରଂଜନ ଗଡ଼ନାୟକଙ୍କ ନେତୃତ୍ୱରେ ୪ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଓ ୧୦ ଜଣ ଅଫିସର ତ୍ରିଲୋଚନପୁର ଓ ମହାଜନପୁର ଗ୍ରାମରେ ଥିବା ବେଆଇନ ବାଣ କାରାଖାନା ଉପରେ ଚଢ଼ାଉ କରିଥିଲେ । ବେଆଇନ ଭାବେ ଗଛିତ ଥିବା ବିପୁଳ ପରିମାଣର ବିଭିନ୍ନ ପ୍ରକାର ବାଣ ଓ ପଟାସିୟମ ନାଇଟ୍ରେଟ, ଲୁହାଗୁଣ୍ଡ ଓ ବାରୁଦ ଆଦି ବାଣ ତିଆରି ସାମଗ୍ରୀ ଜବତ କରିଥିଲେ । ଜବତ ୫ ଟ୍ରକ୍ ବାଣ ଓ ବାଣ ତିଆରି ସାମଗ୍ରୀ ର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି । ପୋଲିସ୍ ୧୨ ଜଣ ଙ୍କୁ ଗିରଫ କରିଛି ।ଏହି ଅଂଚଳ ଓଡ଼ିଶାର ସିବାକାସି ଭାବେ ପରିଚିତ ଥିବାରୁ ଏଠାରୁ ରାଜ୍ୟର ବିଭିନ୍ନ ଅଂଚଳକୁ ବାଣ ପଠାଯାଇଥାଏ । ତେଣୁ ଏହି ଅଂଚଳରେ ଆହୁରି ବେଆଇନ ବାଣ ଓ ବାଣ ତିଆରି ସାମଗ୍ରୀ ଗଛିତ ଥିବା ସନ୍ଦେହ କରାଯାଉଛି । ଓଡ଼ିଶା ସମାଚାର